ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନର ଦ୍ୱିତୀୟ ଦିବସ : ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ୨ ଜଣ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନରେ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବ୍ରହ୍ମପୁର ବିଧାନସଭା ପାଇଁ ୨ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭି. ଚନ୍ଦ୍ର ଶେଖର ନାଇଡୁ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ଣ୍ଣିଂ ଅଫିସର ମଧୁମିତାଙ୍କ ନିକଟରେ ପତ୍ର ଦାଖଲ କରିଥିଲେ । ସେହିପରି ଏହି ଲୋକସଭା ଆସନ ପାଇଁ ଏସୟୁସିଆଇ ପକ୍ଷରୁ ସୋମନାଥ ବେହେରା ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଶିବ ଶଙ୍କର ଦାଶ (ପିଣ୍ଟୁ)ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିପରି ଏହି ବିଧାନସଭା ଆସନ ପାଇଁ ଏସୟୁସିଆଇ ପକ୍ଷରୁ ନିମାଇଁ ଚରଣ ସାହୁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୧୮ ତାରିଖରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନରେ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ରିଟର୍ଣ୍ଣିଂ ଅଫିସର ମାନଙ୍କ କାର୍ଯ୍ୟାଳୟର ୧୦୦ ମିଟର ପର୍ଯ୍ୟନ୍ତ ବ୍ୟାରିକେଟ କରାଯାଇଥିବା ବେଳେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.