କାଜୁ ତେଲ ବୋଝେଇ ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ ଘଟଣା : ରାଜସ୍ଥାନରୁ ଆଉ ଜଣକୁ ଗିରଫ କଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ

ଦେବଗଡ,୨୨ା୧୨:୨୦୨୧ ମସିହା ମାର୍ଚ୍ଚ ୨୦ ତାରିଖ ପ୍ରତ୍ୟୁଷରେ ଭୁବନେଶ୍ୱର ସ୍ଥିତ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ଏକ ଟିମ୍ ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଛକ ୪୯ ନମ୍ବର ଜାତୀୟ ରାଜପଥରେ ଏକ କାଜୁତେଲ ବୋଝେଇ ଟ୍ରକକୁ ଜବତ କରିବାସହ ସେଥି ମଧ୍ୟରୁ ୨୮୦କିଲୋ ଚୋରା ଗଞ୍ଜେଇ ଜବତ କରିଥିଲା । ଏଥିସହ ଏ ଘଟଣାରେ ସମ୍ପୃକ୍ତ ରାଜସ୍ଥାନର କୁଶୱା ଥାନା ଅନ୍ତର୍ଗତ ଜାଡମକା ଗ୍ରମର କର୍ଣ୍ଣେଲ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଏ ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣ ଫେରାର ଥିବାରୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସେମାନଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରୀ କରିବା ପାଇଁ ଆଦାଲତରେ ପ୍ରାର୍ଥନା କରିଥିଲେ । ଏହି ପ୍ରାର୍ଥନା ଅଧାରରେ ମାନ୍ୟବର ଅଦାଲତ ଫେରାର ୫ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରୀ କରିଥିଲେ । ପରବର୍ତ୍ତୀ ସମୟରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ବୁଟା ସିଂ ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତୃତୀୟ ଅଭିଯୁକ୍ତ ଭାବେ ରାଜସ୍ଥାନ ରାଜ୍ୟର ଅଲୱାଲ ଜିଲା ଭିୱାଡି ଥାନା ଅନ୍ତର୍ଗତ ଘଟଲ ଗ୍ରାମରୁ ଅଖତର ଖାନ(୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଘଟଣା ଦିନ ବେଆଇନ ଗଞ୍ଜେଇ ବୋଝେଇ ଟ୍ରକ(ନଂ-ଏଚ୍‌ଆର -୭୩ ଏ-୦୪୯୧)କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ଟିମ ପିଛା କରୁଥିବା ବେଳେ ଏକଥା ଜାଣିପାରି ଟ୍ରକ ଚାଳକ ଦୃତ ଗତିରେ ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲା । ଏଥିସହ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ଟିମ ଉକ୍ତ ଟ୍ରକଟିକୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଟ୍ରକର ଚାଳକ ବୋଲେରୋକୁ ଧକ୍କା ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ ହେଁ ଖସି ଯାଇ ପାରିନଥିଲା । ଉକ୍ତ ଟ୍ରକକୁ ଅଟକାଇବା ପରେ ଏନ୍ ସି ବି ଅଧିକାରୀ ମାନେ ଗାଡିକୁ ଯାଂଚ କରିବା ସମୟରେ ଉକ୍ତ ଟ୍ରକ ମଧ୍ୟରେ ବିପୁଳ ପରିମାଣର କାଜୁ ତେଲ ସହିତ ୨୮୦ କିଲୋ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଫଳରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଉକ୍ତ ଟ୍ରକଟିକୁ ଜବତ କରି ବାରକୋଟ ଥାନାକୁ ଆଣିବାସହ ଉକ୍ତ ଗଞ୍ଜେଇକୁ ଜବତ କରିଥିଲା ।

nis-ad
Leave A Reply

Your email address will not be published.