ଫୁଲବାଣୀ (୬।୫) : ଆଗାମୀ ସାଧାରଣ ନିର୍ବାଚନ-୨୦୨୪ କୁ ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ସହିତ ସମସ୍ତ ଦଳ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ଘୋଷଣା ହେବା ଦିନଠାରୁ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ କରିବା ସହିତ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟି(ଏମ୍.ସି.ଏମ୍.ସି.) ଗଠନ କରାଯାଇଛି । କନ୍ଧମାଳ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିଦ୍ଦେର୍ଶକ୍ରମେ ଜିଲ୍ଲାସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଏମ୍.ସି.ଏମ୍.ସି. ସେଲ୍ କାର୍ଯ୍ୟକରୁଛି । ଏହି ସେଲ୍ର ମୁଖ୍ୟକାର୍ଯ୍ୟ ହେଲା, ରାଜନୈତିକ ବିଜ୍ଞାପନର ପ୍ରାକ୍ ସାର୍ଟିଫିକେସନ୍, ପେଡ୍ ନୁ୍ୟଜ୍ ଉପରେ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ବାଚନ ପ୍ରକ୍ରିୟା ସମୟରେ ଗଣମାଧ୍ୟମଦ୍ୱାରା ହେଉଥିବା ଉଲଂଘନ ଉପରେ ନଜର ରଖିବା ସହିତ କାର୍ଯ୍ୟାନୁଷ୍ଠାନ ନେବା । ଯେ କୌଣସି ପଞ୍ଜିକୃତ ରାଜନୈତିକ ଦଳ/ଗୋଷ୍ଠୀ/ସଂଗଠନ/ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସୋସିଆଲ୍ ମିଡିଆ ସମେତ ଇଲେକ୍ଟ୍ରୋନିକ୍ ମିଡିଆରେ ରାଜନୈତିକ ବିଜ୍ଞାପନକୁ ପ୍ରସାରଣ କରିବା ପୂର୍ବରୁ ଏହି କମିଟିର ମଞ୍ଜୁରୀ ଆବଶ୍ୟକ । ପ୍ରାର୍ଥୀମାନଙ୍କର ପ୍ରାକ୍ ସାର୍ଟିଫିକେସନ୍ ଆବେଦନକୁ ଜିଲ୍ଲାସ୍ତରୀୟ ଏମ୍.ସି.ଏମ୍.ସି. ଗ୍ରହଣ କରିବାବେଳେ ପଞ୍ଜିକୃତ/ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରାକ୍ ସାର୍ଟିଫିକେସନ୍ ଆବେଦନକୁ ରାଜ୍ୟସ୍ତରୀୟ ଏମ୍.ସି.ଏମ୍.ସି. ଗ୍ରହଣ କରିବ । ପଞ୍ଜିକୃତ ଜାତୀୟ ଓ ରାଜ୍ୟ ଦଳ ଏବଂ ପ୍ରତ୍ୟେକ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପନ ପ୍ରସାରଣର ପ୍ରସ୍ତାବିତ ତାରିଖର ୩ ଦିନରୁ ଅଧିକ ଦିନ ପୂର୍ବରୁ ଏବଂ ଅନ୍ୟ କୋଣସି ବ୍ୟକ୍ତି ବା ଅଣ ପଞ୍ଜିକୃତ ରାଜନୈତିକ ଦଳ କ୍ଷେତ୍ରରେ ଏହାର ପ୍ରସ୍ତାବିତ ପ୍ରସାରଣ ତାରିଖର ୭ ଦିନ ରୁ ଅଧିକ ଦିନ ପୂର୍ବରୁ ଆବେଦନ କରିବା ଆବଶ୍ୟକ ।
