ଦାବୀ ପୂରଣରେ ବିଳମ୍ବନା କୁ ନେଇ ପ୍ରତିବାଦ:ପାରପୋଷି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ ସଂଘ…

ଦେବଗଡ଼,୩୧ା୧:ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଯୋଗୁଁ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ତିଲେଇବଣି ବ୍ଲକ ଅନ୍ତର୍ଗତ ପାରପୋଷି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଆଜି ପୂର୍ବାହ୍ନରେ ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ସଭାପତି ସେମ ହେମ୍ରମ , ସମ୍ପାଦକ ଗୁଣନିଧି ବେହେରା, ଯୁଧିଷ୍ଠିର ପ୍ରଧାନ ଓ ଅନିଲ ଲାକ୍ରାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ବହୁ ଚାଷୀ ପାରପୋଷି ଗ୍ରାମରେ ରୁଣ୍ଡ ହେବାସହ ପାରପୋଷି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିସହ ପାରପୋଷି ରାଜସ୍ୱ ସର୍କଲ ଅଧିନସ୍ଥ ପାରପୋଷି,ଝରାଗୋଗୁଆ ଓ ଝାରମୁଣ୍ଡା ଆଦି ୩ଟି ଯାକ ଗ୍ରାମ ପଂଚାୟତରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଦାବୀ ପୂରଣ ନିମନ୍ତେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ରାଜସ୍ୱ ନିରୀକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିସହ ଏକ ସପ୍ତାହ ମଧ୍ୟରେ ଦାବୀ ପୂରଣ ନହେଲେ ସଂଘର୍ଷ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଲିଖିତ ଚେତାବନୀ ଦିଆଯାଇଥିଲା । ଜିଲା କୃଷକ ସଂଘର୍ଷ ସଂଘର ଅଭିଯୋଗ ଅନୁଯାୟୀ ଗତ ୨୦୨୩ ମସିହା ନଭେମ୍ବର ୨୨ ତାରିଖ ଦିନ ଉପରୋକ୍ତ ୫ ଦଫା ଦାବୀ ନେଇ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦରଖାସ୍ତ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି ଦାବୀ ପୁରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷରେ ଜିଲାର ରାଜସ୍ୱ ନିରୀକ୍ଷକ ମାନେ ଆବେଦନକାରୀ ମାନଙ୍କ ଦରଖାସ୍ତ ଆଧାରରେ ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏଣୁ ହାର ପ୍ରତିବାଦରେ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଏଭଳି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଓ ଅବିଳମ୍ବେ ଦାବୀ ପୂରଣ କରାନଗଲେ ପର୍ଯ୍ୟାୟ କ୍ରମେ ଜିଲାର ଅନ୍ୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସଂଘର୍ଷ ସଂଘର ସଭାପତି ଶ୍ରୀ ହେମ୍ରମ ଗଣମାଧ୍ୟମ ସମ୍ମୂଖରେ ପ୍ରକାଶ କରିଛନ୍ତି । ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ପାରପୋଷି, ଝରାଗୋଗୁଆ ଓ ଝାରମୁଣ୍ଡା ଗ୍ରାମ ପଂଚାୟତର ବହୁ ଚାଷୀ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.