ବିପର୍ଯ୍ୟୟର ପ୍ରାକ୍ ପ୍ରସ୍ତୁତି ନିମନ୍ତେ ଜିଲ୍ଲାସ୍ତରୀୟ ମକଡ୍ରିଲ୍

ଯେ କୌଣସି ସମୟରେ ବିପର୍ଯ୍ୟୟ ଆସିପାରେ-ପୂର୍ବ ପ୍ରସ୍ତୁତି ହିଁ ସୁରକ୍ଷା ଦେବ

ଛତ୍ରପୁର ; ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ପ୍ରସ୍ତୁତି ବା ମକଡ୍ରିଲ ର କାର୍ଯ୍ୟକାରିତା ଦିଗରେ ବିଭିନ୍ନ ବିଭାଗର ପଦକ୍ଷେପ ଗୁଡିକ କିଭଳି ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଏକ ଆଲୋଚନା ବୁଧବାର ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମଟିକୁ ଡେପୁଟି କଲେକ୍ଟର ତଥା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଆୟୁଷୀ ପତି ଅଧ୍ୟକ୍ଷତା କରି ଅବଗତ କରାଇଥିଲେ ଯେ, ବିପର୍ଯ୍ୟୟ ପୂର୍ବ ସୂଚନା ଦେଇ ଆସେ ନାହିଁ, ଯେ କୌଣସି ସମୟରେ ଏହା ଆସେ । ତେଣୁ ହଠାତ ଏହାର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନ ଓ ପଶୁ ସମ୍ପଦକୁ ବଞ୍ଚାଇ ଥାଏ । ବିପର୍ଯ୍ୟୟର ମୁକାବିଲା ସକାଶେ ପ୍ରତିଟି ବିଭାଗ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଓ କାର୍ଯ୍ୟକାରିତାର ମୁଖ୍ୟ ଭୂମିକା ଗ୍ରହଣ କରେ । ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଗଲେ ବିପର୍ଯ୍ୟୟର ମୁକାବିଲା ସହଜସାଧ୍ୟ ହେବ । ପୂର୍ବ ପ୍ରସ୍ତୁତି ନିମନ୍ତେ ଯୁକ୍ତିଯୁକ୍ତ ଶିକ୍ଷା ଗ୍ରହଣ ବା ପ୍ରଶିକ୍ଷଣ ଗ୍ରହଣ କରିବା ଅପରିହାର୍ଯ୍ୟ ।

