ଫୁଲବାଣୀ ଖାଉଟି ଅଦାଲତଙ୍କ ନ୍ୟାୟୋଚିତ ନିଷ୍ପତି ଖାଉଟିଙ୍କ ମନରେ ସୃଷ୍ଟି କରିଛି ନୂତନ ଆଶାର ସଂଚାର…

ଫୁଲବାଣୀ : ଫୁଲବାଣୀ ଖାଉଟି ଅଦାଲତର ପ୍ରେସିଡେଣ୍ଟ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ତତ୍ଵାବଧାନରେ ନିଆଯାଇଥିବା ଏକ ସଫଳ ନିଷ୍ପତି ଆଜି ସମସ୍ତ ଖାଉଟିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି l ସୂଚନା ଯୋଗ୍ୟ ବିଗତବର୍ଷ ତା 17/11/2023 ରିଖ ରେ ଫୁଲବାଣୀ ସହର ବାସିନ୍ଦା ଶ୍ରୀ  ଶାନ୍ତନୁ କୁମାର ମିଶ୍ର ତାଙ୍କ  ପ୍ଲାଟିନା ମୋଟର ସାଇକଲ ନମ୍ବର OR-12A-4932 ର ସ୍ମାର୍ଟ ନମ୍ବର ପ୍ଲେଟ ପାଇଁ ଅନଲାଇନରେ ଆବେଦନ କରିଥିଲେ, ଯାହାକି ତା, 24.11.2022 ରିଖ ଦିନ ନୟାଗଡ ସହର ସିନ୍ଦୂରିଆ ସ୍ଥିତ MSB Automotive Pvt. Ltd. ଙ୍କ ଠାରେ ଲାଗିବାରଥିଲା l  କିନ୍ତୁ ନିର୍ଦ୍ଧାରିତ ତାରିଖରେ ଯୋଗାଯୋଗ କରିବା ପରେ ଜଣାଗଲା ଯେ ତାଙ୍କପାଖରେ ଉକ୍ତ ନମ୍ବର ପ୍ଲେଟ ନିର୍ମାତା Rosmerta Safety Systems Pvt. Ltd, Gurgaon ଙ୍କ ଠାରୁ ପ୍ରାପ୍ତ ହୋଇ  ନାହିଁ; ଏଣୁ ନମ୍ବର ପ୍ଲେଟ ଆସିଲେ ସେ ଜଣାଇବେ ବୋଲି  କହିଥିଲେ l ଦିନପରେ ଦିନ ଗଡି ଚାଲିଲା l ଶ୍ରୀ  ମିଶ୍ର MSB Automotive Pvt. Ltd ସହିତ ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ପରେ Rosmerta ସହିତ ଯୋଗାଯୋଗ କରିଥିଲେ  l ସେଠାରେ ଥିବା କର୍ମକର୍ତ୍ତା ମାନେ କହିଥିଲେ ଯେ ନମ୍ବର ପ୍ଲେଟ ଟି MSB କୁ ପଠେଇ  ଦେଇଛନ୍ତି l ବାରମ୍ବାର ଯୋଗାଯୋଗ କରିବାପରେ ଉଭୟ MSB ଓ  Rosmerta  ବିରକ୍ତି ଭାବ ପ୍ରକାଶ କରିବା ସହ ପରସ୍ପରକୁ ଦୋଷ ଦେଇ ପୁନର୍ବାର ଯୋଗାଯୋଗ ନ କରିବା ଓ ତୁମ ଦ୍ୱାରା ଯାହା ହବ କର ବୋଲି କହିଥିଲେ ଏବଂ ଏହାପରେ ପରେ ଉଭୟ ସଂସ୍ଥା ଆଉ ଫୋନ କଲ ରିସିଭ କରିନଥିଲେ l ଏହାପରେ HSRP କଷ୍ଟମର କେୟାର ସହିତ ଈ-ମେଲ ମାଧ୍ୟମ ରେ  ନିଜ ସମସ୍ୟାର ସମାଧାନ ପାଇଁ ଯୋଗା ଯୋଗ କରିଥିଲେ l ସେଠାରୁ ବାରମ୍ବାର ସମାଧାନର ପ୍ରତିଶୃତି ମିଳୁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା l ଏହିପରି 7 (ସାତ) ମାସ ବିତିଯିବା ପରେ ସେ ଖାଉଟି