ଏସଓଜି ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ନକ୍ସଲ ମୃତ ଏକେ ୪୭ ଓ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ, ୨୫।୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାନାଇ ସଂରକ୍ଷିତ ଜଙ୍ଗଲ ରେ ମାଓବାଦୀ ଓ ଏସ୍ ଓ ଜି ଜବାନଙ୍କ ମଧ୍ୟରେ ଗୁଳିବିନିମୟ ରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ଏଥି ସହିତ ଘଟଣା ସ୍ଥଳରୁ ଗୋଟିଏ ଏକେ ୪୭ ରାଇଫଲ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ସମେତ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଢଙ୍ଗି, ଆଜି ସଂନ୍ଧ୍ଯା ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବି ସି ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାନାଇ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାନଙ୍କ ଉପସ୍ଥିତ ଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିବା ପରେ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ ରେ ୨ଟି ଏସ୍ଓଜି ଟିମ୍ କୁ ନେଇ ସେହି ଅଂଚଳରେ ଗୁରୁବାର ରାତିରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନ ସମୟରେ ଆଜି ସକାଳ ପ୍ରାୟ ୯ ଟା ସମୟରେ ୪ ଜଣ ନକ୍ସଲଙ୍କ ସହ ଜବାନ ମାନଙ୍କର ମୁହାଁ ମୁହିଁ ହୋଇଥିଲା। ଜବାନ ମାନେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ଜବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। କିଛି ସମୟ ଧରି ଗୁଳି ଚାଳନା ପରେ ମାଓବାଦୀ ମାନେ ସେଠାରୁ ଖସି ଯାଇଥିଲେ। ସେଠାରେ ସର୍ଚ୍ଚ ଅପରେଶନ ସମୟରେ ଘଟଣା ସ୍ଥଳରୁ ଜଣେ ପୁରୁଷ ମାଓକ୍ୟାଡର (ୟୁନିଫର୍ମ ପିନ୍ଧିଥିବା) ମୃତଦେହ ସହ ଏକେ ୪୭ ରାଇଫଲ ଜବତ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ମାଓବାଦୀଙ୍କ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ ଡିଭିଜନ୍ (କେକେବିଏନ୍ ଡିଭିଜନ)ର ସିପିଆଇ(ଏମ୍)ର ଜଣେ ବରିଷ୍ଠ କ୍ୟାଡର୍ ଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ଅଧିକ ଖୋଜାଖୋଜି ଓ କୁମ୍ବିଙ୍ଗ ଅପରେସନ୍ ଜାରି ରହିଛି। ତେବେ ମାଓବାଦୀ ସଂଗଠନ ର ଏରିଆ କମିଟି ମେମ୍ବର ଓ ଡିଭିଜନାଲ୍ କମିଟି ମେମ୍ବର ମାନେ ହିଁ ଏକେ ୪୭ ବନ୍ଧୁକ ଧରୁଥିବା ନେଇ ପୋଲିସ ନିକଟରେ ସୂଚନା ଥିବାରୁ ମୃତ ଦେହ ଜଣେ କ୍ଯାଡର ମେମ୍ବର ହୋଇଥିବା ସନ୍ଦେହ ରହିଛି ବୋଲି କହିଛନ୍ତି ଡିଆଇଜି। ମାଓ ନେତା ଦାସରୁ ର ମୃତ୍ୟୁ ପରେ କିଛି ଦିନ ଧରି ଶାନ୍ତ ରହିଥିବା ମାଓ ସଂଗଠନ ପୁଣି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି। ବିଜିଏନ ଓ କେକେବିଏନ୍ ଡିଭିଜନ ମାଓ ସଂଗଠନ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳରେ ବୁଲି ବୁଲି ସଂଗଠନକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଡିଆଇଜି। ତେବେ ୨୦୨୪ରେ ଓଡ଼ିଶାରେ ଆଜି ସୁଦ୍ଧା ୫ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏଥିପାଇଁ କନ୍ଧମାଳ ପୁଲିସ, ଗୁଇନ୍ଦା ନିର୍ଦ୍ଦେଶାଳୟ ଓ ଅପରେସନ୍ ମୁଖ୍ୟାଳୟକୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭିନନ୍ଦନ ଜଣାଇଛନ୍ତି l

nis-ad
Leave A Reply

Your email address will not be published.