ମୁଲୁକଚେରୀ-ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଲଟିଛି ମରଣଜନ୍ତା

ଦାରିଙ୍ଗବାଡି,୧/୨, ପ୍ରତ୍ୟେକ ଦିନ ରାସ୍ତାରେ ଶହ ଶହ ଲୋକ ଯାତାୟାତ କରୁଛନ୍ତି । ହେଲେ ଯାତାୟାତ ରାସ୍ତା ଅବସ୍ଥା ନକହିବା ଭଲ । ଘାଟି ପାହାଡ଼ ଦେଇ ଯାଇଥିବା ଖାଲଖମା ରାସ୍ତା ଲୋକଙ୍କ ପାଇଁ ଏବେ ବିପଦ ସଙ୍କୁଳ ପାଲଟିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଚି। ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ। ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ମୁକଚେରି ଛକ ଠାରୁ ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା । ଦୀର୍ଘ ୨୦ କିଲୋମିଟର ରାସ୍ତା ଅବସ୍ଥା ନକହିବା ଭଲ । ରାସ୍ତା ସାରା ଖାଲଖମାରେ ଭର୍ତି । ରାସ୍ତାରେ ଗୁଡ଼ି ସହ ମେଟାଲ ବାହାରି ରହିଛି। ମୁଲକଚେରି ଠାରୁ ବିରାଗାଡ଼ା ରାସ୍ତା ମଧ୍ୟରେ ବଡ ବଡ ଖାଲଖମା ହୋଇଥିବା ବେଳେ ଦନେକବାଡ଼ି ଠାରୁ ସିର୍କାବର୍ଗ ରାସ୍ତା ଘାଟି ପାହାଡ଼ ରାସ୍ତା ହୋଇଥିବା ବେଳେ ପ୍ରତ୍ୟେକ ବୁଲାଣିରେ ରାସ୍ତାର ସମ୍ପୂର୍ଣ୍ଣ ପିଚୁ ଉଠିଯାଇଛି । ଫଳରେ ଗୁଡ଼ି ବାହାରି ରହିଛି । ଲୋକେ ଯାତାୟାତ ବେଳେ ଗାଡ଼ି ଚକାରେ ଗୁଡ଼ି ବାଜିବା ଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି । ୩ ଦିନ ମଧ୍ୟରେ ଉକ୍ତ ଘାଟି ରାସ୍ତାରେ ୨ ଜଣ ଶିକ୍ଷୟତ୍ରୀ ସ୍କୁଟିରୁ ପଡ଼ି ଆହତ ହୋଇଥିବା ବେଳେ ସିର୍କାବର୍ଗର ଦୁଇ ଜଣ ଲୋକ ବାଇକ୍ରେ ଯିବା ବେଳେ ଗାଡ଼ି ଚକା ଖସି ଯାଇ ଦୁର୍ଘଟଣା ଘଟି ଆହତ ହୋଇଛନ୍ତି । ଗୋଟିଏ ମାସ ମଧ୍ୟରେ ଉକ୍ତ ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । କେତେବେଳେ ଯେ କାହାରି ଦୁର୍ଘଟଣାରେ ଜୀବନ ଯିବ ତାହା କିଛି କହିହେବ ନାହିଁ। ଉକ୍ତ ରାସ୍ତା ଉପରେ ସିର୍କାବର୍ଗ ପଞ୍ଚାୟତର ପ୍ରାୟ ୪ ହଜାର ଲୋକ, ଦନେକବାଡ଼ି ପଞ୍ଚାୟତର ଅନୁରୂପ ହଜାର ରୁ ଉର୍ଦ୍ଧ ଲୋକ ଓ କୋଟଗଡ ବ୍ଲକ ଅଞ୍ଚଳ ଲୋକ ନିର୍ଭର କରିଥାନ୍ତି । ହେଲେ ରାସ୍ତା ଅବସ୍ଥା ଭଲ ନଥିବା ଯୋଗୁଁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ସିର୍କାବର୍ଗ ଓ ଦନେକବାଡ଼ି ଗ୍ରାମବାସୀ ଅନେକ୍ ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ। ବରଂ ଦିନ କୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଯଥା ଶୀଘ୍ର ଉକ୍ତ ରାସ୍ତାର ମରାମତି କରାଯିବା ପାଇଁ ଅଞ୍ଚଳବାସି ଦାବି କରିଥିବା ବେଳେ ଶୀଘ୍ର ମରାମତି କରାନଗଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ରହିଛି।

nis-ad
Leave A Reply

Your email address will not be published.