ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ଥିବା ଅନୂସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ଥିବା ହଷ୍ଟେଲମାନଙ୍କର ରୂପ ବଦଳିବା ଆରମ୍ଭ କରିଛି । ସୁନ୍ଦରଗଡ ଜିଲ୍ଲାରେ ୫୧୫ ହଷ୍ଟେଲ ଥିବା ବେଳେ ୨୨୩ ଗୋଟି ହଷ୍ଟେଲର ରୂପ ବଦଳିବା ଆରମ୍ଭ କରିଛି । ଏଥିରେ ବର୍ତମାନ ୨୩୦୬୩ ଜଣ ଛାତ୍ରଛାତ୍ରୀ ରହୁଛନ୍ତି ।
ଏହି ସବୁ ହଷ୍ଟେଲମାନଙ୍କରେ ରହୁଥିବା ପିଲାମାନଙ୍କର ସୁଖ ସୁବିଧା ପାଇଁ ପର୍ଯ୍ୟାୟକ୍ରମେ ଅନେକ ସୁବିଧା ସୁଯୋଗ ଯୋଗ କରାଯାଇଛି । ଉଦାହରଣ ସ୍ୱରୁପ ଏଥିରେ ୧୯.୪୧ କୋଟି ଟଙ୍କା ବ୍ୟୟରେ ୧୭ଟି ନୂଆ ହଷ୍ଟେଲ ସ୍ଥାପନ କରାଯାଉଛି । ସେହିପରି ଏହି ସବୁ ହଷ୍ଟେଲମାନଙ୍କ ମଧ୍ୟରୁ ୮୨ ଗୋଟି ହଷ୍ଠେଲଠାରେ ଗାଧୁଆଘର, ଶୌଚାଳୟ , ରୋଷେଇଘର ଏବଂ ଡାଇନିଂ ହଲ ଆଦିର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୬୯.୧୭ କୋଟି ବ୍ୟୟ କରାଯାଉଛି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଭିତ୍ତିଭୂମିର ବିକାଶ ହେବା ସହ ପିଲାମାନଙ୍କୁ ଭଲ ସେବା ମିଳିପାରିବ ।
ଏହି ସବୁ ହଷ୍ଟେଲମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଜାରୀ ରଖିବା ପାଇଁ ଡିଜେଲ ଜେନେରେଟରର ବ୍ୟବସ୍ଥା କରାଯାଉଛି । ୧୩୭ ଗୋଟି ଡିିଜି ସ୍ଥାପନ କରିବା ଦିଗରେ ୭.୦୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯାହା ଫଳରେ ଏବେ ପିଲାମାନେ ରାତିରେ ବିନା ବାଧାରେ ବିଜୁଳୀ ବିଭ୍ରାଟ ସମୟରେ ମଧ୍ୟ ପାଠ ପଢି ପାରୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଏହି ସବୁ ହଷ୍ଟେଲମାନଙ୍କୁ ଖଟ ଏବଂ ଅନ୍ୟାନ୍ୟ ଆସବାବ ପତ୍ର ସହ ବିଭିନ୍ନ ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି । ପିଲାମାନଙ୍କର ପାଠପଢା ଏବଂ ବିଶ୍ରାମରେ ଯେପରି ବ୍ୟାଘାତ ନହେବ ସେଥିପାଇଁ ୧୧.୫୫ କୋଟିର ଅର୍ଥ ବ୍ୟୟ କରାଯାଇଛି ।
ଏହି ବ୍ୟବସ୍ଥାକୁ କ୍ରିୟାଶୀଳ ଏବଂ ପିଲାମାନଙ୍କୁ ଅଧିକରୁ ଅଧିକ ସୁବିଧା ସୁଯୋଗ ଦେବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ଅଛି । ଯଥା, ୨୦୦ ପ୍ରାଥମିକ ସ୍କୁଲ ହଷ୍ଟେଲ ଗୁଡିକରେ ନୂଆ ହଷ୍ଟେଲ ନିର୍ମାଣ, ପୁରୁଣା ହଷ୍ଟେଲ ଭାଙ୍ଗିବା ଏବଂ କାର୍ଯ୍ୟକ୍ଷମ ଥିବା ହଷ୍ଟେଲ ଗୁଡିକର ମରାମତି ପାଇଁ ୨୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସେହିପରି ୫୨୫ ହଷ୍ଟେଲ ଗୁଡିକର ମରାମତି, ଶୌଚଳାୟ, ରୋଷେଇ ଘର ଡାଇନିଂ ହଲର ମରାମତି , ଆଇଟି ଲ୍ୟାବ୍ ପ୍ରତିଷ୍ଠା ଏବଂ ଲାଇବ୍ରେରୀ ଇତ୍ୟାଦିର ସ୍ଥାପନା ପାଇର୍ ୨୮୭.୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
ଏହିପରି ବ୍ୟବସ୍ଥା କରି ଜିଲ୍ଲା ପ୍ରଶାସନ ପିଲାମାନଙ୍କର ରହିବା ବିଶ୍ରାମ ନେବା ଏବଂ ପାଠପଢିବା ବ୍ୟବସ୍ଥାକୁ ବେଶ୍ ସାବଲୀଳ କରିପାରିଛନ୍ତି । ଏହିସବୁ ବ୍ୟବସ୍ଥା ଦ୍ୱାରା ପିଲାମାନେ ମଧ୍ୟ ବେଶ୍ ଉପକୃତ ହେଉଛନ୍ତି ।