ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର। କେବେ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ସେନେଇ ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ମାର୍ଚ୍ଚରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି। ବାକି ୨ ଲକ୍ଷ ୬୭ ହଜାର ହିତାଧିକାରୀ ବାଦ୍ ପଡିଥିଲେ। ସେମାନଙ୍କ ରିଭ୍ୟୁ କାମ ଚାଲିଛି। ଖୁବଶୀଘ୍ର ରିଭ୍ୟୁ କାମ ସରିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ।