ଡ୍ୟାନ୍ସ ଏକାଡେମୀର ରଜ ମଉଜ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କଲେ ସାଂସଦ ଓ ବିଧାୟକ

ଫୁଲବାଣୀ : ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଜାନି ଯାତ୍ରା ପର୍ବ ପର୍ବାଣିରେ ଓଡିଶାର ସ୍ଥାନ ସ୍ବତନ୍ତ୍ର । ପ୍ରତ୍ୟେକ ପର୍ବର କିଛି ସ୍ବତନ୍ତ୍ରତା ଥାଏ । ଠିକ ସେମିତି ରଜ ପର୍ବର ସ୍ୱତନ୍ତ୍ରତା ହେଉଛି, ନାରୀ ମାନଙ୍କୁ ସମ୍ମାନ ଦେବା ସହିତ, ସେମାନଙ୍କର ଗୁରୁତ୍ବକୁ ଉପଲବ୍ଧି କରିବା । ଅଧ୍ୟାତ୍ମିକ ତଥ୍ୟ ଅନୁସାରେ ରଜ ପର୍ବରେ ଧରିତ୍ରୀ ମାତା ରଜସ୍ୱଳା ହାଇଥାନ୍ତି । ମୁଖ୍ୟତଃ କୁମାରୀ ଝିଅ ମାନଙ୍କୁ ଭୂଦେବୀଙ୍କ ସହ ତୁଳନା କରାଯାଇଥାଏ । ତେଣୁ କୁମାରୀ ଝିଅ ମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ସଜ ବାଜ ହୋଇ ବିଭିନ୍ନ ଗଛ ରେ ଦୋଳି ବାନ୍ଧି ଥିବା ବେଳେ ସାହି ଦାଣ୍ଡରେ ଦୋଳି ତିଆରି କରି ଦୋଳି କୁ ସୁନ୍ଦର ଭାବରେ ବିଭିନ୍ନ ରଙ୍ଗ ବିରଙ୍ଗ ଫୁଲ ପତ୍ରରେ ଏବଂ ବେଲୁନ, ଜରି ଫୁଲରେ ସାଜସଜ୍ଜା କରି ମହା ଆନନ୍ଦରେ ଦୋଳି ଖେଳିଥାନ୍ତି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସାହି ଗଳି ବସ୍ତି ଅଞ୍ଚରେ ମହିଳା ମାନେ ଦୋଳିଖେଳି ରଜପର୍ବ ପାଳନ କରିଥିବା ବେଳେ ଫୁଲବାଣୀ ସର୍ବ ପୁରାତନ ଖ୍ୟାତନାମା ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା ସାଂସ୍କୃତିକ ଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀ ଫୁଲବାଣୀ ପକ୍ଷରୁ ଗତକାଲି ଅତି ଆନନ୍ଦରେ ବହୁ ଆଡମ୍ବରରେ ଡ୍ୟାନ୍ସ ଏକାଡେମୀ ଫୁଲବାଣୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଏ ସୋରଜ ପାତ୍ର ସନ୍ତୋଷ ଭାଇଙ୍କର ବଳିଷ୍ଠ ଉଦ୍ୟମରେ ରଜ ମଉଜ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବ ନିର୍ବାଚିତ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠୀ,ଡ୍ୟାନ୍ସ ଏକାଡେମୀର ସଭାପତି ଭାଗବତ ବେହେରା, ଫୁଲବାଣୀ ପବ୍ଲିକ୍ ପ୍ରସିକୁଟର ରଶ୍ମିତା ମହାପାତ୍ର, ସମାଜସେବୀ ତଥା ଏନ ଏସ ଏସ ଏ ର ଡ଼ାଇରେକ୍ଟର ଅବେଦ ନାୟକ, ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀ ପକ୍ଷରୁ ଅତିଥି ମାନଙ୍କୁ ଫୁଲ ତୋଡା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାଂସଦ ପାଣିଗ୍ରାହୀ ଯୋଗ ଦେଇ ସାଂସ୍କୃତିକ ଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀର ରଜ ମଉଜ କାର୍ଯ୍ୟକ୍ରମକୁ ଦେଖି ଭୁୟସୀ ପ୍ରଶଂସା କରିଥିଲେ ଏବଂ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିବା ବେଳେ
