କୁରାଳ ସୋସାଇଟ ଜମାକାରୀ ଜମା ଟଙ୍କା ଫେରି ପାଇଲେ…

ନୟାଗଡ଼: ଓଡ଼ଗାଁ ବ୍ଲକ ଅଧିନସ୍ଥ କୁରାଳ ସେବା ସମବାୟ ସମିତିରେ ବିଳମ୍ବରେ ହେଲେ ମଧ୍ୟ ଜମାକାରୀ ମାନେ ଜମା ଟଙ୍କା ପାଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ୩୧ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର କୁମାର ସାହୁ, ରାଜ୍ୟ ସମବାୟ ସମିତି ସମୂହ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ସମବାୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ଜେନା, ନିତ୍ୟାନନ୍ଦ ପ୍ରଧାନ, କୁରାଳ ସରପଞ୍ଚ ବିଜନ ପାଇକରାୟ, କୁରାଳ ସେବା ସମବାୟ ସମିତି ସଭାପତି କାହୁଁ ଚରଣ ପଣ୍ଡା, ସମ୍ପାଦକ ଲିଙ୍ଗରାଜ ସାହୁଙ୍କ ଉପସ୍ଥିତିରେ ୧ଶହ ରୁ ୧୦ ହଜାର ଜମା କରିଥିବା ୩୧ଜଣ ଜମାକାରୀଙ୍କୁ ସମୁଦାୟ ୧ଲକ୍ଷ ୮ହଜାର ୧୮ଟଙ୍କା ଫେରସ୍ତ କରାଯାଇଛି । ସୂଚନା ଅନୁଯାୟୀ ୫ବର୍ଷ ପୂର୍ବେ କୁରାଳ ପ୍ୟାକ୍ସର ତତ୍କାଳୀନ ସମ୍ପାଦକ କାଳୁଚରଣ ରାଉତ ଶହଶହ ଜମାକାରୀ ଙ୍କ ଏସବି ଓ ଫିକ୍ସ ଡିପୋଜିଟ ସମୁଦାୟ ୬କୋଟି ୪୨ଲକ୍ଷ ୭୧ହଜାର୫୫୯ ଟଙ୍କା ଆତ୍ମସାତ କରିଥିଲେ । ଚାଷୀ ମାନେ ସେମାନଙ୍କ ଟଙ୍କା ପାଇବା ପାଇଁ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଠାରୁ ଆରମ୍ଭ କରି ଓଡ଼ଗାଁ ଓ କୁରାଳ ସୋସାଇଟି ରେ ଅନେକ ଥର ଧାରଣାରେ ବସିଥିଲେ । ଏହି ଘଟଣାରେ ସମବାୟ ବିଭାଗ ଏକାଧିକ କର୍ମଚାରୀ ଙ୍କୁ ନିଲମ୍ବନ କରିଥିଲା । ନୟାଗଡ଼ ARCS କାର୍ଯ୍ୟାଳୟ ର ପୂର୍ବତନ ଏସଏଆରସିଏସ ପାଣୁ ଚରଣ ସାହୁ, ପୂର୍ବତନ ଏସଏଆରସିଏସ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, କୁରାଳ ପ୍ୟାକ୍ସର ଆଡିଟର ସୁଶାନ୍ତ କୁମାର ଦାସଙ୍କ ନାମରେ ଚାର୍ଜଫ୍ରେମ୍ ଦାଖଲ କରି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବାକୁ ରାଜ୍ୟ ସମବାୟ ବିଭାଗ ତରଫରୁ ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୩ ମସିହା ଡିସେମ୍ବର ୨୧ ତାରିଖରେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କ ନେତୃତ୍ବରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଅଧ୍ୟକ୍ଷତା ରେ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସମବାୟ ବିଭାଗ ନିବନ୍ଧକ ଦୁର୍ନୀତିରେ ସାମିଲ ଥିବା କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଚାଷୀ ମାନଙ୍କ ଜମା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ କୁରାଳ ପ୍ୟାକ୍ସ ର ପୂର୍ବତନ ସମ୍ପାଦକ କାଲୁ ଚରଣ ରାଉତଙ୍କ ନାମରେ ଏଫଆଇଆର ସହିତ ତାଙ୍କର ସମସ୍ତ ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ , ଦୁର୍ନୀତି ରେ ସାମିଲ ଥିବା ନୟାଗଡ଼ ଏସଏଆରସିଏସ କାର୍ଯ୍ୟଳୟ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ର କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁରୀ ଡିଆରସିଏସ, ନୟାଗଡ଼ ଏଆରସିଏସ, ଅତିରିକ୍ତ ଆରସିଏମ, ଏବଂ ପ୍ରଶାସନିକ କମିଟି କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.