କାର୍ ସହ ଯାତ୍ରୀବାହୀ ଅଟୋ ଧକ୍କା, ଯୁବକ ମୃତ୍ୟୁ : କ୍ଷତିପୂରଣ ଦାବିରେ ଟାୟାର ଜାଳି ୫୯ ନଂ ଜାତୀୟ ରାଜପଥ ଅବରୋଧ

ହିଞ୍ଜିଳିକାଟୁ : ଶୁକ୍ରବାର ରାତ୍ର ପ୍ରାୟ ୧୦ଘଣ୍ଟା ସମୟରେ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ (ଓଡ୦୭ଏଜେ ୬୯୧୭)ସହ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୫୭୧୮)ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଅଟୋ ଯାତ୍ରା କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିଲେ । ମୃତକ ଜଣଙ୍କ ହିଞ୍ଜିଳି ଥାନା ଜୌତନ୍ୟପଡା ଗ୍ରାମର ପବନା ଦାସ(୨୬) । ଖବର ପାଇ ବ୍ରହ୍ମପୁର ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିଲା । ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତ ପବନାଙ୍କ ମୃତଦେହ ବ୍ୟବଛେଦ ପରେ ଶବକୁ ଗାଁକୁ ଆଣିବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ମରଶରୀର ଗାଁରେ ନପହଞ୍ଚିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ଗ୍ରାମର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଶନିବାର ଅପରାହ୍ନ ପ୍ରାୟ ୨ଟାରୁ ହିଞ୍ଜିଳି ଥାନା ଚୈତନ୍ୟପଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଅବରୋଧର ପ୍ରାୟ ୨ ଘଣ୍ଟା ପରେ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ପରେ ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଉତ୍ୟକ୍ତ ଗ୍ରାମବାସୀ ୫୯ନଂ ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ରାସ୍ତରୋକ ଜାରୀ ରଖିଥିଲେ । ଖବର ପାଇ ଆସିକା ଏସଡିପିଓ ଉମାଶଙ୍କର ସିଂ, ବିଡିଓ ସୁବ୍ରତ କୁମାର ଜେନା, ଅତିରିକ୍ତ ତହସିଲଦାର , ହିଞ୍ଜିଳି ଥାନା ଆଇଆଇସି ଶ୍ରୀନୀବାସ ସେଠି ଓ ୪ ପ୍ଳାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ । ୧୦ଲକ୍ଷ ଟଙ୍କା କ୍ଷତିପୁରଣ ଆର୍ଥୀକ ସହାୟତା ରାଶି ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ଦାବି ନେଇ ଗ୍ରାମବାସୀ ଟାୟାର ଜାଳିବା ସହ ରାସ୍ତାରୋକରୁ ହଟିନଥିଲେ । ଖବର ଲେଖା ହେବା ସୁଦ୍ଧା ରାସ୍ତାରୋକ ହଟିନାହିଁ । ଦୀର୍ଘ ସାଢେ ୫ ଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ଅବରୋଧ ରହିଛି । ପୁଲିସ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଠାରୁ ଆସିକା, ସୋରଡା, ଭଞ୍ଜନଗର, ଫୁଲବାଣୀ ପ୍ରମୁଖ ଦେଇ ଯାତାୟତ କରୁଥିବା ଉଭୟ ପ୍ବାର୍ଶ୍ବର ଯାନବାହାନ ଗୁଡ଼ିକୁ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ବ୍ୟବସ୍ଥା କରିଛି ।

nis-ad
Leave A Reply

Your email address will not be published.