ସରକାରୀ ଆଇଟିଆଇ ଫୁଲବାଣୀରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତି ଆଲୋଚନାଚକ୍ର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରମହକୁମାସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଏବଂ ଓଡ଼ିଶା ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅଧିନରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଫୁଲବାଣୀ ଆଇଟିଆଇ ଆଇଏମସି ଚେୟାରମେନ ଶ୍ରୀ ନୀଳମାଧବ ମିଶ୍ର, ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ର ଓ ଫୁଲବାଣୀ ଆଇଟିଆଇ ଅଧ୍ୟକ୍ଷ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡଃ ଶ୍ରୀ ନୃସିଂହାନନ୍ଦ ମହାପାତ୍ରଙ୍କ ଦ୍ଵାରା ଉଚ୍ଚାରିତ ବୈଦିକ ମନ୍ତ୍ରର ବେଦ ଧ୍ଵନି ମଧ୍ୟରେ ଅତିଥିମାନେ ଜଗତର ନାଥ ଶ୍ରୀଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ସ୍ଵାଗତ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ଅଧ୍ୟାପକ ଶ୍ରୀ ସୋଲମୋନ୍ ସାହୁ । ଓଡ଼ିଆ ସାହିତ୍ୟର ଗାରିମାମୟ ଅତୀତ ଓ ଗୌରବମୟ ବର୍ତ୍ତମାନ ଏବଂ ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଉଜ୍ଜଳମୟ କରିବାର ପରମ୍ପରା ଓ ତରିକା ସମ୍ଵନ୍ଧରେ ମୁଖ୍ୟ ଅତିଥି ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ ବିଷଦ୍ ଆଲୋଚନା କରିଥିଲେ ।

ସମ୍ମାନିତ ଅତିଥି ଶ୍ରୀ ନୀଳମାଧବ ମିଶ୍ର ସାମ୍ପ୍ରତିକ ସମାଜ ଓ ଜୀବନକୁ ସାହିତ୍ଯ କିଭଳି ସରସ ସୁନ୍ଦର ଓ ରସମୟ କରିଛି ତାହାର ବ୍ୟାଖ୍ୟା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ପୁରୁଷୋତ୍ତମ ମହାପାତ୍ର ସାହିତ୍ୟ ଉପରେ ଅଧିକ ଗବେଷଣା ଓଡ଼ିଆ ଭାଷାକୁ କିଭଳି ବିଶ୍ଵ ସ୍ତରରେ ପ୍ରସିଦ୍ଧି କରାଇପାରିବ ଓ ଯୁବବର୍ଗଙ୍କର ଓଡ଼ିଆ ସାହିତ୍ୟ ଦକ୍ଷତା ବୃଦ୍ଧି କରିବ ତାହା ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ବୈଷୟିକ ଶିକ୍ଷା ସହିତ ଓଡ଼ିଆ ସାହିତ୍ୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ଆଇଟିଆଇର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କିଭଳି ଓଡ଼ିଆ ସାହିତ୍ୟ ଅଧିକରୁ ଅଧିକ ଲୋକପ୍ରିୟ ହେଇପାରିବ ତାହାର ବ୍ୟାଖ୍ୟା କରିଥିଲେ ।
ସେହିପରି ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ରରେ ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ, ପ୍ରଣତୀ ତ୍ରିପାଠୀ ଓ ପୂର୍ଣ୍ଣେନ୍ଦୁ ତ୍ରିପାଠୀ ଓ ନୃସିଂହାନନ୍ଦ ମହାପାତ୍ର ଅଂଶଗ୍ରହଣ କରି ଓଡ଼ିଆ ଜାତି ଓ ଜଗନ୍ନାଥ ସଂସ୍କୃତି ଉପରେ ବ୍ୟାପକ ଚର୍ଚ୍ଚା କରିଥିଲେ । ଜଗନ୍ନାଥ ସଂସ୍କୃତି କିଭଳି ଓଡ଼ିଆ ଜାତିକୁ ଉଚ୍ଚରୁ ଉଚ୍ଚତମ ସ୍ଥାନକୁ ନେଇଛି ଏବଂ ଓଡ଼ିଆ ଜାତି ମଧ୍ୟରେ ଜଗନ୍ନାଥ ସଂସ୍କୃତି କିଭଳି ବ୍ୟାପକ ପ୍ରଭାବ ପକାଇଛି ତାହାର ବିଷଦ୍ ଆଲୋଚନା କରିଥିଲେ । ପରେ ପରେ ଅନୁଷ୍ଠାନରେ ଆୟୋଜିତ ହୋଇଥିବା ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟାପକ ଶ୍ରୀ ସୋଲମୋନ୍ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀ କୁମାର ଗୌରବ ମହାପାତ୍ର, ଶ୍ରୀ ନିଶିକାନ୍ତ ପ୍ରଧାନ, ଶ୍ରୀ ରଶ୍ମୀରଂଜନ ବିଶ୍ଵାଳ, ସ୍ମୃତି ରଂଜନ ଦାଶ୍ ଓ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ଯାପିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଶ୍ରୀ ନୃସିଂହାନନ୍ଦ ମହାପାତ୍ର ସମସ୍ତ ଅତିଥି ତଥା ଉପସ୍ଥିତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.