କନ୍ଧମାଳ ସଂସଦୀୟକ୍ଷେତ୍ରରେ ସଫଳତାର ସହ ଆୟୋଜିତ ହେଲା ମେଗା ନିଯୁକ୍ତି ମେଳା

ଫୁଲବାଣୀ: ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀ ଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏଥିରେ କନ୍ଧମାଳଜିଲ୍ଲାର ସମସ୍ତ ବ୍ଲକ୍‌, ବୌଦ୍ଧ ଜିଲ୍ଲାର ବୌଦ୍ଧ,ହରଭଙ୍ଗା ଓ କଂଟାମାଳ ବ୍ଲକ୍‌, ନୟାଗଡ଼ ଜିଲ୍ଲାର ଗଣିଆ, ଦଶପଲ୍ଲା ଓ ନୂଆଗାଁ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକ୍‌ରୁ ୨୦ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଯୋଗଦେଇଥିଲେ । ସେଥି ମଧ୍ୟରୁ ଗୋଟିଏ ଦିନରେ ମୋଟ ୧୩ ହଜାର ୫ଶହ ପ୍ରାର୍ଥୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି । ଓଡ଼ିଶାର ବିଭିନ୍ନ କମ୍ପାନୀ ରେ ନିଯୁକ୍ତି ପାଇଁ ୩ହଜାର ୫ଶହ ଜଣ ମନୋନୀତ ହୋଇଥିବା ବେଳେ ଭାରତର ଅନ୍ୟ କମ୍ପାନୀ ମାନେ ୧୦ ହଜାର ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି । ସେମାନଙ୍କ ସର୍ବନିମ୍ନ ମାସିକ ବେତନ ୧୨ ହଜାର ଟଙ୍କା ଥିବାବେଳେ ସର୍ବାଧିକ ୩୫ ହଜାର ଟଙ୍କା ପ୍ରଦାନ କରାଯିବ ଓଡ଼ିଶାର ୪୦ଟି କମ୍ପାନୀ ସମେତ ସମଗ୍ର ଦେଶରୁ ୧୨୦ଟି କମ୍ପାନୀ ଓ ଶିଳ୍ପ ସଂସ୍ଥା ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିଲେ । ସେମାନଙ୍କ ପାଇଁ ୧୨୦ଟି ଷ୍ଟଲ୍ ଖୋଲାଯାଇ ପ୍ରାର୍ଥୀ ଚୟନର ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ବ୍ଲକ୍‌ରେ ୧୨ ହଜାର ପଞ୍ଜୀକରଣ ହୋଇଥିବା ବେଳେ ସ୍ପଟ୍ ପଞ୍ଜୀକରଣ ଓ ଅନ୍ୟାନ୍ୟ ପଞ୍ଜୀକରଣ ମିଶାଇ ପ୍ରାୟ ୨୦ ହଜାର ପଞ୍ଜୀକରଣ ହୋଇଥିଲା । ପ୍ରତି ବ୍ଲକ୍‌ରୁ କନ୍ଧମାଳ ଷ୍ଟାଡିୟମ ପର୍ଯ୍ୟନ୍ତ ସେମାନଙ୍କୁ ଆଣିବା ପାଇଁ ୪ଶହ ସ୍ୱତନ୍ତ୍ର ବସ୍ ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଥିଲା । ସକାଳ ୮ ଟାରୁ ପ୍ରାର୍ଥୀମାନେ କନ୍ଧମାଳ ଷ୍ଟାଡିୟମରେ ପହଁଚିଥିଲେ ।

ଏହି ଅବସରରେ ଯୁବକ ଯୁବତୀଙ୍କୁ ଉଦବୋଧନ ଦେଇ ସାଂସଦ ଅଚ୍ୟୁତ ସାମନ୍ତ କହିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା- ନବୀନ ଓଡ଼ିଶା ଲକ୍ଷ୍ୟର ଏହା ଅନ୍ୟଏକ ପ୍ରୟାସ । ଯୁବକଯୁବତୀ ମାନେ ଶିକ୍ଷିତ, ସଶକ୍ତ ହୋଇ ରୋଜଗାରକ୍ଷମ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ତାହା ଏଠାରେକାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ଓଡ଼ିଶା ସମେତ ସମଗ୍ର ଭାରତରୁ ୧୨୦ କମ୍ପାନୀ ଫୁଲବାଣୀ ସହରକୁ ଆସିପାରିଛନ୍ତି । ଏଭଳି ସଫଳ ଆୟୋଜନ ପଛରେ ଜିଲ୍ଲା ପ୍ରଶାସନ ଓ କିଟ୍ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଶ୍ରୀ ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ନିର୍ବାଚନ ସମୟରେ କନ୍ଧମାଳବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନର ବିକାଶ ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସେ ଚେଷ୍ଟା ଜାରିରଖିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ ।ଏହି ଅବସର ରେ ଅନ୍ୟତମ ନିଯୁକ୍ତିଦାତା ମହାରାଷ୍ଟ୍ର ଚାମ୍ବରସ ଅଫ କମର୍ସ, ଇଣ୍ଡଷ୍ଟ୍ରି ଓ ଏଗ୍ରିକଲଚର୍‌ର ସଭାପତି ଲଳିତ ଗାନ୍ଧୀ ଯୋଗ ଦେଇ କହିଲେ, ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଯୁବକମାନେ ଅଧିକକୁଶଳୀ ଓ ଦକ୍ଷ । ମହାରାଷ୍ଟ୍ରର ବିଭିନ୍ନ ଶିଳ୍ପ ସଂସ୍ଥାରେ ବର୍ଷକୁ ୫ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ କୁଶଳୀ ଓ ଦକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା ନିମନ୍ତେ ସେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣି କହଁର, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ବିକାଶ ଓ ନିୟୋଜନ ଅଧିକାରୀ ପୁରୁଷୋତମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.