ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ ହେଲା ‘ଜୟ ଜଗନ୍ନାଥ ଅର୍ପଣ ରଥ’ର ସହର ପରିକ୍ରମା

ସୁନ୍ଦରଗଡ : ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଭବ୍ୟ ଉତ୍ସବରେ ଯେପରି ପ୍ରତିଟି ଓଡ଼ିଆ ଯୋଡ଼ି ହୋଇ ଦିବ୍ୟ ଅନୁଭବର ସାନିଧ୍ୟ ଲାଭ କରିପାରିବେ ସେଥିପାଇଁ ରାଜ୍ଯ ସରକାରଙ୍କ ତରଫରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଫଳ ସ୍ଵରୂପ ‘ଜୟ ଜଗନ୍ନାଥ ଅର୍ପଣ ରଥ’ ମାଧ୍ୟମରେ ପୁରପଲ୍ଲୀରୁ ସହର ସବୁ ଅଞ୍ଚଳର ପରିକ୍ରମା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ପ୍ରତି ଘରୁ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି। ଏହି କ୍ରମରେ ରାଉରକେଲା ସହରରୁ ମଧ୍ୟ ଏହି ଅର୍ପଣ ରଥର ପରିକ୍ରମା ଯାତ୍ରା ଶନିବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି।

ଶନିବାର ରାଉରକେଲା ସେକ୍ଟର ୩ ଓ ବାସନ୍ତୀ କଲୋନୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ଏହି ‘ଜଗନ୍ନାଥ ଅର୍ପଣ ରଥ’ ର ସହର ପରିକ୍ରମା ଆରମ୍ଭ ହୋଇଥିଲା । ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ବାସନ୍ତୀ କଲୋନୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିବା ବେଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସେକ୍ଟର ୩ ଜଗନ୍ନାଥ ମନ୍ଦିର ପରିସରରେ ଉପସ୍ଥିତ ଥିଲେ। ମନ୍ତ୍ରୀ ଓ ବିଧାୟକ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ରାଜ୍ଯ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ଏଥି ସହ ‘ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ’ ଶ୍ରୀ ମନ୍ଦିରର ଶ୍ରୀ ବର୍ଦ୍ଧନ କରିବା ସହ ଭକ୍ତଙ୍କ ସୁବିଧା ପାଇଁ ବିଶେଷ ସହାୟକ ହେବ ବୋଲି କହିଥିଲେ। ଶୁଭାରମ୍ଭ ସମୟରେ ଓଡ଼ିଶୀ ନୃତ୍ୟ ସହ ଘଣ୍ଟ ଘଣ୍ଟା, ଶଙ୍ଖ, ମୃଦଙ୍ଗ ଓ ହୁଳହୁଳିର ଶବ୍ଦ ପୁରା ପରିବେଶକୁ ଜଗନ୍ନାଥମୟ କରିଥିଲା।

ରାଉରକେଲା ସହରରେ ୧୬ଟି ଅର୍ପଣ ରଥ ମାଧ୍ୟମରେ ଆସନ୍ତା ୧୫ ତାରିଖ ଯାଏଁ ସମସ୍ତ ୪୦ଟି ୱାର୍ଡ ଓ ସେକ୍ଟରର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ । ଏଥି ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ୧୬ଟି ରଥର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟକ୍ରମେ ଏହି ସବୁ ରଥ ମାଧ୍ୟମରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ରଥର ପରିକ୍ରମା ସମୟରେ ପରିବେଶକୁ ଆଧ୍ୟାତ୍ମିକ ତଥା ଭକ୍ତିମୟ କରିବା ପାଇଁ ସଙ୍କୀର୍ତ୍ତନ ମାଧ୍ୟମରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ସଂଗୃହିତ ଅରୁଆ ଚାଉଳ ଓ ଗୁଆ ଗୁଡ଼ିକୁ ପାଖ ଜଗନ୍ନାଥଙ୍କ ମନ୍ଦିରରେ ରଖାଯିବ। ପରେ ଏଗୁଡ଼ିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ପୁରୀ ପହଞ୍ଚାଯିବ। ଦଶଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରଯାଇଛି।

nis-ad
Leave A Reply

Your email address will not be published.