କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ

ଫୁଲବାଣୀ : ଓଡ଼ିଶାର ସର୍ବମୋଟ୍ ୧୦ଟି ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ଵାରା ଆକାଂକ୍ଷୀ ଜିଲ୍ଲା ଭାବେ ନିଆଯାଇଛି । ସେଥୁମଧ୍ୟରେ କନ୍ଧମାଳ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଭାରତ ସରକାରଙ୍କର ନୀତି ଆୟୋଗ ଏହି ଆକାଂକ୍ଷୀ ଜିଲ୍ଲାମାନଙ୍କର ଢାଞ୍ଚାଗତ ଉନ୍ନତି କରିବା ସହିତ ସାମାଜିକ, ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିର ବିକାଶ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲକୁ ସୁନିଶ୍ଚିତ କରିବାକୁଯାଇ ସମ୍ପୂର୍ଣ୍ଣତା ଅଭିଯାନ ଗତକାଲି ଶୁଭାରମ୍ଭ କରିଛି । ଏହି ଅଭିଯାନ ୪ ଜୁଲାଇ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି । ଏବେ କନ୍ଧମାଳ ଜିଲ୍ଲାକୁ ସ୍ବାସ୍ଥ୍ୟ ଓ ସୁଷମ ଖାଦ୍ୟ କ୍ଷେତ୍ରରେ ଗର୍ଭବତୀ ମହିଳାମାନଙ୍କୁ ପ୍ରସୁତି ପୂର୍ବ ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ କରିବା, ଶତ ପ୍ରତିଶତ ଗର୍ଭବତୀ ମହିଳାଙ୍କ ପାଇଁ ନିୟମିତ ସୁଷମ ଖାଦ୍ୟ ବଣ୍ଡନ, ୯ରୁ ୧୧ ମାସ ମଧ୍ୟରେ ଥ‌ିବା ସମସ୍ତ ଶିଶୁଙ୍କୁ ସମ୍ପୂର୍ଣ ଟୀକାକରଣ କରିବା ଭଳି ୩ ଗୋଟି ଇଣ୍ଡିକେଟର ବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିପରି, କୃଷି କ୍ଷେତ୍ରରେ ଉନ୍ନତି ପାଇଁ ସମସ୍ତ କୃଷକଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଡନ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବିଦ୍ୟୁତୀକରଣ ଓ ଶିକ୍ଷା ବର୍ଷ ଆରମ୍ଭରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ନୀତି ଆୟୋଗକୁ ପ୍ରଦାନ କରିବେ । ସେଥିପାଇଁ ମଧ୍ୟ ପ୍ରତିଜ୍ଞା କରାଯାଇଛିକି ମୋ ଜିଲ୍ଲା ଏବଂ ମୋ ବ୍ଳକରେ ସମ୍ପୂର୍ଣତା ଅଭିଯାନର ସମସ୍ତ ଲକ୍ଷ୍ୟଗୁଡ଼ିକୁ ପୁରା କରିବା ପାଇଁ ମୁଁ କାର୍ଯ୍ୟ କରିବା ସହିତ ଏଥିପାଇଁ ଅନୁଷ୍ଠିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ମୁଁ ମୋର ଶତ ପ୍ରତିଶତ ଅଂଶ ଗ୍ରହଣ କରିବି । ମୁଁ ମୋର ଜିଲ୍ଲା ଏବଂ ବ୍ଲକକୁ ସ୍ବାସ୍ଥ୍ୟକର, ସକ୍ଷମ ଓ ସମୃଦ୍ଧି କରିବି। ଏଥ୍ ସହିତ ମୋ ଜିଲ୍ଲା ଓ ବ୍ଲକକୁ ଗୋଟିଏ ପ୍ରେରଣା ଦାୟକ ଜିଲ୍ଲା ଓ ବ୍ଳକ ଭାବରେ ଗଢ଼ିତୋଳିବା ପାଇଁ କାର୍ଯ୍ୟ କରିବି ।

ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଗତକାଲି ସକାଳେ ଏକଶୋଭାଯାତ୍ରା ମାଦିକୁନ୍ଦା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା। ପଞ୍ଚାୟତ ଭବନ ପରିସରରେ ସ୍ବାସ୍ଥ୍ୟ ଓ ପୁଷ୍ଟିକର ପୋଷଣ ଏବଂ ଶିକ୍ଷା ଉପରେ ପଥପ୍ରାନ୍ତ ନାଟକ କରାଯାଇଥିଲା। ଏହି ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ନରେନ୍ଦ୍ର କୁମାର ନାୟକ, ନୀତି ଆୟୋଗ ପ୍ରତିନିଧ୍ ସୁଶ୍ରୀ ସାଲୋନି ସାରା, ପିରାମଲ୍ ଫାଉଣ୍ଡେସନ ପ୍ରତିନିଧ୍,ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧୂମାନଙ୍କ ସମେତ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ଏବଂ ସ୍ଥାନୀୟ ଜନ ପ୍ରତିନିଧୂମାନେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.