ମାଲକାନଗିରି : ଦୈନନ୍ଦିନ ଜୀବନରେ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ମଣିଷଟିଏ ପିମ୍ପୁଡ଼ି ଠାରୁ ମଧ୍ୟ ଅନେକ ନୀତିଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରାଯାଏ। ପିମ୍ପୁଡ଼ିଟିଏ ଯେପରି ବର୍ଷା ୠତୁ ଆସିବାର ଖୁବ୍ ପୂର୍ବରୁ ତା’ର ଖାଦ୍ୟ ସଞ୍ଚୟ କରି ନିରାପଦ ସ୍ଥାନରେ ଯେଭଳି ରଖିଥାଏ ମଣିଷ ମଧ୍ୟ ସେଭଳି ସଜାଗ ଓ ପ୍ରାକ୍ ପ୍ରସ୍ତୁତି ନେଇ ବଞ୍ଚିବା ନିତାନ୍ତ ଆବଶ୍ୟକ ବୋଲି ଗ୍ରହଣ କରାଯାଏ । ସାଧାରଣ ମଣିଷ କଥା ଛାଡ଼ନ୍ତୁ, ଯେତେବେଳେ ମଣିଷର ଜୀବନ ମରଣ ସହ ଜଡ଼ିତ ଏକ ଗୁରୁତ୍ଵପୂର୍ଣ୍ଣ ସରକାରୀ ବିଭାଗ ଅର୍ଥାତ୍ ଖୋଦ୍ ସ୍ଵାସ୍ଥ୍ୟ ବିଭାଗର କ୍ରିୟାଶୀଳ ବଦଳରେ ନିଷ୍କ୍ରିୟ ରହିବାର ଦୃଷ୍ଟି ଗୋଚର ହୁଏ ଠିକ୍ ଏତିକିବେଳେ ପ୍ରଶ୍ନ ଉଠେ ଏହା ସରକାରୀ ବ୍ୟବସ୍ଥା ବିପକ୍ଷରେ ପୁଞ୍ଜିଭୂତ ଜନ ଅସନ୍ତୋଷ ତିଆରି କ୍ଷେତ୍ରରେ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ନା ସରକାରୀ କଳ ଠାରୁ ଭରଷା ତୁଟାଇ ଅବଶିଷ୍ଟ ଯେଉଁ କେତେକ ରାଷ୍ଟ୍ରାୟତ୍ତ ବ୍ୟବସ୍ଥାକୁ ଘରୋଇକରଣ କ୍ଷେତ୍ର ଆଡ଼କୁ ଟାଣି ନେବାର ଏକ ନୀରବ, ଜଟିଳ ଏବଂ କୁଟୀଳ ପ୍ରକ୍ରିୟା?
ବିମାନ ସେବାରେ ଧନ୍ୟ ହେବାକୁ ଯାଉଥିବା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପରିଭାଷାରେ ବିକାଶର ଲଞ୍ଚିଙ୍ଗ୍ ପ୍ୟାଡ ସାଜିଥିବା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଦାରୁଣ ଦୃଶ୍ୟ। ଜିଲ୍ଳାର କୌଣସି ପ୍ରାଥମିକ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୁହଁ ବରଂ ସିଧା ସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ଯେଉଁଠି ରୋଗୀଙ୍କର ସୋଡ଼ିୟମ୍ ଓ ପୋଟାସିୟମର ପରୀକ୍ଷଣ ନିମନ୍ତେ ସାଧାରଣ ରାସାୟନିକ ପ୍ରତିକ୍ରିୟା ସାଧକ ପଦାର୍ଥ ବା ରି-ଏଜେଣ୍ଟ ସରିଯାଇଛି। ରି-ଏଜେଣ୍ଟ ଅଭାବରୁ ନାହିଁ ନଥିବା ହଇରାଣର ଶୀକାର କେବଳ ଆଉଟ୍ ଡୋର୍ ନୁହଁ ବରଂ ଇଣ୍ଡୋର୍ ରୋଗୀ ମାନେ ମଧ୍ୟ ବ୍ୟାପକ ଅନିୟମିତତାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଡ଼ାକ୍ତରଖାନା ପରୀକ୍ଷାଗାରର କର୍ମଚାରୀ କହୁଛନ୍ତି ଗତ କିଛି ଦିନ ହେଲା ସରି ଯାଇଛି, ନୂଆ ମଗାଯାଇଛି କିନ୍ତୁ ଆସି ନାହିଁ। ଯଦିଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ନିମନ୍ତେ ଚେଷ୍ଟା କରାଯାଇଥିଲା କିନ୍ତୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଏଯାବତ୍ ମିଳିପାରିନାହିଁ ।
