ଦଣ୍ଡୁଆକୁ ନେଇ ଯାଉଥିବା ପିକପ ଭ୍ୟାନ ଦୁର୍ଘଟଣା : ୨ ମୃତ ୧୫ ଗୁରୁତର…


ହିଞ୍ଜିଳିକାଟୁ, ୬ା୨(): ଶନିବାର ଭୋର ପ୍ରାୟ ୪ ଘଣ୍ଟା ସମୟରେ ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ଦଣ୍ଡଭୁକ୍ତା ମାନଙ୍କୁ ନେଇ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ(ଓଡି୧୩ଜେ ୯୩୪୩) ଭାରସାମ୍ୟ ହରାଇ ଜାତୀୟ ରାଜପଥ ମଧ୍ୟସ୍ଥ ମେଡିୟାନକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଛି । ଦୂର୍ଘଟଣାରେ ୨ଜଣ ଦଣ୍ଡୁଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ଜଣ ଦଣ୍ଡୁଆଙ୍କ ଅବସ୍ଥା ଗୁରୁତର ଥିବାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ମୃତକ ଜଣଙ୍କ ହେଲେ ସୋରଡା ଥାନା କାଳିଆୁଡା ଗ୍ରାମର ସନ୍ୟାସି ନାୟକ, ଓ ତାମନାଡ ଗ୍ରାମର ଦିପକ ନାୟକ (୪୬) । ଗୁରୁତର ଆହତ ମାନେ ହେଲେ ଗାଙ୍ଗପୁର ଥାନା ଦହିମୁଣ୍ଡଳି ଗ୍ରାମର ଅର୍ନ୍ତର୍ଯ୍ୟାମି ନାୟକ(୫୦), ଭଗବାନ ଗୌଡ(୪୮), ଖଲିଆନା ପ୍ରଧାନ(୫୮), କୃଷ୍ଣ ବରଡ(୫୫), ବିନୋଦ କୁମାର ରାଉତ(୩୩). ଗାଙ୍ଗପୁର ଗ୍ରାମର ଗଙ୍ଗାଧର ଗୌଡ(୪୮), ବରଡା ଗ୍ରାମର ଶିବରାମ ରଣା(୫୬), ଯାତ୍ରାଶୁଣି ଗ୍ରାମର କୌଳାସ ଚନ୍ଦ୍ର ଗୌଡ(୪୧), ସିଲୁ ଗୌଡ(୩୨), ସାନଡୁଙ୍ଗା ଗ୍ରାମର କାର୍ତ୍ତିକ ନାୟକ(୪୭), ଅନିଲ ନାୟକ(୨୪), ସୁନାପାଲ୍ଲୀ ଗ୍ରାମର କାହ୍ନୁ ଚରଣ ଜେନା(୩୮), କେଶରୀ ଗ୍ରାମର ଟୁନା ଗୌଡ(୩୨), ସୋରଡା ଥାନା କାଳିଆଗୁଡା ଗ୍ରାମର ଟୁକୁନା ନାୟକ(୪୫), କୁଲାଙ୍ଗି ଗ୍ରାମର ପ୍ରମୋଦ ନାୟକ(୨୮), କୁଆଠିପଲ୍ଲୀ ଗ୍ରାମର ଶତୃଘ୍ନ ଗୌଡ(୬୫) ବୋଲି ଜଣାପଡିଛି । । ଖବର ପ୍ରଚାରିତ ହେବା ପରେ ମୃତ ଓ ଆହତଙ୍କ ସର୍ମ୍ପକୀୟ ମାନଙ୍କ ହିଞ୍ଜିଳିକାଟୁ ମେଡିକାଲକୁ ସୂଅ ଛୁଟିବା ସହ ମେଡିକାଲ ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା ।ପ୍ରକାଶ ଯେ, ଗାଙ୍ଗପୁର ଥାନା ପାଇଲିପଡା ପଞ୍ଚାୟତ ଦହିମୁଣ୍ଡଳି ଗ୍ରାମର ଦଣ୍ଡଭୁକ୍ତା ମାନେ ଶୁକ୍ରବାର ବ୍ରହ୍ମପୁର ଅଞ୍ଚଳରେ ଦଣ୍ଡ ପରିବେଷଣ କରି ଶନିବାର ଭୋରରୁ ଏକ ବୋଲେରୋ ପିକ୍‌ଅପ୍ ଭ୍ୟାନ ଯୋଗେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗ୍ରାମକୁ ଦଣ୍ଡ ପରିବେଷଣ କରିବା ପାଇଁ ଯାତ୍ରା କରୁଥିଲେ । ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଭ୍ୟାନ ଚାଳକଙ୍କ ଆଖି ଲାଗିଯିବାରୁ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ରାସ୍ତା ମଧ୍ୟସ୍ଥ ମେଡିୟାନକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା । ଖବର ପାଇ ହିଞ୍ଜିଳିକାଟୁ ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ କର୍ମଚାରୀ ଓ କିଛି ସ୍ୱେଛାସେବୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୧୫ ଜଣ ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ୨ ଦଣ୍ଡୁଆଙ୍କ ମୃତଦେହକୁ ପୁଲିସ ଜବତ କରିଛି । ଦୂର୍ଘଟଣାଗ୍ରସ୍ତ ଭ୍ୟାନକୁ ଜବତ କରି ପୁଲିସ କରିଛି । ୨ ଦଣ୍ଡୁଆଙ୍କ ମୃତଦେହକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.