ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ, ୭ ଗୁରୁତର…

ହିଞ୍ଜିଳିକାଟୁ : ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଘଣ୍ଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଆରଏମସି ଛକ ନିକଟରେ ଦୂର୍ଘଟଣା ଘଟିଛି । ଅଟୋ ଚାଳକଙ୍କ ଅସାବଧାନତା ଯୋଗୁଁ ଯାତ୍ରୀବାହୀ ଅଟୋଟି ରାସ୍ତା ପ୍ୱାଶ୍ୱର୍ସ୍ଥ ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ଘଟିଛି । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ଅଟୋ ଚାଳକଙ୍କ ସମେତ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସୋରଡା ଥାନା ବିଷ୍ଣୁପୁର ଗ୍ରାମର ଅଟୋ ଚାଳକ ମୁନା ମୁନା ପ୍ରଧାନ(୩୫), ଯାତ୍ରୀ ଅକ୍ଷୟ ନାୟକ(୨୦), ଫକିର ନାୟକ(୫୨), ମାଧବ ପ୍ରଧାନ(୨୪), ମଙ୍ଗୁଳୁ ପ୍ରଧାନ(୨୯), ମୁନା ଗୌଡ(୩୩) ଓ ଖିଲିବାଡି ଗ୍ରାମର ମିଟୁ ଗୌଡ(୨୬) । ଖବର ପାଇ ହିଞ୍ଜିଳି ପୁଲିସ ଓ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଦୂର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୂର୍ଘଟଣା ପରେ ଯାତ୍ରୀବାହୀ ଅଟୋର ସମ୍ମୁଖ ଭାଗ ସହ ଚାଳକ ଜଣଙ୍କ ଚାପି ହୋଇ ରହିଥିବାରୁ ପୁଲିସ ଓ ଅଗ୍ନିଶମ ବହିନୀର ମିଳିତ ପ୍ରଚେଷ୍ଟାରେ ମଧ୍ୟ ଚାଳକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନଥିଲା । ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଳକ୍ଷ୍ମୀ ନାରାୟଣ ରଥ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଦୂର୍ଘଟଣା ସ୍ଥଳରେ ଚିକିତ୍ସା ସେବା ଯୋଗାଇ ଥିଲେ । ପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କଟର ମେସିନ ଯୋଗେ ଅଟୋକୁ କାଟି ଚାଳକଙ୍କୁ ଉଦ୍ଧାର କରିଥିଲେ । ଡାକ୍ତର ରଥଙ୍କ ଏଭଳି ସେବାକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଯେ, ଗୁରୁବାର ରାତିରେ ସୋରଡା ଥାନା ସୁରମଣିପାଟଣା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଷ୍ଣୁପୁର ଗ୍ରାମର ୭ ଜଣ ଯାତ୍ରୀ ସୁରତ ଯିବା ପାଇଁ ଯାତ୍ରୀବାହୀ ଅଟୋ()ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନକୁ ଯାଉଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ଆରଏମସି ଛକ ନିକଟରେ ଚାଳକଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ପ୍ୱାଶ୍ୱର୍ ଏକ ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ଘଟିଥିଲା । ଦୂର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.