ଏହି ପର୍ବ ମହିଳା ମାନଙ୍କ ର ମଜାର ପର୍ଵ ମହିଳା ମାନେ ମଜା ନେଇଥାନ୍ତି । ଏହି ରଜ ପର୍ବ ଓଡ଼ିଆ ଜାତିର ଧର୍ମ ସଂସ୍କୃତି ପରମ୍ପରା ଅସ୍ମିତା ର ପର୍ବ। ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଙ୍କୁ ଏକତାର ରୁଜୁରେ ବାନ୍ଧିରଖେ ଏହି ଗଣ ପର୍ବ। ପ୍ରତି ଓଡ଼ିଆ ଭେଦଭାବ ଭୁଲି ମସଗୁଲ ହୋଇ ପିଠା ପଣା ଖାଇ ରଜ ପର୍ବ ପାଳନ କରିଥାନ୍ତି। ଜ୍ୟେଷ୍ଠ ମାସର ଶେଷ ଏବଂ ଆଷାଢ଼ ମାସର ଆରମ୍ଭ ଆଡକୁ ଏହି ପର୍ବ ପଡ଼ୁ ଥୁବାରୁ ଭୂମି ଶସ୍ୟ ଉତ୍ପାଦନ ନିମନ୍ତେ ଉପ‌ଯୋଗୀ ହୋଇଥାଏ । ଚାଷୀ ମନରେ ନୂଆ ଆନନ୍ଦ ଉଲ୍ଲାସ ଓ ସମ୍ଭାବନା କୁ ନେଇ ବର୍ଷକୁ ଥରେ ଏହି ଗଣପର୍ବ ଆସେ । ପହିଲି ରଜ ର ପୂର୍ବ ଦିନ ରଜ ସଜବାଜ କରାଯାଏ । ଦ୍ଵିତୀୟ ଦିନ କୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ
ଭୂମି ଦହନ କୁହାଯାଏ । ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ । ଘରେ ଘରେ ନାନା ପିଠପଣା ପ୍ରସ୍ତୁତ କରାଯାଏ । ଏହି ପର୍ବରେ ସମସ୍ତେ ଆନନ୍ଦରେ ପିଠାପଣା ଖାଇ ପାଳନ କରିଥାନ୍ତି। ବିଶେଷ ଭାବେ ମହିଳା ମାନେ ରଜ ପାନ ଖାଇ ଦୋଳି ଗୀତ ଗାଇ ଦୋଳି ଖେଳି ମଜା ଉଠାଇ ଥାନ୍ତି। ଏହି ଗଣ ପର୍ବର ମୂଳ ଆଧାର ଖୁସି । ସବୁ ବର୍ଗର ଲୋକଙ୍କ ମନ ଓ ପ୍ରାଣ ରେ ଖୁସି ଭରିବାର ପ୍ରୟାସ ହିଁ ରଜ ପର୍ବ । ପରିବାର ର ସମସ୍ତ ସଦସ୍ୟ ଙ୍କୁ ଏକାଠି କରି ଯୌଥ ପରିବାର ର ମହତ୍ଵ ଦର୍ଶାଇଥାଏ ରଜ ପର୍ବ । ଦୈନନ୍ଦିନ ଜୀବନ ର ମୂଷା ଦୌଡ଼ ପ୍ରତିଯୋଗିତା ରୁ କିଛି ମୁହୂର୍ତ୍ତ ର ବିରାମ ଦେଇ ପ୍ରତ୍ୟେକ ଓଡ଼ିଆଣି ଙ୍କର ମନ ପ୍ରାଣ ରେ ନୂତନ ଉର୍ଜା ସୃଷ୍ଟି କରିଥାଏ । ଏହି ରଜ ପର୍ବ ରେ ମହିଳା ମାନେ ଘର କାମ କିଛି କରି ନଥାନ୍ତି। ତାଙ୍କୁ ସ୍ୱାମୀ ମାନେ ସହାର୍ଯ୍ୟ କରିଥାନ୍ତି ବୋଲି ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଥିବା ବେଳେ ଅନୁଷ୍ଠାନ ର କାର୍ଯ୍ୟକ୍ରମକୁ ଅନ୍ୟ ଅତିଥିମାନେ ପ୍ରଶଂସା କରିବା ସହ ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ଏକାଡେମୀ ର ନୃତ୍ୟ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷୟିତ୍ରୀ ମାନଙ୍କୁ ଏବଂ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଡ୍ୟାନ୍ସ ଏକାଡେମୀର ଯେଉଁ କଳାକାର ମାନେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାଂସ୍କୃତିକ ନୃତ୍ୟ ସଙ୍ଗୀତ ପରିବେଷଣ କରିବା ସହ ରାଜ୍ୟ ଓ ରାଜ୍ୟ ବାହାର କୁ ଯାଇ ସୁନାମ ଅର୍ଜନ କରିଛନ୍ତି ସେହି କଳାକାର ମାନଙ୍କ ଦ୍ୱାରା ଅଧିକ ମନ ମୁଗ୍ଧ କର ମନରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

nis-ad
Leave A Reply

Your email address will not be published.