ଅନୁକୂଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବ : ସରୁନି ଧାନରୁଆ କାର୍ଯ୍ୟ

ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅଞ୍ଚଳବାସୀଙ୍କ ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି। ଏଠାକାର ଅଞ୍ଚଳବାସିନ୍ଦା କୃଷି ଉପରେ ନିର୍ଭର କରୁଛନ୍ତି ୯୦ ପ୍ରତିଶତରୁ ଉର୍ଦ୍ଧ ପରିବାର। ଧାନ ଓ ମକା ଚାଷ ଏହି ଅଞ୍ଚଳର ପ୍ରମୁଖ ଚାଷ ଦେଖିବାକୁ ମିଳେ । ଜଳସେଚନ ସୁବିଧା ଯଥେଷ୍ଟ ପରିମାଣରେ ନ ଥିବାରୁ ବର୍ଷା ପାଣି ଉପରେ ପ୍ରାୟ ଅଧିକାଂଶ ଚାଷୀ ନିର୍ଭର କରୁଛନ୍ତି। ଏହି ଅଞ୍ଚଳର ଚାଷ କାମ ଏକ ପ୍ରକାରର ଜୁୟା ଖେଳ ପରି ଚାଷୀ ଚାଷ କରନ୍ତି, ଅଧିକା ବର୍ଷା ହେଲେ ଫସଲ ନଷ୍ଟ କିମ୍ବା କମ ବର୍ଷା ହେଲେ ମଧ୍ୟ ଫସଲ ନଷ୍ଟ।ଠିକ ସେମିତି ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଥିବାରୁ ଧାନ ରୁଆ କାର୍ଯ୍ୟ ଏବେ ବି ୪୦ ପ୍ରତିଶତ ଜମିରେ ହୋଇପାରି ନାହିଁ। ଏହି ସପ୍ତାହେ ଧାନ ରୁଆ ପାଇଁ ଅନୁକୂଳ ବର୍ଷା ହେଉଥିବା ବେଳେ ଶ୍ରମିକ ଅଭାବରେ ଆଗେଇ ପାରୁନି ଧାନ ତୋଳି ରୁଆ କାର୍ଯ୍ୟ। ସରକାରୀ ସୂଚନାନୁସାରେ ବ୍ଲକରେ ରହିଛନ୍ତି ସମୁଦାୟ ୨୮,୬୪୦ ଧାନ ଓ ମକା ଚାଷୀ। ଧାନ ଜମିର ପରିମାଣ ୮,୬୫୨ ହେକ୍ଟର ରହିଥିବା ବେଳେ ସେଥି ମଧ୍ୟରୁ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ସରିଛି ଓ କେବଳ ୬ ଶହ ହେକ୍ଟର ଜମିରେ ବେଉଷଣ କାର୍ଯ୍ୟ ସରିଛି। ଜୁନ ମାସରେ ସ୍ୱଳ୍ପ ବୃଷ୍ଟିପାତ ୨୫୨ ମିଲିମିଟର ବର୍ଷା ହୋଇଥିଲା। ଯେଉଁ କୃଷକ ଭାଇ ଧାନ ତୋଳି ପକାଇଥିଲେ ସେମାନଙ୍କ ତୋଳି ୩୦ ରୁ ଉର୍ଦ୍ଧ ଦିନ ହେବା ଫଳରେ ବୁଢ଼ା ତୋଳି କୁ ରୋପଣ କରି ଶସ୍ୟ ଅମଳ କମିବା ଆଶଙ୍କାରେ ଭୟଭୀତ ରହିଛନ୍ତି ଚାଷୀ। ୩୦୦୦ ରୁ ଉର୍ଦ୍ଧ ହେକ୍ଟର ଜମିରେ ଶ୍ରମିକ ଅଭାବରେ ରୁଆ କାର୍ଯ୍ୟ ଶେଷ ହୋଇ ନ ଥିବା ଦେଖିବାକୁ ମିଳୁଛି। ସାମ୍ପ୍ରାତୀକ ଲଘୁଚାପ ପ୍ରଭାବରେ ଗତ ୭ ଦିନ ଧରି ଝିପିରି ଝିପିରି ବର୍ଷା ଲାଗି ରହିଛି ଯାହା ଫଳରେ ରୁଆ କାର୍ଯ୍ୟ ପାଇଁ ଅନୁକୂଳ ପାଗ ସୃଷ୍ଟି ହୋଇଛି କିନ୍ତୁ ହେଲେ ଏକକାଳୀନ ସମସ୍ତ ଧାନ ଚାଷୀ ନିଜ ଜମିରେ ଧାନ ରୁଆ କାର୍ଯ୍ୟ ରେ ବ୍ୟସ୍ତ ରହିବାରୁ ଘୋର ଶ୍ରମିକ ଅଭାବ ଦୃଷ୍ଟିଗୋଚର। ନିଜ ନିଜ ଜମିର କାର୍ଯ୍ୟ ସରିଲେ ଅନ୍ୟ ଜମିରେ ମୂଳ ଲାଗିବାକୁ କହୁଛନ୍ତି ଶ୍ରମିକ ଯାହା ଫଳରେ ସମ୍ପୂର୍ଣ ଶ୍ରମିକ ଉପରେ ନିର୍ଭର