ଗତ କିଛି ଦିନ ତଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ତତ୍କାଳୀନ ସାଧାରଣ ନିର୍ଦ୍ଦେଶକ ଡ଼. ଟେଡ୍ରସ ଅଧାନୋମ୍ ଘେବ୍ରେୟେଶସ୍ ଆନ୍ତର୍ଜାତୀୟ ମାନବାଧିକାର ପୃଷ୍ଠଭୂମିରେ ଏକ ଲିଖିତ ଅଭିବ୍ୟକ୍ତି ପ୍ରକାଶ କରିଥିଲେ ଯେ, ପ୍ରତ୍ୟେକ ଜନସାଧାରଣଙ୍କ ନିମନ୍ତେ ଆବଶ୍ୟକ ସ୍ଥଳରେ, ଆବଶ୍ୟକ ସମୟରେ ଅର୍ଥ ବାଧକ ଭିନ୍ନ ପ୍ରଯୁଜ୍ୟ ସ୍ଵାସ୍ଥ୍ୟ ସେବାର ନିଶ୍ଚିତ ଅବସର ରହିଥିବା ଆବଶ୍ୟକ । ଏଭଳି କୌଣସି ବ୍ୟକ୍ତି ନିଜର ଆର୍ଥିକ ଅଭାବ ଅନଟନ କାରଣରୁ ରୋଗଗ୍ରସ୍ତ ହେବେ ନାହିଁ କିମ୍ବା ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିବେ ନାହିଁ । ସମ୍ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ‘ପଶ୍ଚିମବଙ୍ଗ କ୍ଷେତ ମଜଦୂର୍ ସମିତି(୧୯୯୬)’ ରେ ଏକ ନ୍ୟାୟିକ ଅଧିଘୋଷଣା ପରିପ୍ରେକ୍ଷୀରେ ଏ କଥା ଉପରେ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ବ ପ୍ରଦାନ କରିଥିଲେ ଯେ, ଏକ ଜନ ମଙ୍ଗଳକାରୀ ରାଷ୍ଟ୍ରରେ ଜନ ସାଧାରଣଙ୍କ ବିକାଶ ନିର୍ବାଚିତ ସରକାରଙ୍କ ପ୍ରାଥମିକ ଦାୟିତ୍ଵ ରହିଥିବା ବେଳେ ଜରୁରୀ, ସର୍ବୋଚ୍ଚ ଏବଂ ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଉତ୍ତରଦାୟୀ ରହିଥାଆନ୍ତି।
ତେବେ “କାହାର ପୁଷମାସ, କାହାର ସର୍ବନାଶ” ନ୍ୟାୟରେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଲାଲେ ଲାଲ୍ ହେଉଛନ୍ତି ମାଲକାନଗିରି ଜିଲ୍ଲାରେ ଛତୁ ଫୁଟିଲା ଭଳି ମୁଣ୍ଡ ଟେକିଥିବା ବେସରକାରୀ କ୍ଲିନିକ୍ ଏବଂ ପରୀକ୍ଷଣ କେନ୍ଦ୍ର। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, କାହିଁକି ଅଣା ଯାଉନାହିଁ ପୋଟାସିୟମ ଏବଂ ସୋଡ଼ିୟମ ପରିମାଣ ସୂଚକ ରି-ଏଜେଣ୍ଟ? ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରକୃତରେ କେବେ ଠାରୁ ସରିଲାଣି ଏହି ରାସାୟନିକ ପଦାର୍ଥ ଏବଂ କେତେ ଜଣ ରୋଗୀ ଏହି ପରୀକ୍ଷା କରି ନପାରି ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି ତାହା ନିଶ୍ଚିତ ତଦନ୍ତ ସାପେକ୍ଷ। ପ୍ରଶାସନିକ ଉଦାସୀନତା ଆଢ଼ୁଆଳରେ ବେସରକାରୀ ପରୀକ୍ଷାଗାର ସହ କୌଣସି ସର୍ତ୍ତ ମୂଳକ ସନ୍ଧି କାରଣରୁ ଜାଣି ଶୁଣି ତତ୍ପରତା ଦେଖାଉ ନାହାନ୍ତି କି ଜିଲ୍ଲାର ସ୍ଵାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ!! ତେବେ ଖବର ପ୍ରସାରଣ ପରେ ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ କ୍ରିୟାଶୀଳତା ଏବଂ ଜନସ୍ୱାର୍ଥ ସମ୍ପର୍କିତ ଏଭଳି ଏକ ମୌଳିକ ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ସଚେତନ ହୋଇ କେତେ ଦିନ ପରେ ସମସ୍ୟାର ସମାଧାନ କରିବେ ଏବଂ ଜିଲ୍ଲାର ରୋଗୀମାନେ ଉପକୃତ ହେବେ ତାହା ଦେଖିବାକୁ ଅପେକ୍ଷା ରହିଲା।