୧୧ ଦଫା ଦାବି ନେଇ ହିଞ୍ଜିଳିକାଟୁ କଲେଜ ଶିକ୍ଷାର୍ଥୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ
ଉହାବିଦ୍ୟାଳୟ ପରିଚାଳନା କମିଟି ଗଠନରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିଙ୍କୁ ସାମିଲ ପାଇଁ ଦାବି ଜଣାଇଲା ବିକାଶ ମଞ୍ଚ
ହିଞ୍ଜିଳିକାଟୁ, ୧ା୮ : ଗୁରୁବାର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡିଆ ଭାଷା ସାହତ୍ୟ ଓ ସଂସ୍କୃତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ପ୍ରାୟ ସାଢେ ୪ଟାରେ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁରେ ପହଞ୍ଚିବା ପରେ ସିଧାସଳଖ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚିଥଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ବିଦ୍ୟାର୍ଥୀ , ପ୍ରାକ୍ତନ ଶିକ୍ଷାର୍ଥୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସର୍ମ୍ପକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ସକାଶେ ଶିକ୍ଷାର୍ଥୀ ମାନେ ୧୧ଦଫା ଦାବି ବିଶିଷ୍ଟ ଏକ ସ୍ମ୍ରାରକପତ୍ର ପ୍ରଦାନ କରିଥିଲେ । ୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ମହାବିଦ୍ୟାଳୟରେ ୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ସଂପୃକ୍ତ ମହାବିଦ୍ୟାଳୟରେ ଛାତ୍ର ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି । ୨୦୦୭ ମସିହାରେ ନାକ୍ ଟିମ୍ ଦ୍ୱାରା ବିପ୍ଳସ ମାନ୍ୟତା ପ୍ରଦାନ ସହ ୨୦୧୪ ମସିହାରେ ୟୁଜିିସି ପକ୍ଷରୁ ସ୍ୱଂୟଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି । କିଛି ବର୍ଷ ପୂର୍ବେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର କିଛି ବିଷୟକୁ ନେଇ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯାଇ ଶିକ୍ଷାଦାନ କରାଯାଉଛି । ସଂପୃକ୍ତ ଶିକ୍ଷାନୁଷ୍ଠାନର ଉନ୍ନତି, ଶୈକ୍ଷିକ ବିକାଶ ତଥା ସରକାରୀମାନ୍ୟତା ସକାଶେ ସାମଗ୍ରିକ ବିକାଶ ସକାଶେ ବାରମ୍ବାର ଅନୁରୋଧ କରାଯାଇଥଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।
ମହାବିଦ୍ୟାଳୟ ପରିଚାଳନା କମିଟିର ଏକଛତ୍ରବାଦ ଶାସନ ନୀତି ଯୋଗୁଁ ଗରୀବ ଶ୍ରେଣୀର ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ନାତକ ପାଠ୍ୟକ୍ରମ ସକାଶେ ଶିକ୍ଷାର୍ଥୀ ମାନଙ୍କୁ ୧୬ରୁ ୩୬ ହଜାର ଏବଂ ସ୍ନାତକତ୍ତୋର ପାଠ୍ୟକ୍ରମ ସକାଶେ ପ୍ରାୟ ୬୦ ହଜାର ଟଙ୍କା ପ୍ରଦାନ କରିବାକୁ ପଡୁଥିବାରୁ ବହୁ ମେଧାବୀ ଗରିବା ଶ୍ରେଣୀର ଶିକ୍ଷାର୍ଥୀ ଶିକ୍ଷା ଅଧ୍ୟୟନରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଆସୁଛି । ଶିକ୍ଷାର୍ଥୀ ମାନେ ମହାବିଦ୍ୟାଳୟରେ ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ହେବା, ମହାବିଦ୍ୟାଳୟ ପରିସରରେ ପାର୍କିଂସ୍ଥଳ, ଉନ୍ନତମାନର ଖେଳପଡିଆ, ସ୍ୱଚ୍ଛପାନୀୟଜଳ, ରିଡିଂରୁମ୍ଳ କମନରୁମ୍, ଅଧ୍ୟାପକ ଗ୍ୟାଲେରୀ, ବାତ୍ତାନୁକୁଳିତ ଅଡିଟୋିୟମ, ଅତ୍ୟାଧୁନିକ ଲାବ୍ରୋଟେରୀ ଓ ନିରାପଦ ଶ୍ରେଣୀ ଗୃହର ଅଭାବ, ଶିକ୍ଷାର୍ଥୀଙ୍କ ତୁଳନାରେ ଆବଶ୍ୟକୀୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନିଯୁକ୍ତି ପ୍ରଦାନ ସମ୍ବନ୍ଧୀୟ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଅନୁରୁପ ଭାବେ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଣଅନୁଦାନପ୍ରାପ୍ତ କର୍ମଚାରୀ ମାନଙ୍କୁ ଅନୁଦାନ ପ୍ରଦାନ ସର୍ମ୍ପକରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନୀ ଦେଓଙ୍କ ମୃତ୍ୟୁ ପରେ ମହାବିଦ୍ୟାଳୟ ପରିଚାଳନା କମିଟି ବାହାର ବ୍ୟକ୍ତିଙ୍କୁ ନେଇ କମିଟି ଗଠନ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିଙ୍କୁ ପରିଚାଳନା କମିଟିରେ ସାମିଲ କରିବା ସହ ସଂପୃକ୍ତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ବିକାଶ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ କୁମାର ପଣ୍ଡା ଦାବିପତ୍ର ପ୍ରଦାନ କରିଥିଲେ । ପରେ ସ୍ଥାନୀୟ ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପହଞ୍ଚି ବହୁ ବିଜେପି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେଠାରୁ ଲୋକକଳା ଗ୍ରାମ ଭାବେ ପରିଚିତ ହିଞ୍ଜିଳିକାଟୁ ବ୍ଳକ ନନ୍ଦ୍ଖଳ ଗ୍ରାମରେ ପହଞ୍ଚି ପ୍ରାୟ ୮୧ଲକ୍ଷ ୧୬ ହଜାର ଟଙ୍କା ବ୍ୟୟରେ ନିର୍ମାଣଧିନ ରହିଥିବା କଳା ଓ ସଂସ୍କୃତି ଭବନ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସର୍ମ୍ପକରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟର ୩୧୪ଟି ବ୍ଳକର ଲୋକ କଳା ଓ ସଂସ୍କୃତି ଭବନ କେନ୍ଦ୍ର ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକକୁ ଆସି ବୁଲି ଦେଖିଥିବାରୁ ଖୁସିଥିବା ମତବ୍ୟକ୍ତ କରିଥିଲେ ଓ ପରେ ସମସ୍ତ ବ୍ଳକ ଗସ୍ତ କରିବି ବୋଲି କହିଛନ୍ତି। ପରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାରଙ୍କ ସହ ଭାବ ବିନିମୟ କରିଥିଲେ । ଦାସକାଠିଆ ଉତ୍ପତ୍ତି ଖଣ୍ଡରା ଗ୍ରାମ ଗାୟକରତ୍ନ ସ୍ୱର୍ଗତ କୃଷ୍ଣଚନ୍ଦ୍ର ସାହୁ ଙ୍କ ସାନ ପୁଅ ରାଧାଶ୍ୟାମ ଶର୍ମା ଗାୟକରତ୍ନ ଙ୍କ କଣ୍ଠରୁ ଶିକ୍ଷାମନ୍ତ୍ରୀ ଙ୍କ ଜୀବନୀ ଉପରେ ଏକ ଦାସକାଠିଆ ମାଧ୍ୟମରେ ଗାୟ କରିଥିଲେ।
ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡିଆ ଭାଷା ସାହତ୍ୟ ଓ ସଂସ୍କୃତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଗସ୍ତ ସମୟରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ଲୋକସର୍ମ୍ପକ ଅଧିକାରୀ ରବି ନାରାୟଣ ବେହେରା, ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା, ଆଇଆଇସି ଶ୍ରୀନିବାସ ସେଠି, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା,ନନ୍ଦିକ ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ, ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ଅର୍ନ୍ତର୍ଯ୍ୟାମୀ ପାତ୍ର, ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । କନିଷ୍ଠ ଯନ୍ତ୍ରୀ ଆକାଶ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ପକ୍ଷରେ ହିଞ୍ଜିଳି ବିଜେପି ଗୋଷ୍ଠୀ କନ୍ଦଳ ପଦାରେ ପଡିଯାଇଛି । ଗୋଟିଏ ଗୋଷ୍ଠୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଆର ଏମ ସି ଛକ ରେ ପାଛୋଟି ନେବାବେଳେ ଅନ୍ୟ ଏକ ଗୋଷ୍ଟି ବିଜୁପଟ୍ଟନାୟକ ଛକରେ ବାଣ ଫୁଟାଇ ଫୁଲ ତୋଡା ସହ ଉପଢୌକନ ଦେଇ ସ୍ବାଗତ ଜଣାଇଥିଲେ ।ପରେ ଶିକ୍ଷା ମନ୍ତ୍ରୀ ଜିନ୍ଦାବାଦ,କେ ଅନିଲ କୁମାର ଜିନ୍ଦାବାଦ ଓ ପ୍ରଦୀପ ପାଣିଗ୍ରାହୀ ଜିନ୍ଦାବାଦ ନାରା ଶୁଣିବାକୁ ମିଳିଥିଲା।ଏହାକୁ ଦେଖିବାକୁ ଲୋକଙ୍କର ଭିଡ ଜମିଥିଲା ଓ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।