ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶୀକାର…

କୋଡି ମାଡରେ ୨ ଫାଇନାନ୍ସ କର୍ମଚାରୀ ଗୁରୁତର, ଥାନାରେ ୨ ମାମଲା ରୁଜୁ, ଆକ୍ରମଣକାରୀ ଗିରଫ
ହିଞ୍ଜିଳିକାଟୁ (୨୩ା୧) : ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶୀକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ୱାମୀ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ କୋଡିରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା ପରିଚାଳକ ନବକିଶୋର ସାହୁ ଓ ସହକାରୀ ଶାଖା ପରିଚାଳକ ପ୍ରତାପ ବାରିକ । ପ୍ରକାଶ ଯେ, ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ବାସନ୍ତି ନାୟକ ଗତ ୧ବର୍ଷ ପୂର୍ବେ ସଟିନ କ୍ରେଡିଟ କେୟାର ନେଟୱାର୍କ ଲିମିଟିଡେ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ହିଞ୍ଜିଳିକାଟୁ ଶାଖାରୁ ୪୦ ହଜାର ଟଙ୍କା ଋଣ ଆଣିଥିଲେ । ସୋମବାର ସକାଳେ ବାସନ୍ତି ଋଣ ଅର୍ଥର ମାସିକ କିସ୍ତି ପ୍ରଦାନ କରିବା ନେଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ଫୋନ ଯୋଗେ ଡାକିଥିଲେ । ଖବର ପାଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକ ବଳରାମପୁର ଗ୍ରାମରେ ପହଞ୍ଚି ବାସନ୍ତିଙ୍କୁ ଋଣ ଟଙ୍କାର ମାସିକ କିସ୍ତି ଅର୍ଥ ମାଗିଥିଲେ । କିନ୍ତୁ ମହିଳା ଜଣଙ୍କ ପାଖରେ ଅର୍ଥ ନଥିବା ଏବଂ ତାଙ୍କ ସ୍ୱାମୀ ଆସିଲେ ପ୍ରଦାନ କରିବେ ବୋଲି କହିଥିଲେ ଫଳରେ ୨ କର୍ମଚାରୀ ଫେରି ଆସିଥିଲେ । ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ବାସନ୍ତି ପୁଣି ଋଣ ଅର୍ଥର ମାସିକ କିସ୍ତି ଦେବେ ବୋଲି କହି ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ଫୋନ ଯୋଗେ ଡାକିଥିଲେ । ଫଳରେ ୨ କର୍ମଚାରୀ ବଳରାମପୁର ଗ୍ରାମରେ ପହଞ୍ଚି ବାସନ୍ତିଙ୍କୁ ଋଣ ଅର୍ଥର ମାସିକ କିସ୍ତି ଟଙ୍କା ମାଗିଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାମୀ ସିମାଞ୍ଚଳ ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ହୋଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ଏକ କୋଡିରେ ଆକ୍ରମଣ କରିଥଲେ । ଆକ୍ରମଣରେ ୨ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ କମ୍ପାନୀର ଏରିଆ ମ୍ୟାନେଜର ବିଶ୍ୱଜିତ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶାଖା ପରିଚାଳକ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୂବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଥିଲା । ଘଟଣା ନେଇ ମଙ୍ଗଳବାର ଏରିୟା ମ୍ୟାନେଜର ବିଶ୍ୱଜିତ ମହାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୩/୨୪ରେ ଏକ ମାମଲା ରୁଜୁ କରି ପୁଲିସ ବଳରାମପୁର ଗ୍ରାମରେ ପହଞ୍ଚି ଆକ୍ରମଣକାରୀ ସିମାଞ୍ଚଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ, ଆଇ. ସୁନିଳ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଘରେ ମହିଳା (ବାସନ୍ତି ନାୟକ)ଜଣଙ୍କ ଏକାକୀ ଥିବାର ସୁଯୋଗ ନେଇ ୨ ଫାଇନାନ୍ସ କର୍ମଚାରୀ ମହିଳାଙ୍କୁ ଅସଦଚାରଣ କରିଥିବା ନେଇ ବାସନ୍ତି ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.