କରୁଥିବା ଚାଷୀ ଗାଁ ଗାଁ ଦୁରବାଟ ବୁଲି ଶ୍ରମିକ ଖୋଜୁଛନ୍ତି,କେଉଁଠି ଦଳ ଟେ ମିଳିଗଲେ ସେମାନଙ୍କ ଗାଁ ରୁ ଜମି ପର୍ଯ୍ୟନ୍ତ ଗାଡି ଭଡା ଅତିରିକ୍ତ ଖର୍ଚ୍ଚ ଦେଇ ଆଣିବାକୁ ପଡୁଛି। ଦଳ ଦଳ ଶ୍ରମିକଙ୍କୁ ଦେଖି ଅଗ୍ରୀମ ଟଙ୍କା ଯାଚୁଛନ୍ତି ଚାଷୀ କୂଳ । ସମୁଦାୟ ଧାନ ଜମିରୁ ପ୍ରାୟ ୭ ହଜାର ହେକ୍ଟର ଜମିରେ ଧାନ ରୁଆ ସରିଥିବା ବେଳେ ୩ ହଜାର ରୁ ଉର୍ଦ୍ଧ ଜମିରେ ରୁଆ କାର୍ଯ୍ୟ ଏବେ ଯାଏ ହୋଇ ପାରିନାହିଁ। ଏହି ଅଞ୍ଚଳରେ ଏକର ପ୍ରତି ୬ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ଚାଷୀ ଭାଇ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନୁକୂଳ ବର୍ଷା କାଳେ ଘୁଞ୍ଚିଯିବ ସେଇ ଆଶଙ୍କାରେ ଧାନ ରୁଆ କାର୍ଯ୍ୟରେ ସମସ୍ତ ଚାଷୀ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।
ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କ ସୂଚନା ପ୍ରକାରେ ଚଳିତ ମାସରେ ୨୫୫ ମିଲିମିଟର ସ୍ଵାଭାବିକ ବୃଷ୍ଟିପାତ ହୋଇଥିବା ପ୍ରକାଶ କରିଛନ୍ତି ଓ ସରକାରୀ ସୂଚନା ପ୍ରକାରେ ବ୍ଲକରେ ଜଳସେଚନ ସୁବିଧା ଥିବା ଜମିର ପରିମାଣ ୪୭୨୬ ହେକ୍ଟର ଥିବା ବେଳେ ୭୫ ପ୍ରତିଶତ ରୁ ଉର୍ଦ୍ଧ ଜମିରେ ବର୍ଷା ପାଣି କୁ ଭରସା କରି ଚାଷ କରିବାକୁ ପଡୁଛି। ଯାହାକି ଚାଷୀର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଛି। ବ୍ଲକର ଚାଷ ଜମିର ପରିମାଣ ୧୭ ,୩୫୦ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ୭୯୫୦ ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ୮୬୫୨ ହେକ୍ଟର ଜମିରେ ଧାନ ଚାଷ ହେଉଛି। ନିଜ ଜମିର ଚତୁର୍ପାର୍ଶ୍ୱରେ ଥିବା ଧାନ ବିଲରେ ଧାନ ରୁଆ ସରିଥିବା ବେଳେ ନିଜ ଜମିରେ ତୋଳି ରୁଆ ପାଇଁ କାଦୁଅ ପ୍ରସ୍ତୁତ ଲାଗି ଟ୍ରାକ୍ଟର,ପାୱାର ଟିଲର ଓ ହଳ ଲଙ୍ଗଳ ନେବାରେ ସମସ୍ୟା ଦେଖାଦେଉଛି। ଧାନ ଚାଷ ପାଇଁ ଆବଶ୍ୟକ ଅନୁସାରେ ରାସାୟନିକ ସାର ଉପଲବ୍ଧ ଥିବା ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ ସୂଚନା ଦେଇଛନ୍ତି। ନିଜ ନିଜ କ୍ଷେତରେ ରୁଆ କାର୍ଯ୍ୟ ଶେଷ କରିବାକୁ ପୁରୁଷ ମହିଳା ଯୁବକ ଯୁବତୀ ଅଣ୍ଟା ଭିଡିଛନ୍ତି । ଅନ୍ୟପକ୍ଷେ ଶ୍ରମିକ ଉପରେ ନିର୍ଭର କରୁଥିବା ଚାଷୀ ପରିବାର ଶ୍ରମିକ ଚିନ୍ତାରେ ନିରାଶ ହେଉଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.