ଜିଲ୍ଳା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ପାଳିତ…

ଫୁଲବାଣୀ : ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏହି ଜିଲ୍ଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭିନ୍ନକ୍ଷମମାନେ ନିଜର ଦୃଢ଼ ମନୋବଳ ରଖିଲେ କେବେହେଲେ ବି ନିଜକୁ ଭିନ୍ନକ୍ଷମ ଭାବିବେ ନାହିଁ। ସେମାନଙ୍କ ପିତାମାତା ମଧ୍ୟ ନିଜର ସେହି ମାନସିକ ସ୍ତରରେ ଦୃଢ଼ମନା ପିଲାମାନଙ୍କୁ ଭିନ୍ନକ୍ଷମ ଭାବିବେ ନାହିଁ । ସେ ନିଜ ପୁତ୍ରର ସଫଳ କାହାଣୀ ବର୍ଦ୍ଧନା କରିଥିଲେ । ଦିନେ ସେ ତାଙ୍କ ପୁଅକୁ ଭିନ୍ନକ୍ଷମ ଭାବୁଥିଲେ। କିନ୍ତୁ ଏବେ ସେ କିମ୍ବା ତାଙ୍କ ପୁଅ ଭିନ୍ନକ୍ଷମ ବୋଲି ଭାବୁନାହାଁନ୍ତି । ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ କରିଛନ୍ତି । ସେ ବିଷୟରେ ମଧ୍ୟ ଆଲୋଚନାକରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ କହିଲେ, ସେମାନେ ଆମ ସମକକ୍ଷ ହୋଇପାରିବେ ଯଦି ସେମାନେ ଦୃଢ଼ମନା ହୋଇପାରିବେ । କାରଣ ସକ୍ଷମ ଲୋକମାନଙ୍କର ବି କିଛି ନା କିଛି ଅକ୍ଷମତା ରହିଛି। ସେମାନେ ଚାହିଁଲେ ନିଜର ଦକ୍ଷତା ବଳରେ ନିଜକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇପାରିବେ ବୋଲି ସୁଶ୍ରୀ ମଲ୍ଲିକ କହିଥିଲେ । ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ମଧ୍ୟ ସେହି କଥା ହିଁ କହିଥିଲେ । ଯଦି ମାନସିକ ସ୍ତରରେ ସେମାନେ ଦୃଢ଼ ଓ ସମାଜ ପାଇଁ କିଛି କରିକି ଦେଖାଇଦେବେ ତେବେ ସେମାନେ ସକ୍ଷମ ବୋଲି ଅନୁଭବ କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ବୋଲି ଶ୍ରୀମତୀ ମହାନ୍ତି କହିଥିଲେ ।

ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ ପାତ୍ର କେତେଜଣ ଭିନ୍ନକ୍ଷମ ବୈଜ୍ଞାନିକ, ଲେଖକ, ଶିକ୍ଷାବିତ୍‌ଙ୍କ ଉଦାହରଣ ଦେଇ କହିଲେ, ସେମାନେ ଆଜି ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରେରଣା । ପ୍ରତ୍ୟେକ ଭିନ୍ନକ୍ଷମର କିଛିନା କିଛି ପ୍ରତିଭା ଲୁଚିକି ଅଛି । ସେହି ପ୍ରତିଭାକୁ ତାକୁ ଲୋକ ଲୋଚନକୁ ଆଣିବାକୁ ପଡ଼ିବ । ସେମାନଙ୍କର ଗୋଟିଏ ଅଙ୍ଗ ଦୂର୍ବକ ଥିଲେବି ଅନ୍ୟ ଅଙ୍ଗ ବହୁ ଗୁଣରେ ସବଳ ଥିବ । ସେମାନେ ନିଜର ଆତ୍ମବିଶ୍ଵାସ ବଢ଼ାଇ ପାରିଲେ ସଫଳତା ନିଶ୍ଚୟ ମିଳିବ ବୋଲି ଡାକ୍ତର ପାତ୍ର କହିଥିଲେ । ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେ ସମାଜରେ ଅବହେଳିତ ଓ ନିନ୍ଦନୀୟ ଅବସ୍ଥାରେ ଥିବା ଭିନ୍ନକ୍ଷମମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଆଜିର ଏହି ସମାରୋହର ଆୟୋଯିତ ବୋଲି କହିଥିଲେ। ସେମାନଙ୍କ ଥଇଥାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉ ଥିବା ଯୋଜନାଗୁଡ଼ିକ ଥିବା ପ୍ରଚାର ପତ୍ରିକାକୁ ପଢ଼ି ନିଜେ ଫାଇଦା ନେବା ସହିତ ଅନ୍ୟମାନଙ୍କ ଜଣାଇବାକୁ ଶ୍ରୀ ସେଠୀ ଅନୁରୋଧ କରିଥିଲେ ।
ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ଜିଲ୍ଲାସ୍ତରରେ କେତେଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଆଜିର ଏହି ସମାରୋହରେ ପୁରସ୍କୃତ କରାଯିବା ସହିତ ମଧୁବାବୁ ପେନ୍‌ସନ ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା ଓ ଅନ୍ୟାନ୍ୟ ଯୋଜନାର ହିତାଧିକାରୀମାନଙ୍କୁ ଅର୍ଥରାଶି ତଥା କାର୍ଡ ପ୍ରଦାନ କରାଯାଇଥିଲା । ସ୍ବାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜଣେ ଭିନ୍ନକ୍ଷମ ଥିଲେ ସରକାର ୨ଲକ୍ଷ ୫୦ହଜାର ଟଙ୍କାର ବିବାହ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରୁଛନ୍ତି । ଏହି କ୍ରମରେ ଆଜି ୭ ଜଣ ଦମ୍ପତିଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଁଏ ଚେକ୍ ଆକାରରେ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ୨୦୨୩ ମସିହା ଏଚ୍.ଏସ୍.ସି. ପରୀକ୍ଷାରେ ସି.ଡବ୍ଲ୍ୟୁ. ଏସ୍.ଏନ୍.ପିଲାମାନଙ୍କ ମଧ୍ୟରେ ୬୦୦ମାର୍କରୁ ୪୯୩ନମ୍ବର ରଖି ଜିଲ୍ଲା ଟପ୍ସର ହୋଇଥିବା ଛାତ୍ର ଶ୍ରବଣ କୁମାର ପାତ୍ରକୁ ମାନପତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା। ସେହିଭଳି କନ୍ଧମାଳ ଜିଲ୍ଲାରେ ୧୦ଗୋଟି ସର୍ଜରୀ କ୍ୟାମ୍ପ କରି ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୬୫ ଜଣ ଜନ୍ମଗତ ପାଦ ବିକୃତ ପିଲାଙ୍କ ୩୫୬ଟି ପାଦ ଅସ୍ତ୍ରୋପଚାର କରାଇଥିବାରୁ ଶ୍ରୀ ଅକ୍ଷୟ କୁମାର ପଣ୍ଡାଙ୍କୁ ମଧ୍ୟ ମାନପ‌ତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ,ବାଲିଗୁଡ଼ା ସ୍ଥିତ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟ, ବନବାସୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନକରାଯାଇଥିଲା। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଏଡ୍‌ସ ଓ ଆପ୍ଲିଆନ୍ସ ପ୍ରଦାନ କରାଯାଇଥିଲା। ବନବାସୀ ସେବା ସମିତିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.