ନବରଙ୍ଗପୁର ୧/ ୮ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଅଧ୍ୟକ୍ଷତା କରି ନିଜର ବକ୍ତବ୍ୟରେ କୌଶଳ ଭିତିକ ଶିକ୍ଷା ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରି ପାରିବ ବୋଲି କହିବା ସହିତ, ପ୍ରତିଯୋଗୀତା ମୂଳକ ଦୁନିଆରେ ପ୍ରତ୍ଯେକ ଯୁବକ ଯୁବତୀ ମାନେ କୌଣସି ପ୍ରକାର ଦକ୍ଷତା ମୂଳକ ଶିକ୍ଷା ଗ୍ରହଣ କରି ଜୀବନର ମାନଦଣ୍ଡ କୁ ଉନ୍ନତ କରିବା ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗ ତଫରୁ ଯୁବକ ଯୁବତୀ ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ଉପସ୍ଥାପନା କରିଥିଲେ । ପରେ ପରେ ସେନ୍ଥିୟା ମଲଟି ଭେଞ୍ଚର ଭୁବନେଶ୍ଵର , ଉପନିର୍ଦ୍ଦେଶକ ସେରିକଲଚର କୋରାପୁଟ , ଉପନିର୍ଦ୍ଦେଶକ ହାଣ୍ଡିକ୍ରାପ୍ଟ ନବରଙ୍ଗପୁର , ଉପନିର୍ଦ୍ଦେଶକ ବୟନ ଶିଳ୍ପ କୋରାପୁଟ ଭଳି ପମୁଖ ସଂସ୍ଥାର ମୁଖ୍ୟ ମାନେ ନିଜ ନିଜ ସହଯୋଗରେ ଯୁବକ ଯୁବତୀ ମାନଙ୍କୁ ମାଗଣାରେ ଶିକ୍ଷା ଦେବାର ପ୍ରାବଧାନ ଉପରେ ଉପସ୍ଥାପନା କରିଥିଲେ ।
ସମସ୍ତ ନିୟୋଜକ ସଂସ୍ଥା ମାନଙ୍କୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ସବିଶେଷ ବିବରଣୀ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଙ୍କ ନିକଟରେ ଦାଖଲ କରିବା ସହିତ ତୁରନ୍ତ ଜିଲ୍ଲାରେ ଉପରୋକ୍ତ ନିୟୋଜକ ସଂସ୍ଥା ମାନେ କୌଶଳ ଭିତିକ ଶିକ୍ଷା ପାଇଁ ଯୁବକ ଯୁବତୀ ମାନଙ୍କୁ ଚିହ୍ନଟ କରିବା ଓ ତାଲିମ କାର୍ଯ୍ୟ କୁ ତୋରାନ୍ବିତ୍ଵ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।ଏଥି ସହିତ ଜିଲ୍ଲାରେ ଥିବା ଜାଗୃତି ଗୃହ ଓ ଜେଲ ର ଅନ୍ତେବାସୀ ମାନଙ୍କୁ ସ୍ଵତନ୍ତ୍ର ଭାବରେ କୌଶଳ ଭିତିକ ଶିକ୍ଷା ଦେବା ପାଇଁ ପରାମର୍ଶ ଦେଇ ଥିଲେ । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ବ୍ୟାପକ ଭାବରେ କୌଶଳ ଭିତ୍ତିକ ଶିକ୍ଷା ଯୁବକ ଯୁବତୀ ମାନଙ୍କୁ କିପରି ଆତ୍ମ ନିର୍ଭରଶୀଳ କରି ପାରିବ ସେ ଉପରେ ସଚେତନତା ସଭା କରିବା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ , ପିରାମଲ ଫାଉଣ୍ଡେସନ ସଂଯୋଜକ ବିକ୍ରମ ରାଣା ଓ ଜିଲ୍ଲାର ସମସ୍ତ ଆଇ.ଟି.ଆଇ ଏବଂ ପଲିଟେକନିକ୍ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ଯୋଗଦେଇ ଯୁବକ ଯୁବତୀ ମାନଙ୍କୁ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବା ନିମନ୍ତେ ଦକ୍ଷତା ବିକାଶ ଶିକ୍ଷାର ଅବଶ୍ୟକତା ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ସହ ଅଧିକାରୀ ଶୁଭମ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।