ମାତାଲ ଡ଼୍ରାଇଭରଙ୍କ ସିରିଜ ଦୁର୍ଘଟଣା

ହିଞ୍ଜିଳିକାଟୁ, ୩୧/୧: ବୁଧବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ଜଣେ ମଦ୍ୟପ କାର ଚାଳକ ସିରିଜ ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଦୁର୍ଘଟଣାରେ ବଡ ଧରଣର କ୍ଷୟକ୍ଷତି ଘଟିନଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ କାରଟି କ୍ଷତିଗ୍ରସ୍ତ ହୋଇଛି। ପ୍ରକାଶ ଯେ, ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା ସମୟରେ ବ୍ରହ୍ମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର (ଓଡି୦୨ ସିଏନ ୪୮୦୭) ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟରେ ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ ପଛପଟକୁ ଧକ୍କା ଦେଇଥିଲା। ସେଠାରେ ଉଭୟ ଗାଡି ଚାଳକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପରେ କିଛି ଦୂରରେ କାର ସହ ୨ଟି ମୋଟର ସାଇକେଲ ସହ ଧକ୍କା ହୋଇଥିଲା। ପରେ କାର ଚାଳକ ଜଣଙ୍କ ସାରୁ ଛକରେ ଥିବା ପୁଲିସ ଷ୍ଟପ ବ୍ରେକରକୁ ଧକ୍କା ଦେବାରୁ କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହେବା ସହ ଚାଳକ ଜଣଙ୍କ ମାତାଲ ଅବସ୍ଥାରେ ଗାଡିରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଖବର ପାଇ ହିଞ୍ଜିଳି ପୁଲିସ କାର ଗାଡିକୁ ଜାତୀୟ ରାଜପଥ ଉପରୁ ହଟାଇ ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ମାତାଲ ଅବସ୍ଥାରେ ଥିବା କାର ଚାଳକଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି। ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ବିଦେଶୀ ମଦ ଦୋକାନ ସମ୍ମୁଖରେ ବିଭିନ୍ନ ଗାଡି ଚାଳକ ମାନେ ପାର୍କିଂ କରି ଗାଡି ଭିତରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି। ଏଥି ପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

nis-ad
Leave A Reply

Your email address will not be published.