ଦାରିଦ୍ରତାର ତାଡନା:ସ୍ୱାମୀ ବଂଚି ଥାଉଥାଉ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ବୁଝିବାକୁ ଯାଇଥିଲେ ଅସହାୟ ସ୍ତ୍ରୀ…

ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ମହିଳା କାଉାନଶିଲର…


ଦେବଗଡ଼,:ହରିଶ୍ଚନ୍ଦ୍ର ଯୋଜନାରେ କିଭଳି ଟଙ୍କା ମିଳିବ ବୋଲି କାଉନଶିଲରଙ୍କ ନିକଟକୁ ପଚାରିବାକୁ ଆସିଥିଲେ ବଂଚିବାର ଆଶା ଛାଡି ଦେଇଥିବା ଜଣେ ମୁମୂର୍ଷୂ ରୋଗୀଙ୍କ ସ୍ତ୍ରୀ । ହେଲେ ସହୃଦୟ ମହିଳା କାଉନଶିଲର ଜଣକ ଘଟଣାର ଗୁରୁତ୍ୱ ବୁଝିବାପରେ ଜୀବନ ବଂଚାଇବାକୁ ରାତି ଅଧରେ ପହଂଚି ଯାଇଥିଲେ ସମ୍ପୃକ୍ତ ରୋଗୀଙ୍କ ଘରେ । ନିଜର ଗାଡିରେ ଡାକ୍ତରଖାନା ଆଣିବାକୁ ଉଦ୍ୟମ କରିଥିଲେ ହେଁ ସୁବିଧା ନହେବାରୁ ଆମ୍ବୁଲାନ୍ସ ଡକାଇ ସମ୍ପୃକ୍ତ ରୋଗୀକୁ ଭର୍ତୀ କରିଥିଲେ ଜିଲା ମୂଖ୍ୟ ଚିକିତ୍ସାଳୟରେ । ସେହିପରି ପ୍ରତ୍ୟକ୍ଷ ଭାବେ ଜିଲା ମୂଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହି ବୁର୍ଲା ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ । ଏକଥା ଜଣାପଡିବା ପରେ ସମ୍ପୃକ୍ତ କାଉନଶିଲରଙ୍କ ଏଭଳି ଉଦ୍ୟମକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଦିନ ମଜୁରିଆ ଭାବେ କାମକରି ପେଟ ପୋଷୁଥିବା ଦେବଗଡ ପୌରାଂଚଳ ୧୦ ନମ୍ବର ୱାର୍ଡ ରାଜାମୁଣ୍ଡା ମୁଣ୍ଡାସାହିର ଭୁମିହୀନ ହେମ ମୁଣ୍ଡା(୩୭)ଦୀର୍ଘଦିନ ହେଲା କିଡନୀ ରୋଗରେ ଆକ୍ରନ୍ତ ହୋଇ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ଅବସ୍ଥା ଅତ୍ୟନ୍ତ ଗୁରୁତର ଏବଂ ଦୟନୀୟ ହୋଇପଡିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ । ମାତ୍ର ହେମଙ୍କ ସ୍ତ୍ରୀ ନର୍ମଦା ମୁଣ୍ଡା ଅର୍ଥବଳ ଏବଂ ଲୋକ ବଳ ଅଭାବରୁ ବୁର୍ଲା ଡାକ୍ତରଖାନାକୁ ନେଇନପାରି ଆଦରି ହେମଙ୍କୁ ନିଜ ଘରକୁ ଫେରାଇ ଆଣିଥିଲେ । ଫଳରେ ଚିକିତ୍ସା ଅଭାବରୁ ଦିନକୁ ଦିନକୁ ଦିନ ହେମଙ୍କ ଅବସ୍ଥା ଅଣାୟତ ହେବାରେ ଲାଗିଥିଲା । ଏହା ସତ୍ୱେ ସ୍ତ୍ରୀ ନର୍ମଦା ଉପଯୁକ୍ତ ଚିକିତ୍ସା କରାଇନପାରି ସ୍ୱାମୀଙ୍କର ବଂଚିବାର ଆଶା ସମ୍ପୂର୍ଣ୍ଣ ଭାବେ ଛାଡି ଦେଇଥିଲେ । ଏଥିସହ ହେମଙ୍କ ମୃତ୍ୟ ଆସନ୍ନ ମନେ କରି ମୃତ୍ୟୁ ପରେ ରହିଥିବା ହରିଶ୍ଚନ୍ଦ୍ର ଯୋଜନା ଭଳି ସରକାରୀ ସୁବିଧା ସମ୍ପର୍କରେ ବୁଝିବା ପାଇଁ ନର୍ମଦା ଗତକାଲି ରାତ୍ରୀରେ ୧୦ ନମ୍ବର ୱାର୍ଡର କାଉନଶିଲର ଈତିଶ୍ରୀ ମିଶ୍ରଙ୍କ ଘରକୁ ଯାଇଥିଲେ । ତେବେ ତାଙ୍କ କଥା ଶୁଣି କାଉନଶିଲର ଶ୍ରୀମତି ମିଶ୍ର ବ୍ୟଥିତ ହୋଇପଡିବା ସହ ହେମଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବଂଚି ଥାଉଥାଉ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ଚିନ୍ତା କରିବା ପରିବର୍ତେ ଚିକିତ୍ସା ଦ୍ୱାରା ତାଙ୍କୁ ବଂଚାଇବାକୁ ପରାମର୍ଶ ଦେଇଥିଲେ । ତେବେ ନର୍ମଦା ନିଜର ଅସହାୟତା ପ୍ରକାଶ କରି ହେମଙ୍କ ମୃତ୍ୟୁ ଆସନ୍ନ ବୋଲି ପ୍ରକାଶ କରିଥିଲେ । ଫଳରେ କାଳ ବିଳମ୍ବ ନକରି କାଉନଶିଲର ଶ୍ରୀମତି ମିଶ୍ର ସ୍ୱାମୀ ତଥା ସ୍ୱେଚ୍ଛାସେବୀ ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ସହିତ ହେମଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଥିଲେ । ଏଥିସହ ଘଟଣାର ଗମ୍ଭୀରତା ଉପଲବ୍ଧି କରି ନିଜର କାରରେ ବସାଇ ଜିଲା ମୂଖ୍ୟ ଚିକିତ୍ସାଳୟକୁ ନେବାକୁ ଉଦ୍ୟମ କରିଥିଲେ । ମାତ୍ର ସୁବିଧା ନହେବାରୁ ୧୦୮ ଆମ୍ବୁଲାନ୍ସ ଡକାଇ ହେମଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ପହଂଚାଇଥିଲେ । ରାତ୍ରୀ ୧୧ଟା ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ ହେମଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା । ତେବେ କାଉନଶିଲର ଜିଲା ମୂଖ୍ୟ ଚିକିତ୍ସାଳୟରେ ରହି ହେମଙ୍କୁ ବୁର୍ଲା ପଠାଯିବାର ସମସ୍ତ ବ୍ୟବସ୍ଥା କରିବାସହ ହେମଙ୍କ ସ୍ତ୍ରୀ ନର୍ମଦାଙ୍କୁ କିଛି ଆର୍ଥିକ ସହୟାତା ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି । କାଉନଶିଲର ଶ୍ରୀମତି ମିଶ୍ରଙ୍କ ଏଭଳି ଉଦ୍ୟମକୁ ସହରର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

nis-ad
Leave A Reply

Your email address will not be published.