ଖୁଟୁବାଇ ସ୍ଥିତ ମା ନୀଲୀମାତାଙ୍କ ଚାଉଁରିଆ ବଜାର ଅନୁଷ୍ଠିତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଖୁଟୁବାଇ ଗ୍ରାମର ଗ୍ରାମ ଦେବୀ ମା ନୀଲୀମାତାଙ୍କ ଚାଉଁରିଆ ବଜାର ଆଜି ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୀଲୀ ମାତାଙ୍କ ପୂଜାରୀ ଗଜବଳ ପୂଜାରୀ, ପେଣ୍ଡ୍ରାଣି ମାତାଙ୍କ ପୂଜାରୀ ଜଗଦିଶ ପୂଜାରୀ, ମାତା ପୂଜାରୀ ଦଳ ପୂଜାରୀ, ଦେବିସିଂ ଶିରା, ଧନେଶ୍ୱର ଶିରା, ଗାଁ ସରେନି ଶିରା, ଘନ ଚଲାନ, କନେର ଗୌଡିଆ ତଥା ଗ୍ରାମର ରଇତ ଓ ଜନସାଧାରଣ ବେସ ଉତ୍ସାହର ସହିତ ମାଙ୍କ ଏହି ଯାତ୍ରାକୁ ଭକ୍ତି ସହକାରେ ପାଳନ କରିଥିବା ଦେଖିବାକୁ ମିଲିଛି।ଗାଁ ମୁଣ୍ଡରେ ଥିବା ଆମ୍ବତୋଟା ଠାରେ ମାଙ୍କ ପାଇଁ ଏକ ସୁନ୍ଦର ଭବ୍ୟ ମନ୍ଦିର ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ଉଦ୍ୟମରେ ନିର୍ମିତ ହୋଇଛି।ଉକ୍ତ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଥମେ ଗ୍ରାମରେ ବୈଠକ କରି ମନ୍ଦିର ନିର୍ମାଣର ନିଷ୍ପତି ନେବା ପରେ ଗ୍ରାମରେ ଚାନ୍ଦା ଓ ଅନୁଦାନ ଆଦାୟ କରାଯାଇଥିଲା।ପରେ ଆଦାୟ ହୋଇଥିବା ଟଙ୍କାରେ ମାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଦୀର୍ଘ ତିନି ବର୍ଷର ପରିଶ୍ରମ ପରେ ଚଳିତ ବର୍ଷ ମାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି।ମନ୍ଦିର ନିର୍ମାଣ ଶେଷ ହେବା ପରେ ଗ୍ରାମରେ ଏକ ବଡ଼ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପରେ ମାଙ୍କ ଚାଉଁରିଆ ବଜାରର ଆୟୋଜନ କରାଯାଇଥିବା ମନ୍ଦିରର ମୁଖ୍ୟ ପୂଜାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି କେଉଁ ଆବାହ କାଳରୁ ମା ଖୁଟୁବାଇ ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ପୂଜା ପାଇ ଆସୁଛନ୍ତି,ପ୍ରଥମେ ଗ୍ରାମବାସୀ ଛାଉଣୀ ପାଇଁ କିଛି ନଡା ଓ ମାଟିକାନ୍ଥରେ ତିଆରି ଏକ ଛୋଟ ଝାଟିମାଟି କୁଡ଼ିଆ ଘରେ ମାଙ୍କୁ ସ୍ଥାପନ କରି ମାଙ୍କ ପୂଜାକାର୍ଯ୍ୟ ବା ପୂଜା ଅର୍ଚ୍ଚନା ଆରମ୍ଭ କରିଥିବା କହିଛନ୍ତି। ବର୍ତମାନ ମାଙ୍କ ପାଇଁ ଭବ୍ୟ ମନ୍ଦିର ସାଙ୍ଗକୁ ପାନୀୟଜଳର ସୁବିଧା ପାଇଁ ଏକ ନଳକୂପର ଖନନ ମଧ୍ୟ ହୋଇଛି। ମାଙ୍କ ଚାଉଁରିଆ ବଜାର ପାଇଁ ଆଖପାଖ ଗ୍ରାମ ତଥା ପୂଜାରୀଗୁଡା, ସରାଗୁଡା, ସିଉନାଗୁଡା, ମାଲିଗୁଡା, ଚଲାନଗୁଡା, ଚାରଗାଁ, ଧାମନାଗୁଡା ଆଦି ଗ୍ରାମରୁ ଗ୍ରାମର ଦେବଦେବୀଙ୍କ ସହିତ ସେମାନଙ୍କ ପ୍ରତିକ ଲାଠି, କୁରଚୀ, ଶିରା, ଦିଶାରୀ, ପୂଜାରୀ ଓ ରଇତମାନେ ମାଙ୍କ ଚାଉଁରିଆ ବଜାରରେ ପ୍ରତିବର୍ଷ ଯୋଗଦେଇ ଆସୁଛନ୍ତି ହେଲେ ସେମାନଙ୍କ ରହଣି ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ ହଠାତ ବର୍ଷା ହେଲେ ବଡ଼ ହଇରାଣ ହେଉଥିବା ଗ୍ରାମବାସୀ କହିଛନ୍ତି ।

ତେଣୁ ସେମାନଙ୍କ ରହଣି ଓ ସେମାନେ ସାଙ୍ଗରେ ଆଣିଥିବା ଦେବଦେବୀଙ୍କ ପ୍ରତିକ ଲାଠି, ଗାଦି, ପାଲିଙ୍କି ପାଇଁ ପ୍ରଶାସନ ତରଫରୁ ଏକ ଗୃହର ବ୍ୟବସ୍ଥା କରାଗଲେ ମାଙ୍କ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧା ନହୁଅନ୍ତା ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ତେଣୁ ପ୍ରଶାସନ ଗ୍ରାମବାସୀଙ୍କ ହିତ ତଥା ତାଙ୍କର ପର୍ବ ପର୍ବାଣୀକୁ ସମ୍ମାନ ଦେଇ ମନ୍ଦିର ପରିସରରେ ଏକ ବିଶ୍ରାମ ଗୃହର ବ୍ୟବସ୍ଥା କଲେ ଗ୍ରାମର ଜନସାଧାରଣ ତଥା ଅଞ୍ଚଳବାସୀ ଉପକୃତ ହୁଅନ୍ତେ ବୋଲି ଜନସାଧାରଣ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.