ଅଦାଲତ, ଫୁଲବାଣୀଙ୍କ ଆଇନ ଗତ ସହାୟତା ପାଇଁ ତା,୨୨/୦୬/୨୦୨୩  ରିଖରେ ଖାଉଟି କେସ ନମ୍ବର C.C. ୧୩୦ ଅନୁଯାୟୀ  ଏକ ଅଭିଯୋଗ ଆବେଦନ କରିଥିଲେ l ଅଭିଯୋଗ ରେ ସେ ନମ୍ବର ପ୍ଲେଟ ଲଗାଇବା ସହ ବାରମ୍ବାର ଯିବାଆସିବା ଓ ତତସମ୍ପର୍କିତ ମାନସିକ ଚାପ ବାବଦକୁ ୩୦୦୦୦ ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଥିଲେ ॥ 
ଏହାପରେ ତା-୨୦/୦୮/ ୨୦୨୩ ରିଖରେ Rosmerta ର କର୍ମକର୍ତ୍ତାମାନେ ଆସି ଫୁଲବାଣୀରେ ନମ୍ବର ପ୍ଲେଟ ଲଗାଇଥିଲେ  l ଏହାପରେ    Rosmerta ର ପ୍ରତିନିଧି ଖାଉଟି ଅଦାଲତ ଦ୍ଵାରା ସ୍ଥିରୀକୃତ ତାରିଖରେ ୨ ଥର  ଅଭିଯୋଗ ଶୁଣାଣୀରେ ହଜିରା ଦେଇଥିଲେ; କିନ୍ତୁ MSB ର କୌଣସି ପ୍ରତିନିଧି ହଜିରା ଦେଇନଥିଲେ l ଅଭିଯୋଗର ସମସ୍ତ ଦିଗକୁ ଅନୁଧ୍ୟାନକରି କନ୍ଧମାଳ, ଫୁଲବାଣୀ DCDRC ପ୍ରେସିଡେଣ୍ଟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ତା ୩୦/୦୮/୨୦୨୩ ରେ ୧୧୦୦୦ ଟଙ୍କାର କ୍ଷତିପୂରଣ ୧ ମାସ ମଧ୍ୟରେ ପ୍ରତିପକ୍ଷଙ୍କ ଦ୍ୱାରା ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  l ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ଷତିପୂରଣ ପ୍ରଦାନ ନକଲେ ୧୨% ଶୁଦ୍ଧ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ॥ ନିର୍ଦ୍ଦେଶ ମୁତାବକ Rosmerta ଭୁବନେଶ୍ୱର ଶାଖାର ପ୍ରତିନିଧି ଶ୍ରୀ ପଦ୍ମ ଲୋଚନ ତା ୦୫/୦୧/ ୨୦୨୪ ରିଖ ଦିନ DCDRC ପ୍ରେସିଡେଣ୍ଟଙ୍କ କାର୍ଜ୍ୟାଳୟରେ  ଟ.୧୧୦୦୦ /-  ଶାନ୍ତନୁ କୁମାର ମିଶ୍ରଙ୍କୁ ପ୍ରଦାନ  କରିଛନ୍ତି ଶ୍ରୀ ମିଶ୍ର DCDRC ପ୍ରେସିଡେଣ୍ଟଙ୍କ ନ୍ୟାୟ ନିଷ୍ପତି ରେ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ଖାଉଟି ସଚେତନ ହୋଇ ସାହସର ସହିତ ନିଜନିଜର ସମସ୍ୟାକୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଆଇନଗତ ସହାୟତା ମାଧ୍ୟମରେ ସମାଧାନ କଲେ ତାହା ଏକ ଖାଉଟି ଶୋଷଣ ମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବାର ଆଶାବ୍ୟକ୍ତ କରିଛନ୍ତି ॥

nis-ad
Leave A Reply

Your email address will not be published.