ପ୍ରାକ୍ ସାର୍ଟିଫିକେସନ୍ ପାଇଁ ପ୍ରସ୍ତାବିତ ବିଜ୍ଞାପନର ଦୁଇଟି କପି ଇଲେକ୍ଟ୍ରୋନିକ୍ ଆକାରରେ ଏବଂ ଉପଯୁକ୍ତ ଆଟେଷ୍ଟେଡ୍ ଟ୍ରାନ୍ସକ୍ରିପ୍ଟ, ବିଜ୍ଞାପନର ଉତ୍ପାଦନ ଖର୍ଚ୍ଚ, ଟେଲିଭିଜନ୍ ଚ୍ୟାନେଲ୍ କିମ୍ବା କେବୁଲ୍ ନେଟ୍ୱାର୍କରେ ଏଭଳି ପ୍ରସ୍ତାବିତ ପ୍ରସାରଣର ଅନୁମାନିକ ମୂଲ୍ୟ ଏବଂ ଏହିପରି ପ୍ରତ୍ୟେକ ଥର ପ୍ରସାରଣ ପାଇଁ ଦରର ତାଲିକା ଇତ୍ୟାଦି ଦିଆଯିବ । ଯଦି କୋଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ବ୍ୟତିତ ଅନ୍ୟ କୋଣସି ବ୍ୟକ୍ତି ବିଜ୍ଞାପନ ଜାରି କରନ୍ତି ତେବେ ସେହି ବ୍ୟକ୍ତି ଶପଥରେ କହିବେଯେ, ଏହା ରାଜନୈତିକ ଦଳ କିମ୍ବା ପା୍ରର୍ଥୀଙ୍କ ହିତ ପାଇଁ ନୁହେଁ ଏବଂ ସେମାନଙ୍କ ଦ୍ୱାରା ପ୍ରୟୋଜିତ କିମ୍ବା କାର୍ଯ୍ୟକ୍ଷମ କିମ୍ବା ପ୍ରଦାନ କରାଯାଇ ନାହିଁ । ସମସ୍ତ ଦେୟ ଚେକ୍ କିମ୍ବା ଡ୍ରାପ୍ଟ ମାଧ୍ୟମରେ କରାଯିବ ବୋଲି ଏକ ବିବୃତି କିମ୍ବା ଘୋଷଣାନାମା ଦେବେ । ଲୋକସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୯୫ଲକ୍ଷ ଟଙ୍କା ଓ ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୪୦ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୭୭(୧)ରେ କୁହାଯାଇଛିଯେ, ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ତାରିଖ ଠାରୁ ନିର୍ବାଚନ ଫଳାଫଳ ଘୋଷଣା ତାରିଖ ପର୍ଯ୍ୟନ୍ତ ତାଙ୍କ ଦ୍ୱାରା କିମ୍ବା ତାଙ୍କ ନିର୍ବାଚନ ଏଜେଣ୍ଟଙ୍କ ଦ୍ୱାରା ହୋଇଥିବା କିମ୍ବା ଅନୁମୋଦିତ ହୋଇଥିବା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚର ଏକ ପୃଥକ ଏବଂ ସଠିକ୍ ହିସାବ ରଖିବା ଆବଶ୍ୟକ । ରାଜନୈତିକ ଦଳଗୁଡ଼ିକ ମଧ୍ୟ ନିର୍ବାଚନ ଖର୍ଚ୍ଚର ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ । ବିଧାନସଭା ନିର୍ବାଚନର ୭୫ ଦିନ ଓ ଲୋକସଭା ନିର୍ବାଚନର ୯୦ ଦିନ ମଧ୍ୟରେ ସମୁଦାୟ ଖର୍ଚ୍ଚର ସଠିକ ବିବରଣୀ ପ୍ରଦାନ କରିବେ । ସମସ୍ତ ଖବର କାଗଜ ଓ ସୋସିଆଲ୍ ମିଡିଆ ସମେତ ଇଲେକ୍ଟ୍ରୋନିକ୍ ମିଡିଆକୁ ଯାଞ୍ଝ କରି ଖବର ପ୍ରସାରଣ ଆଳରେ ରାଜନୈତିକ ବିଜ୍ଞାପନକୁ ଠାବ କରିବା ସହିତ ତା’ର ବାସ୍ତବ ଖର୍ଚ୍ଚକୁ ପ୍ରାର୍ଥୀମାନଙ୍କର