ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ଶୀତକାଳୀନ ବାର୍ଷିକ ସମ୍ମିଳନୀ
ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ” ର ବାର୍ଷିକ ଶୀତକାଳୀନ ସମ୍ମିଳନୀ- “ସେବକ ୱିନ୍ଟର କନକ୍ଲେଭ-୨୦୨୩” ସେବକ, ରଙ୍ଗିଆମୁଣ୍ଡା ପରିସରରେ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇଥିବା ସଫଳତାର ବ୍ୟାଖ୍ୟା, ଅନୁଭୂତି ଓ ଅଭିଜ୍ଞତାରୁ ଜ୍ଞାନ ଆହରଣ, ଉଲ୍ଲେଖନୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ, ହିତାଧିକାରୀଙ୍କ ସଫଳତାର ନିଜସ୍ଵ ଗାଥା, ଜୀବନ ଜୀବିକା, ପ୍ରାକୃତିକ ସମ୍ବଳର ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଷ୍ଠାନର ସଫଳତା ଓ ଅଭିନବୀକରଣର ଉପସ୍ଥାପନା ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେବକର ଅଧ୍ୟକ୍ଷ ଅମୀୟକାନ୍ତ ନାଏକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେବକର ପ୍ରତିଷ୍ଠାତା ତଥା ନେହେରୁ ଯୁବ କେନ୍ଦ୍ରର ଅବସରପ୍ରାପ୍ତ ଡେପୁଟି
ଡାଇରେକ୍ଟର ଗୋପାଳ ଚନ୍ଦ୍ର ଓଝା ସୁନ୍ଦରଗଡରେ ଯୁବ ଆନ୍ଦୋଳନ ଭୂମିକା, ସେବକର ଅଭ୍ୟୁଦୟ, ଯୁବ ସମାଜକୁ ଆତ୍ମନିର୍ଭରଶୀଳ କରିବାର ସଂଘର୍ଷ ଉପରେ ଭାବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ କ୍ଲାଇମେଟ ଏସିଆ, ବ୍ୟବସ୍ଥାର ଡିଜିଟାଲାଇଜେସନ୍, ପରିବର୍ତ୍ତନର ସିଦ୍ଧାନ୍ତ, ବର୍ଷାଜଳ ସଂରକ୍ଷଣ ପଦ୍ଧତି, ଜୈବିକ ଓ ପ୍ରାକୃତିକ କୃଷି ଉପରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ସେବକର ବାର୍ଷିକ ବିବରଣୀ ପୁସ୍ତିକା, ଟିମଲିଡର ଦିଗାମ୍ବର ଉପାଧ୍ୟାୟଙ୍କ ଦ୍ଵାରା ଲିଖିତ ପରିବର୍ତ୍ତନର ବାସ୍ତବ କାହାଣୀ ଓ ଗୋଷ୍ଠୀର ନିଜସ୍ଵ ସ୍ଵରର ସମାହାରର ଏକ ଅଭିନବ ପୁସ୍ତିକା “ଅନ୍ତଃସ୍ଵର”, ବିଭିନ୍ନ ବିଭାଗର ବିଷୟବସ୍ତୁ ବିବରଣୀକା ତଥା ସଞ୍ଜୁ ପଟେଲଙ୍କ ଦ୍ଵାରା ସଂକଳିତ ସ୍ୱାସ୍ଥ୍ୟବିଭାଗର କାର୍ଯ୍ୟକ୍ରମର କେସଷ୍ଟଡି ପୁସ୍ତିକାର ଉନ୍ମୋଚନ କରାଯାଇଥିଲା। ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଶ୍ରମଦାନ ମାଧ୍ୟମରେ ଔଷଧୀୟ ଉଦ୍ୟାନ ସୃଷ୍ଟି, ଫଳ ବଗିଚା ସୃଷ୍ଟି, ବୃକ୍ଷରୋପଣ, ୱେବସାଇଟ ପ୍ରସ୍ତୁତି, ସାମୁହିକ ନୂଆଁଖାଇ ଭଲି ଅଭିନବ କାର୍ଯ୍ୟକ୍ରମ କରି ଉଦାହରଣ ସୃଷ୍ଟି କରିଥିବା ଝୁରିମାଲ ବନ ସୁରକ୍ଷା ସମିତିକୁ ଆମେରିକାର ହଷ୍ଟନ ସହରର ପ୍ରବାସୀ ଭାରତୀୟ ସଂଗଠନ “ଓଡିଶା କଲଚର ସେଣ୍ଟର” ଦ୍ଵାରା ପ୍ରଦତ୍ତ ଆନ୍ତର୍ଜାତିକ ସମ୍ମାନର ମାନପତ୍ର “ସବୁଜ ସେବା ସମ୍ମାନ” ପ୍ରଦାନ କରାଯାଇଥିଲା। ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରି ସଫଳତା ହାସଲ କରିଥିବା କାର୍ଯ୍ୟକର୍ତ୍ତା ଓ ପ୍ରକଳ୍ପ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ବନଖଣ୍ଡର ସହକାରୀ ବନ ସଂରକ୍ଷକ ମାନସ କୁମାର ମୁର୍ମୁ ସୁନ୍ଦରଗଡ ପରି ଏକ ବୃହତ ଜିଲ୍ଲାରେ ସେବକ ଭଳି ସ୍ଵେଚ୍ଛାସେବୀ ଅନୁଷ୍ଠାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ତଥା ସୁନ୍ଦରଗଡ ବନଖଣ୍ଡର ସହଯୋଗୀ ଅନୁଷ୍ଠାନ ଭାବରେ
ଓ.ଏଫ.ଏସ.ଡି.ପି.ରେ ଉଲ୍ଲେଖନୀୟ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ସୋଲିଡାରିଡାଡ, ଭୁବନେଶ୍ଵରର ଜ୍ଞାନ ରଞ୍ଜନ ଷଡଙ୍ଗୀ ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ପ୍ରଣୟନରେ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଆଗାମୀ ଦିନ ପାଇଁ ରୋଡମ୍ୟାପ ପ୍ରସ୍ତୁତି ସହ ସ୍ୱାସ୍ଥ୍ୟ-ଜଳବାୟୁ ପରିବର୍ତ୍ତନ-ଜୀବିକାର ସୁଯୋଗ, ଭୌଗଳିକ ଜ୍ଞାନ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ଆନ୍ତଃ ପ୍ରକଳ୍ପ ସମନ୍ମୟ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳଦେବ ମହାପାତ୍ର ସମନ୍ଵିତ କୃଷି ଓ ଜୈବିକ କୃଷିର ପ୍ରସାର ତଥା ଧାନବିଳ ନିଆଁକୁ ରୋକିବା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଝାରସୁଗୁଡା ଜିଲ୍ଲା ମଙ୍ଗଳ ଅଧିକାରୀ ଡୋମେନିକ ଟପ୍ପୋ ସମାଜର ମଙ୍ଗଳ ତଥା ଅବହେଳିତଙ୍କ ସାମଗ୍ରିକ ବିକାଶରେ “ସେବକ” ମୁଖ୍ୟ କର୍ଣ୍ଣଧାର ବୋଲି କହିଛନ୍ତି । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଝାରସୁଗୁଡା ଜିଲ୍ଲା ସି.ଡି.ଏମ.ଏଲ.ପି.ର ଯୋଜନା ଅଧିକାରୀ ଲିଙ୍ଗରାଜ ପ୍ରଧାନ, ମିଲେଟ ମିଶନର ଜିଲ୍ଲା ସଂଯୋଜକ ଟିକେଶ୍ଵର ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ମଞ୍ଚ ପରିଚାଳନା ବେଦବ୍ୟାସ ଧୃଆ ଓ ଅମୀୟରଞ୍ଜନ ଲେଙ୍କା କରିଥିବା ବେଳେ ସଞ୍ଜୁ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ଦ୍ଵିତୀୟ ସେସନରେ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା।