୨୪ଘଣ୍ଟା ପାନୀୟ ଜଳ ଯୋଗାଣ ପ୍ରତିଶୃତି ନେଇ ବୁଦ୍ଧିଜୀବୀଙ୍କ ପ୍ରଶ୍ନ
ବ୍ରହ୍ମପୁର : ବ୍ରହ୍ମପୁର ସହରର ପ୍ରତି ଅଂଚଳକୁ ପିଇବା ପାଣି ନିୟମିତ ଯୋଗାଣ, ବର୍ଦ୍ଧିତ ଘର ଟିକସ ଛାଡ଼, ଏମକେସିଜି ମେଡିକାଲ ପରିସରରେ ପାର୍କିଂ ଫି ଆଦାୟ ବନ୍ଦ,ରୋଗୀଙ୍କ ସୁବିଧା ପାଇଁ ମେଡିକାଲର ଦ୍ୱିତୀୟ ଗେଟ ଖୋଲିବା ଆଦି ଚାରି ଦଫା ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟଯେ, ବ୍ରହ୍ମପୁର ସହରକୁ ୨୪ଘଣ୍ଟା ପିଇବା ପାଣି ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ନେଇ ଆଜି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସହରର ଅଧିକାଂଶ ଅଂଚଳରେ ସପ୍ତାହ ସପ୍ତାହ ବ୍ୟାପି ପିଇବା ପାଣି ଯୋଗାଣ ବନ୍ଦ ରହିଛି l ଯାହାଫଳରେ ଲୋକ ପାଣି ମାଠିଆଟିଏ ପାଇବା ମୁସ୍କିଲ ହୋଇପଡିଛି l କୋଭିଡ ସମୟରେ ନିଗମ କାଉନସିଲ ନଥିବା ବେଳେ ବ୍ରହ୍ମପୁର, କଟକ, ଭୁବନେଶ୍ୱର ତିନୋଟି ମହାନଗର ନିଗମରେ ଏକ କାଳିନ ବେନିୟମଭାବେ ଘର ଟିକସ ବୃଦ୍ଧି କରାଗଲା l ଲୋକଙ୍କ ପ୍ରତିକ୍ରିୟା ପରେ କଟକ, ଭୁବନେଶ୍ୱରରେ ବର୍ଦ୍ଧିତ ଟିକସକୁ ସରକାର ପ୍ରତ୍ୟାହାର କଲେ ଅଥଚ ବ୍ରହ୍ମପୁରରେ ବଳପୂର୍ବକ ଭାବେ ବର୍ଦ୍ଧିତ ଟିକସ ସଂଗ୍ରହ ଚାଲିଛି, ରାଜ୍ୟ ସରକାରଙ୍କ ଏହିପରି ପାତରଅନ୍ତର ନୀତିକୁ ଦୃଢ଼ ସମାଲୋଚନା କରାଯାଇଛି l ଓଡିଶାର କୌଣସି ମେଡିକାଲରେ ପାର୍କିଂ ଫି ଆଦାୟ ନ ଥିବା ବେଳେ ଏମକେସିଜି ମେଡିକାଲ ପରିସରରେ ବଳପୂର୍ବକ ଭାବେ ପାର୍କିଂ ଫି ଆଦାୟ କରାଯାଉଛି l ସୁରକ୍ଷା ନାଁ ରେ କୋଟି କୋଟି ଟଙ୍କା ବିନିଯୋଗରେ ସିସି ଟିଭି କ୍ୟାମେରା ଓ ସିକ୍ୟୁରିଟି ଗାର୍ଡ ମୁତୟନ କରି ପୁଣି ପାର୍କିଂ ଫି ଆଦାୟ ପଛରେ କେଉଁ ମାନଙ୍କର ସ୍ୱାର୍ଥ ରହିଛି ବୋଲି ମଞ୍ଚ କର୍ମକର୍ତ୍ତା ମାନେ ଆଜି ପ୍ରଶ୍ନ କରିଛନ୍ତି l ରୋଗୀଙ୍କୁ ଅତିଶୀଘ୍ର ହସ୍ପିଟାଲରେ ପହଂଚିବା ପାଇଁ ନୁଆଁ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ମେଡିକାଲର ଦ୍ୱିତୀୟ ଗେଟ ନିର୍ମାଣ କରାଯାଇଥିଲା, କିନ୍ତୁ ୫୦ଲକ୍ଷ ଟଙ୍କାରେ ନିର୍ମିତ ଉକ୍ତ ଗେଟ ଖୋଲାଯାଉନାହିଁ l ରୋଗୀ ବର୍ତମାନ ୪କିମି ରାସ୍ତା ଓ ଟ୍ରାଫିକର ଗହଳି ମଧ୍ୟରେ ହସ୍ପିଟାଲକୁ ଯାଉଛି l ଗୁରୁତର ରୋଗୀଙ୍କ ପାଇଁ ଏହା ବେଳେବେଳେ ପ୍ରାଣ ଘାତକ ହୋଇପଡୁଛି l ଏଣୁ ଜାଣିଶୁଣି ରୋଗୀଙ୍କ ଜୀବନ ସହ ଖେଳ ଖେଳିବାକୁ ମଞ୍ଚ ଦୃଢ଼ ନିନ୍ଦା କରିଛି l ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରି କେବଳ ରୋଗୀଙ୍କ ପାଇଁ ଉକ୍ତ ଗେଟ କୁ ତୁରନ୍ତ ଖୋଲିବା ପାଇଁ ଦାବୀ ହୋଇଛି l ଚାରୋଟି ପ୍ରମୁଖ ଦାବୀ ସମାଧାନ ନହେଲେ ମଞ୍ଚ ରାଜରାସ୍ତକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ନେତୃତ୍ୱରେ ଗଗନ ଚନ୍ଦ୍ର ମଲ୍ଲିକ, ସୁବାଷ ଚନ୍ଦ୍ର ମିଶ୍ର,ବଂଶୀଧର ଭୂୟାଁ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବି. ମହେଶ୍ୱର ସୁବୁଦ୍ଧି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l