ବହୁମୁଖୀ କଳା ପ୍ରତିଭା ଏଲ .ଶେଷାଦ୍ରୀ ରେଡ୍ଡୀଙ୍କ ଅକାଳ ବିୟୋଗ…

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରେଡ୍ଡୀ ସାହି ନିବାସୀ ତଥା ବହୁମୁଖୀ କଳାପ୍ରତିଭାର ଅଧିକାରୀ ରେକିମାଷ୍ଟର ଏଲ. ଶେଷାଦ୍ରୀ ରେଡ୍ଡୀ (୬୨)ଙ୍କର ଶୁକ୍ରବାର ରାତ୍ର ପ୍ରାୟ ୮ଘଣ୍ଟ ସମୟରେ ଅକାଳ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଶୁକ୍ରବାର ଦିନ ସନ୍ଧ୍ୟା ସାଢ଼େ ସାତଟା ବେଳେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିବା ଅନୁମାନ କରାଯାଉଛି । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ସେଠାରେ ଡକ୍ଟର ରଶ୍ମିରେଖା ବେହେରା ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ । ସ୍ବର୍ଗତ ଶେଷାଦ୍ରୀ ଜଣେ ପ୍ରତିଷ୍ଠିତ ରେକିମାଷ୍ଟର ହେବା ସହ ବିଭିନ୍ନ ବହୁ ମୁଖୀ କଳା ପ୍ରତିଭାର ଅଧିକାରୀ ଥିଲେ । ନବେ ଦଶକରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ମଞ୍ଚ ଅଭିନେତା ଭାବେ ଗଞ୍ଜାମ କଳା ପରିଷଦ ତରଫରୁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ଶେଷାଦ୍ରୀ ଏକା ଧାରରେ ଜଣେ ବଂଶୀବାଦକ,ତବଲା ବାଦକ ଓ ଗାୟକ ମଧ୍ୟ ଥିଲେ । ରାଜନୀତି କ୍ଷେତ୍ରରେ ମଧ୍ୟ ସେ ବେଶ ସଫଳ ହୋଇଥିଲେ । ସେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ବିଜେପି କାଉନସିଲର ଭାବେ ବେଲଗୁଣ୍ଠା ଏନଏସିର ଦୁଇ ନମ୍ବର ୱାର୍ଡରୁ ନିର୍ବାଚିତ ହୋଇଥିଲେ । ସେ ଦୀର୍ଘ ବର୍ଷ ଧରି ବେଲଗୁଣ୍ଠା ସେବା ସମବାୟ ସମିତି ଲିଃର ଜଣେ ଡ଼ାଇରେକ୍ଟର ଭାବେ ରହି ଆସିଥିବା ବେଳେ ଚାରିବର୍ଷ ପାଇଁ ବିଜେପିର ବେଲଗୁଣ୍ଠା ନଗର ସଭାପତି ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆମାୟିକ ସ୍ୱଭାବର ଶେଷାଦ୍ରୀ ୨୦୧୩ ମସିହାରେ ଘୁମୁସର ମହୋତ୍ସବ କମିଟି ତରଫରୁ ମଧ୍ୟ ଘୁମୁସର ସମ୍ମାନରେ ସଂମ୍ମାନୀତ ହୋଇଥିଲେ । ତାଙ୍କର ୧୦୦ରୁ ଉର୍ଦ୍ଧ ଗଳ୍ପ ,ପ୍ରବନ୍ଧ ଓ କବିତା ବିଭିନ୍ନ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର , ମାସିକ ଓ ଷଣମାସିକ ମେଗାଜିନରେ ପ୍ରକାଶିତ ହୋଇ ସାରିଛି । ସ୍ଥାନୀୟ ସତ୍ୟସାଇ ମନ୍ଦିର ଓ ସଙ୍ଗଠନ ସହ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ସମୟ ଜଡିତ ରହିବା ସହ ଗୋଟିଏ ବର୍ଷ ଆବାହକ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିବା ସୂଚନା ମିଳିଛି । ତାଙ୍କର ଅକାଳ ବିୟୋଗ ଖବର ଶୁଣି ସ୍ଥାନୀୟ ଏନଏସି ନଗରପାଳ ଫିରୋଜ କୁମାର ସେଠୀ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ଶିକ୍ଷାବିତ ମନୋରଞ୍ଜନ ପାଣିଗ୍ରାହୀ, ବିଜେପି ନେତା ତଥା  ଶେଷାଦ୍ରୀଙ୍କ ବନ୍ଧୁ ପ୍ରଶାନ୍ତ କୁମାର ପଣ୍ଡା, କାଉନସିଲର ଏସ.ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାସ, ପ୍ରଦୀପ କୁମାର ସେଠୀ, ଏ.ଦିଲୀପ କୁମାର ଆଚାରୀ, ବିଶ୍ୱନାଥ ଦଳାଇ, ଗୋଷ୍ଠି ସଙ୍ଗଠକ ରଞ୍ଜିତ କୁମାର ସାମଲ, ମନୋଜ କୁମାର ସ୍ୱାଇଁ, ସ୍ଥାନୀୟ ସତ୍ୟସାଇ ସେବା ସମିତି ଆବାହକ ଡକ୍ଟର ବିଷ୍ଣୁପ୍ରସାଦ ପାଢ଼ୀ ଓ ଅନ୍ୟନ୍ୟ ସାଇ ଭକ୍ତ , ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର, ବେଲଗୁଣ୍ଠା ମିଡ଼ିଆ କ୍ଲବର ବହୁ ସଦସ୍ୟ, ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ଅନେକ ରେକି ଛାତ୍ର ଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷାଦ୍ରୀଙ୍କ ରେଡ୍ଡୀ ସାହି ସ୍ଥିତ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷାଦ୍ରୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ପୁରୀ ସ୍ୱର୍ଗଦ୍ୱାରରେ ଶେଷାଦ୍ରୀଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁଅ ଏଲ. ଶୂନ୍ୟସ୍ୱରୂପ ରେଡ୍ଡୀ ମୁଖାଗ୍ନି ଦେଇଥିଲେ । ତିନିଭାଇ ସଂଜୀବ, ଶୋଭନ ଓ ମିଡ଼ିଆ କ୍ଲବ ସଭାପତି ତଥା ଏସୟୁଜେ ରାଜ୍ୟ ଓ ଜିଲ୍ଲା କାର୍ୟ୍ଯକାରିଣୀ ସଦସ୍ୟ ଏଲ. ସତୀଶ ରେଡ୍ଡୀ ଓ ବହୁ ଆତ୍ମୀୟ ସ୍ୱଜନ ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.