ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି: ରାଜନାଥ ସିଂହ

 ସାରା ଦେଶରେ ମୋଦି ଗ୍ୟାରେଂଟି ଉପରେ ଲୋକଙ୍କ ଭରସା ବଢ଼ିଛି
 ୨୦୨୪ରେ ଓଡ଼ିଶାରେ ସରକାର ହେଲେ ଘର ପାଇବାରୁ ବଂଚିତ ହୋଇଥିବା ଲୋକଙ୍କୁ ମାଗଣା ଘର ମିଳିବ
 ୨୦୪୭ ସୁଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ
 ଭ୍ରଷ୍ଟାଚାର ଦୂର କରିବାକୁ ସାହସ ଓ ଭିଜନ ଦରକାର, ଯାହା ମୋଦିଜୀଙ୍କ ପାଖରେ ଅଛି
 ବିଜେପି ପ୍ରତି ୨୦୧୪, ୨୦୧୯ଠାରୁ ଅଧିକ ଉତ୍ସାହ ଏବେ ଓଡିଶାରେ ଦେଖିବାକୁ ମିଳୁଛି
 ଏଥର ୪ଶହରୁ ଅଧିକ ସିଟ୍ ହାସଲ କରିବ ବିଜେପି
 ଓଡିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ

ଭୁବନେଶ୍ୱର/ବ୍ରହ୍ମପୁର : ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବ । ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେପି ଭଲ ପ୍ରଦର୍ଶନ କରିବ, ସାଂସଦ ଓ ବିଧାୟକଙ୍କ ସଂଖ୍ୟା ବହୁତ ଅଧିକ ବଢ଼ିବ । କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ହେବ ଏବଂ ଓଡ଼ିଶାରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ । ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକିପାରିବେନି ବୋଲି ଆଜି ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ।
ସାରା ଦେଶରେ ମୋଦି ଗ୍ୟାରେଂଟି ଉପରେ ଲୋକଙ୍କ ଭରସା ବଢ଼ିଛି । ୯ବର୍ଷରେ ମୋଦି ୨୫କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ମାତ୍ର ୯ବର୍ଷ ଭିତରେ ବିଶ୍ୱ ଅର୍ଥନୀତିରେ ଭାରତକୁ ୧୧ସ୍ଥାନରୁୁ ୫ସ୍ଥାନକୁ ନେଇପାରିଛନ୍ତି । ଆଗାମୀ ୩ବର୍ଷ ଭିତରେ ଆମେ ତୃତୀୟ ବଡ ଅର୍ଥନୀତି ହେବୁ । ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ୨୦୪୭ସୁଧା ଭାରତକୁ ଏକ ବିକଶିତ ଦେଶରେ ଗଢ଼ି ତୋଳିବା । ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ । ଆମ ସରକାର ଡରିକି ନୁହେଁ, ହିମ୍ମତର ସହ କାମ କରେ । ଭ୍ରଷ୍ଟାଚାର ଦୂର କରିବାକୁ ସାହସ ଓ ଭିଜନ ଦରକାର । ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ସେହି ସାହସ ଅଛି, ଭିଜନ ବି ଅଛି ।
ଓଡିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ରେ ସାରା ବିଶ୍ୱ ଦେଖିଲା । ଜି-୨୦ରେ ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଧରୋହର କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ । ୧୦ବର୍ଷରେ ଓଡିଶାର ୨୫ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । ଯାହାକୁ ପକ୍କା ଘର ମିଳିନଥିବ ଓଡ଼ିଶାରେ ବିଜେପି ସରକାର ଆସିଲେ ନିଶ୍ଚିତ ମିଳିବ । ବିଜେପି ପ୍ରତି ୨୦୧୪, ୨୦୧୯ଠାରୁ ଅଧିକ ଉତ୍ସାହ ଏବେ ଓଡିଶାରେ ଦେଖିବାକୁ ମିଳୁଛି । ଆଜି କର୍ମକର୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି କେହି “ଡବଲ ଇଞ୍ଜନ ସରକାର ଗଠନ” କରିବାକୁ ରୋକି ପାରିବେନି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ଶହରୁ ଅଧିକ ସିଟ୍ ହାସଲ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ସିଂହ କହିଛନ୍ତି ।
ଓଡିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡିଶା ସହ ସର୍ବଦା ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ । ୟୁପିଏ ସରକାର ୧୦ବର୍ଷରେ ଓଡିଶାକୁ ୩ଲକ୍ଷ କୋଟି ଦେଇଥିଲା । ୯ବର୍ଷରେ ମୋଦି ସରକାର ଓଡିଶାକୁ ୧୮ଲକ୍ଷ କୋଟି ଦେଇଛନ୍ତି । କଂଗ୍ରେସ ସମୟରେ ବଡ ବଡ ପ୍ରକଳ୍ପ କେବଳ ଶିଳାନ୍ୟାସ ହେଉଥିଲା । ଶିଳାନ୍ୟାସ କରି ପଳାଉଥିଲା କଂଗ୍ରେସ, କେବେ ଉଦ୍‌ଘାଟନ ହେଉନଥିଲା । ମୋଦି ଶିଳାନ୍ୟାସ କରନ୍ତି, କାମ ସାରି ଉଦଘାଟନ ବି କରନ୍ତି । ଓଡିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । ଓଡ଼ିଶାର ୭୮ଭାଗ ଲୋକ ମୋଦି ସରକାରଙ୍କ ଯୋଜନା ମୁତାବକ ମାସକୁ ସମ୍ପୂର୍ଣ୍ଣ ମାଗଣାରେ ୫କେଜି ଲେଖାଏଁ ଚାଉଳ ପାଉଛନ୍ତି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ନିୟମିତ ମାସିକ ୩ଟି କିସ୍ତିରେ ୬ହଜାର ଟଙ୍କା ଦେଉଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୪ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ମିଳିଛି ବୋଲି ଶ୍ରୀ ସିଂହ କହିଛନ୍ତି ।
ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, କେ ନାରାୟଣ ରାଓ, ଜୟନ୍ତ ଷଡଙ୍ଗୀ, ୫ ସଂସଦୀୟ କ୍ଷେତ୍ର ଯଥା-ପୁରୀ, ଭୁବନେଶ୍ୱର, ଆସ୍କା, କନ୍ଧମାଳ କ୍ଷେତ୍ରରୁ ଆସିଥିବା ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି, ପ୍ରଭାରୀ, ଲୋକସଭା ପ୍ରଭାରୀ, ଲୋକସଭା ସଂଯୋଜକ, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.