ନିର୍ବାଚନ ହିସାବ ଖାତାରେ ଯୋଡ଼ିବା ପାଇଁ ନୋଟିସ୍ ଜାରି କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରାର୍ଥୀଙ୍କ ଦ୍ୱାରା କିମ୍ବା ତରଫରୁ କିମ୍ବା ଷ୍ଟାର ପ୍ରଚାରକ କିମ୍ବା ଅନ୍ୟମାନଙ୍କ ଦ୍ୱାରା ପ୍ରାର୍ଥୀଙ୍କ ନିର୍ବାଚନ ସମ୍ଭାବନାକୁ ପ୍ରଭାବିତ କରିବା ପାଇଁ ପ୍ରଚାର କିମ୍ବା ଆବେଦନ କିମ୍ବା ବିିଜ୍ଞାପନ ଏଥିରେ ଅନ୍ତର୍ଭୁକ୍ତ ହେବ । ପ୍ରିଣ୍ଟ ମିଡିଆରେ ଯଦି କୋଣସି ବିଜ୍ଞାପନ ପ୍ରାର୍ଥୀଙ୍କ ଅସମ୍ମତିରେ ପ୍ରକାଶିତ ହୋଇଥାଏ ତେବେ ଆଇ.ପି.ସି.ର ଧାରା ୧୭୧ ଏଚ୍ ଉଲଂଘନ ପାଇଁ ପ୍ରକାଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି, ଆର୍.ପି. ଆକ୍ଟ ୧୯୫୧ ଧାରା ୧୨୭ ଏ ଅନୁଯାୟୀ ସମସ୍ତ ନିର୍ବାଚନୀ ପାମ୍ପ୍ଲେଟ୍, ପୋଷ୍ଟର, ହ୍ୟାଣ୍ଡ୍ବିଲ୍, ଓ ଅନ୍ୟାନ୍ୟ ପ୍ରଚାର ପତ୍ରରେ ପ୍ରକାଶକ ଓ ପ୍ରିଣ୍ଟରଙ୍କ ନାମ, ଠିକଣା ଓ ମୁଦ୍ରିତ କପିର ସଂଖ୍ୟା ସମ୍ମୁଖ ଭାଗରେ ସ୍ଥାନ ପାଇବା ବାଧ୍ୟତାମୂଳକ । ଆଇ.ପି.ସି.ର ଧାରା ୧୭୧ ଏଚ୍ ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ବିନା ଅନୁମତିରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିବାକୁ ବାରଣ କରାଯାଇଛି । ଯଦି ସେପରି କରାଯାଏ, ଆର୍.ପି. ଆକ୍ଟ ୧୯୫୧ ଧାରା ୧୨୭ ଏ ଅନୁଯାୟୀ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୨ହଜାର ଟଙ୍କାର ଜୋରିମନା କିମ୍ବା ଉଭୟ ହୋଇପାରେ । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପ୍ରାର୍ଥୀମାନେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଉଲ୍ଲେଖ କରିବା ଆବଶ୍ୟକ । କନ୍ଧମାଳ ଜିଲ୍ଲା ଏମ୍.ସି.ଏମ୍.ସି.ର ସୋସିଆଲ୍ ମିଡିଆ ଆକାଉଣ୍ଟ ଏମ୍.ସି.ଏମ୍.ସି.,କନ୍ଧମାଳ ନାମରେ ରଖାଯାଇଛି । ନିର୍ବାଚନ ଘୋଷଣା ହେବା ଦିନଠାରୁ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ଜନସାଧାରଣ ଏହି ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡ଼ିକରେ ଅଭିଯୋଗ ପୋଷ୍ଟ କରିପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ, କନ୍ଧମାଳ ଜଣାଇଛନ୍ତି ।