କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଶରତ ଚନ୍ଦ୍ର ବୁରୁଦା

ମାଲକାନଗିରି : ମାଲକାନଗିରି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଶରତ ଚନ୍ଦ୍ର ବୁରୁଦା । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର । ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ଗତକାଲି କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସରିଛି । ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢିଙ୍କ ନାମ ଘୋଷଣା ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗୁ ଖିଲଙ୍କ ନାମ ଘୋଷଣା କରାଯାଇଛି । ତେବେ ଚିତ୍ରକୋଣ୍ଡାରେ ଅନେକ ଆଶାୟୀ ଥିଲେ ମଧ୍ୟ ପ୍ରଥମ ଦାବିଦାର ରହିଥିଲେ ଶରତ ଚନ୍ଦ୍ର ବୁରୁଦା । ଶରତଙ୍କୁ ଟିକଟ ନମିଳିବା ପରେ ସେ କହିଛନ୍ତି ଯେ ଓଡିଶା ପ୍ରଭାରୀ ଅଜୟ କୁମାର ତାଙ୍କୁ ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ମାଗିଥିଲେ 10 ଲକ୍ଷ ଟଙ୍କା ଅଗ୍ରୀମ ଦେବା ସହ ବାକି ଟଙ୍କା ଟିକଟ ମିଳିବା ପରେ ଦେବା ପାଇଁ କହିଥିଲେ ବୋଲି ଅଭିଯୋଗ ହୋଇଛି । ଏମିତି କି ସେ ହୋଟେଲରେ ଖାଇବା ବାବଦରେ ୮ ହଜାର ଟଙ୍କା ଫୋନ ପେ ମଧ୍ୟ କରିଥିବା ଅଭିଯୋଗ ହୋଇଛି ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଜିଲ୍ଲା କଂଗ୍ରେସ । ଆଜି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଶତର ଚନ୍ଦ୍ର ବୁରୁଦାଙ୍କ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି । କଂଗ୍ରେସ ପାର୍ଟି କେବେ ମଧ୍ୟ ଟଙ୍କା ନେଇ ଟିକଟ ବଣ୍ଟନ କରେନାହିଁ ବୋଲି ସେ କହିଛନ୍ତି । ଏହି ଘଟଣାକୁ ନେଇ ଶରତ ଚନ୍ଦ୍ର ବୁରୁଦା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।

nis-ad
Leave A Reply

Your email address will not be published.