ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ…


କୃଷି ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲ
ଛତ୍ରପୁର : ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଅନ୍ୟ ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲାରେ ଛଅ ସାତ ଦିନ ଅତ୍ୟଧିକ ମାତ୍ରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ଏହି ପୂର୍ବାନୁମାନଙ୍କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଆଭାସୀ ମାଧ୍ୟମରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେଯେ, ଭାରତୀୟ ପାଣିପାଗ ବିଭାଗୀୟ ସୂଚନା ମୁତାବକ ଆସନ୍ତା ଛଅ ସାତ ଦିନ ଅଧିକ ବର୍ଷା ହୋଇପାରେ । ଏଣୁକରି କୃଷକ ମାନଙ୍କୁ ଅତ୍ୟଧିକ ସତର୍କ ରହିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି । ଯେଉଁ ଚାଷୀଗଣ ସେମାନଙ୍କ ଧାନ କାଟିସାରିଛନ୍ତି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନ ହେଲେ ତାହାକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ । ଅମଳ ଉପଯୋଗୀ ଅନ୍ଯାନ୍ଯ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରି ରଖନ୍ତୁ । କଟା ହୋଇଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ ।

କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନହେଲେ ପଲିଥିନ୍ ଘୋଡେଇ ସୁରକ୍ଷିତ ରଖନ୍ତୁ । ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଫସଲକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଅମଳ ଉପଯୋଗୀ ମାଣ୍ଡିଆ ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ଅମଳ ଉପଯୋଗୀ କପା ଫସଲକୁ ଅତିଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନତେ ସାଇତି ରଖନ୍ତୁ । ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସଦ୍ୟ ଲଗାଯାଇଥିବା ଆଳୁ କିଆରୀରେ ନାଳିକାଟି ନାଳି ମୁହଁ ଖୋଲା ରଖନ୍ତୁ । ସମସ୍ତ ରବିଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । ବର୍ତ୍ତମାନ ମୂଳା, ବିନ୍ସ , କୋଶଳା, ଧନିଆ,ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତଳି ବିକ୍ରୟ କରନ୍ତୁ । ବାଇଗଣ, ବିଲାତି ବାଇଗଣ, ଫୁଲକୋବି, ବନ୍ଧାକୋବି, ବ୍ରୋକଲି ଓ କ୍ଯାପିକମ୍ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ ।


କୃଷକଙ୍କ ସତର୍କତା ନିମନ୍ତେ ପ୍ରତି ଗ୍ରାମରେ ଏହି ବାର୍ତ୍ତା ପ୍ରଚାର କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ଜନିତ ପାଣି ଜମା ହେବାର ସମ୍ଭାବନା ରହିଛି । ତେଣୁ ସ୍ଥିତି କୁ ଧ୍ୟାନରେ ରଖି ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ହୋଇପାରେ । ତେଣୁ ପୂର୍ବରୁ ଉକ୍ତ ସ୍ଥାନଗୁଡିକ ଚିହ୍ନଟ କରି ଆଗୁଆ ସଜାଗ ରହିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ମାନଙ୍କୁ କୁହାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଯାଂଚ୍ କରି ସଜାଗ କରି ରଖିବାକୁ କୁହାଯାଇଛି । ମତ୍ସ୍ୟଜୀବୀଗଣଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବା ସକାଶେ ନଯିବା ନିମନ୍ତେ କୁହାଯାଇଛି । ଏଥି ନିମନ୍ତେ ସମୁଦ୍ର ତଳି୍ଆ ଅଞ୍ଚଳରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଚ୍ଚାଘର ଚିହ୍ନଟ କରି କଚ୍ଚାଘରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଆବଶ୍ଯକ ସ୍ଥଳେ ସ୍ଥାନାନ୍ତର କରାଯିବ । ଏଥି ସକାଶେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ଷା ହେଲେ ପାଣି ଜମି ରହୁଥିବା ଅଞ୍ଚଳ ଗୁଡିକରେ ପାଣି ନିଷ୍କାସନ ବ୍ୟବସ୍ଥା ସକାଶେ ସଜାଗ ରହିବାକୁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ରବିବାର ସରକାରୀ ଛୁଟି ଥିବା ହେତୁ କୃଷି ବିଭାଗୀୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେମାନେ ନିଜ ନିଜ ହେଡକ୍ବାର୍ଟର ଛାଡି ଯିବେ ନାହିଁ ବୋଲି ଜିଲ୍ଲାପାଳ ଅବଗତ କରାଇଛନ୍ତି । ବର୍ଷା ଜନିତ କୌଣସି ଅସୁବିଧା ଦେଖାଗଲେ ସେଗୁଡିକର ସମାଧାନ କ୍ଷେତ୍ରରେ ସଜାଗ ରହିବାକୁ ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ, ଜଳ ସେଚନ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

nis-ad
Leave A Reply

Your email address will not be published.