ବାତ୍ୟା ହେଉ କିମ୍ବା ସୁନାମୀ ହେଉ କିମ୍ବା ଯେ କୌଣସି ମନୁଷ୍ୟ କୃତ ବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରକୁ ଉନ୍ନତି ଆଣି ସଶକ୍ତ କରିବା ହିଁ ଟେବୁଲ ଟାସ୍କ ଏକସରସାଇଜ୍ ବିପର୍ଯ୍ୟୟର ପୂର୍ବପ୍ରସ୍ତୁତି, ବିପର୍ଯ୍ୟୟ ସମୟର ପ୍ରସ୍ତୁତି ଏବଂ ବିପର୍ଯ୍ୟୟର ପରପ୍ରସ୍ତୁତି କଣ କରିବା ଆଉ କଣ କରିବା ନାହିଁ ସେ ସମ୍ପର୍କରେ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଯାଇଥିଲା । ଆସନ୍ତା କାଲି ତା.୧୯.୦୬.୨୦୨୪ରିଖ ଦିନ ଜିଲ୍ଲାର ସମସ୍ତ ୧୫ ଗୋଟି ବ୍ଲକ୍ ଓ ସହରାଞ୍ଚଳ ଗୁଡିକରେ ପ୍ରାକ୍ଟିକାଲ ଭାବେ ମକଡ୍ରିଲ୍ ଆୟୋଜନ ହେବ । ଏହି ମକଡ୍ରିଲ ଦ୍ବାରା ଆମେ ଆମ ପାଖରେ ଗଚ୍ଛିତ ଥିବା ଯନ୍ତ୍ରାଂଶ ଗୁଡିକର ବ୍ୟବହାର ଏବଂ କିଭଳି ଜନଜୀବନ ସୁରକ୍ଷା ଦେଇ ପାରିବା ତାହା କ୍ଷେତ୍ରାଞ୍ଚଳ ଗୁଡିକରେ ଆୟୋଜନ ହେବ । ଯନ୍ତ୍ରାଂଶ ଗୁଡିକର ବ୍ୟବହାର ଉପଯୁକ୍ତ ଭାବେ ସଠିକ ସମୟରେ କରିବା ନିମିତ୍ତ ଏହି ମକଡ୍ରିଲ ଅତ୍ୟନ୍ତ ଜରୁରୀ । ଏହା ଦ୍ବାରା ପରିଚାଳନା ଦାୟୀତ୍ବରେ ଥିବା ବ୍ୟକ୍ତି ବିଶେଷ ସଠିକ ପ୍ରଶିକ୍ଷଣ ପାଇବା ସହିତ ଯନ୍ତ୍ରାଂଶ ଗୁଡିକର ବିନିଯୋଗ କିଭଳି କରିବେ ତାହା ଅବଗତ ହେବା ସହିତ ଯନ୍ତ୍ରାଂଶ ଓ ଉପକରଣ ଗୁଡିକ ବ୍ୟବହାର ଉପଯୋଗୀ ହୋଇପାରିବ । ଗଞ୍ଜାମ ଜିଲ୍ଲାରେ ୨୦ ଗୋଟି ଇ.ଡବ୍ଲ .ଡି.ଏସ୍. ସିଷ୍ଟମ ରଖାଯାଇଛି ଯାହା ଉଚ୍ଚତର ସ୍ଥାନରୁ ସାଇରନ୍ ବଜାଇ ଲୋକଙ୍କୁ ପୂର୍ବ ସୂଚନା ଦେଇ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ହେବା ନିମନ୍ତେ ପୂର୍ବ ସୂଚନା ପ୍ରଦାନ କରିବ । ସ୍ଥାନୀୟ ଭାଷାରେ ମଧ୍ୟ ଲୋକଙ୍କୁ ଅବଗତ କରାଇ ସଜାଗ ରହିବାକୁ ସନ୍ଦେଶ ଦେବ ।
ଆସନ୍ତା କାଲି ଜିଲ୍ଲାରେ ରହିଥିବା ୧୧୦ ଗୋଟି ସେଲଟର୍ (ଆଶ୍ରୟ ସ୍ଥଳ) ଗୁଡିକରେ ମକଡ୍ରିଲ ଅନୁଷ୍ଠିତ ହେବ । ଏହାକୁ ନିରୀକ୍ଷଣ କରିବା ସକାଶେ ରାଜ୍ୟ ସ୍ତରରୁ ନିଯୁକ୍ତ ଥିବା ପର୍ଯ୍ୟବେକ୍ଷକ ତଥା ୟୁନିସେଫ୍ କନସଲଟାଣ୍ଟ ସୁମନ୍ତ ମୁଖାର୍ଜୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଓସଡମା ପକ୍ଷରୁ ଜିଲ୍ଲାରେ ନିଯୁକ୍ତ ଥିବା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ବିପର୍ଯ୍ୟୟ ପରିଚାଳନାର ପ୍ରସ୍ତୁତି ଓ କାର୍ଯ୍ୟ ଖସଡା ସମ୍ପର୍କରେ ପ୍ରାଞ୍ଜଳଭାବେ ଅବଗତ କରାଇଥିଲେ । ସମସ୍ତ ବିଭାଗର ବିଭାଗୀୟ ଅଧିକାରୀଗଣ ସେମାନଙ୍କର ପୂର୍ବ ପ୍ରସ୍ତୁତି କଣସବୁ ଗ୍ରହଣ କରିଛନ୍ତି ତାହା ବୈଠକରେ ଅବଗତ କରାଇଥିଲେ ।

nis-ad
Leave A Reply

Your email address will not be published.