ଚାଷୀଙ୍କ ଚିନ୍ତା ବଢ଼ାଉଛି ସାମୁଦ୍ରିକ ବାତ୍ୟା ମିଚୌଙ୍ଗ

ଉମରକୋଟ : ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗରରେ ଉଠିଥିବା ସାମୁଦ୍ରିକ ବାତ୍ୟା “ମିଚୌଙ୍ଗ “ବର୍ତମାନ ନବରଙ୍ଗପୁର ଜ଼ିଲ୍ଲାର ଝରୀଗାଁ ଚାଷୀ ମାନଙ୍କ ଚିନ୍ତାର କାରଣ ପାଲଟିଛି | ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ପ୍ରକାରେ ଏହି ବାତ୍ୟା ଫଳରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଡିସେମ୍ବର ୫ ତାରିଖରେ ଆନ୍ଦ୍ରପ୍ରଦେଶର ଉପକୂଳ ଛୁଇଁବ ଓ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ ଉଭୟ ୪ ଓ ୫ ତାରିଖରେ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା,ଗଜପତି, ଗଞ୍ଜାମ,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ,ପୁରୀ, ନୟାଗଡ, ଖୋର୍ଦ୍ଧା,ଜଗତସିଂହପୁର, କଟକ,ଆଦି ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି | ନବରଙ୍ଗପୁର ଜିଲ୍ଲାରେ ବର୍ତମାନ ଧାନ ଅମଳର ସମୟ ଚାଲିଥିବା ବେଳେ ଝରୀଗାଁ ବ୍ଲକର ଅଧିକାଂଶ ବିଲରୁ ଧାନ ଏ ଯାଏ ଉଠି ନାହିଁ | କିଛି ଚାଷୀ ଏ ପର୍ଯ୍ୟନ୍ତ ଧାନ କଟା କାମ ସାରି ନ ଥିବା ବେଳେ ଅନେକ ଚାଷୀଙ୍କ ବିଳରେ କଟା ଧାନ ଯାକ ସବୁ ପଡ଼ିରହିଛି |ବାତ୍ୟା ଆସୁଥିବା ଜାଣି ଝରୀଗାଁ ଅଂଚଳର ଚାଷୀମାନେ ହତାଶ ଓ ତରବରିଆ ଭାବେ ବିଲରେ ଥିବା ଧାନ ସବୁକୁ ଖଳାକୁ ଘେନି ଆସୁଥିବା ଦେଖିବାକୁ ମିଳିଛି |କିଛି କିଛି ଚାଷୀ ଧାନ ବିଲରୁ କଟା ଧାନ ଯାକ ଆଣିବା ପାଇଁ ଟ୍ରାକ୍ଟର, ପିକ ଅପ ଗାଡ଼ି ସବୁ ବ୍ୟବହାର କରୁଥିବା ବେଳେ କିଛି କିଛି ଚାଷୀ ଶ୍ରମିକ ମାନଙ୍କ ଦ୍ୱାରା ଭାରରେ ଓ ମୁଣ୍ଡରେ ଧାନ ଭାରା ବୁହେଇ ଧାନ ସବୁ ନିଜ ନିଜ ଖଳାକୁ ଆଣି ଜେନ ତେନ ପ୍ରକାରେ ସାଇତି ରଖିବାକୁ ଦେଖିବାକୁ ମିଳିଛି | ଯେଉଁ ଚାଷୀ ମାନଙ୍କ ବିଲରେ ପାଣି ଜମି ରହିଛି ସେସବୁ ଚାଷୀ ବର୍ତମାନ ବଡ଼ ଚିନ୍ତିତର ସହିତ ଦୁଃଖରେ ଭାଙ୍ଗି ପଡ଼ିଛି, ବାତ୍ୟା ଓ ଅଦିନିଆ ବର୍ଷା ହେଲେ ବର୍ଷ ଯାକର ମେହନତ ସବୁ ବେକାର ହେଇ ଯିବ କହି ମତ ପ୍ରକାଶ କରିଛି | ଚାଷୀଙ୍କୁ ଆବଶ୍ୟକ ସମୟରେ ଓ ଆବଶ୍ୟକ ମୁତାବକ ଶ୍ରମିକ ମିଳୁ ନାହାଁନ୍ତି ତେଣୁ ବାତ୍ୟା ଯୋଗୁଁ ବିଲରେ ପଡ଼ି ରହିଥିବା ଧାନ ସବୁ ବର୍ଷାରେ ଭିଜିଯିବ ବୋଲି ଦୁଃଖରେ ମୁଣ୍ଡରେ ହାତ ଦେଇ ଓ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଭରସା କରି ବସିଛି l

nis-ad
Leave A Reply

Your email address will not be published.