ପଞ୍ଚାୟତରେ ସରପଞ୍ଚକୁ ତାଲା : ପୋଲିସ ଓ ତହସିଲଦାରଙ୍କ ହସ୍ତକ୍ଷେପରେ ତାଲା ଖୋଲିଲା

ଦାରିଙ୍ଗବାଡ଼ି,୧୮/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତରେ ଭତା ହିତାଧିକାରୀଙ୍କୁ ନିୟମିତ ଓ ଠିକ ଭାବେ ଭତା ପ୍ରଦାନ କରାଯାଉ ନଥିବାରୁ ସମସ୍ତ ଭତା ହିତାଧିକାରୀ ମାନେ ଆଜି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଲେ । ଏହି ଖବର ପାଇ ତହସିଲଦାର ଶରତ ଶବର ଓ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଭତା ହିତାଧିକାରୀ ତଥା ବୃଦ୍ଧ ବୃଦ୍ଧା,ବିଧବା ଓ ଭିନ୍ନକ୍ଷମଙ୍କୁ ବୁଝାସୁଝା କରିଥିଲେ । ହେଲେ ହିତାଧିକାରୀ ମାନେ ଆଜି ଆମର ଭତା ନଦେଲେ ଖୋଲିବୁ ନାହିଁ କହି କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲେ । ପ୍ରଶାସନ ଭତା ଦେବାର ପ୍ରତିଶ୍ରୁତି ଦେବାପରେ ତାଲା ଖୋଲିଥିଲେ ।

ଏହାପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ୟୁଙ୍କିଲ ଦିଗାଲଙ୍କୁ ଫୋନ କରି ଡକାଯାଇ ଥିଲା । ଖବର ପାଇ ଆସିଥିଲେ ଏବଂ ହିତାଧିକାରୀଙ୍କୁ ଭତା ପ୍ରଦାନ କରିଥିଲେ । ସୂଚନା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ୟୁଙ୍କିଲ ଦିଗାଲ ପ୍ରଶାସନିକ କାରଣରୁ ତୁମୁଡିବନ୍ଧ ବ୍ଳକରୁ ଦାରିଙ୍ଗବାଡ଼ି ବ୍ଳକକୁ ଗତ ୬ ମାସ ପୂର୍ବେ ବଦଳି ହୋଇ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତରେ କାର୍ୟ୍ଯକରୁଛନ୍ତି । ହେଲେ ଯେଉଁ ଦିନ ଠାରୁ ପଞ୍ଚାୟତର କାର୍ଯ୍ୟଭାର ଗ୍ରହଣ କଲେ ,ସେହି ଦିନ ଠାରୁ କାର୍ଯ୍ୟ ଠିକ ଭାବେ ନକରିବା, କାର୍ଯ୍ୟାଳୟକୁ ନିୟମିତ ନଆସିବା କାରଣରୁ ପଞ୍ଚାୟତରେ ଭତା ପ୍ରଦାନ ସମସ୍ୟା ସହିତ ବିଭିନ୍ନ ନିର୍ମାଣ, ମନରେଗା କାର୍ଯ୍ୟ ଶ୍ରମିକ, ଠିକାଦାର ଅର୍ଥ ପାଇବା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଆଜକୁ ୬ମାସରୁ ଉର୍ଦ୍ଧ ହେବ ପଞ୍ଚାୟତ ବୈଠକ ହୋଇ ପାରିନଥିବାରୁ କାର୍ଯ୍ୟ ସମ୍ପର୍କରେ ସୂଚନା ସହ ଅନ୍ୟାନ୍ୟ କାର୍ଯ୍ୟ ହେଉନଥିବା ୱାର୍ଡ ମେମ୍ବର ପ୍ରେମଲତା ପ୍ରଧାନ ଓ ବିଭୁତିଭୂଷଣ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଏହିଭଳି ନିରୀହ ସାଧାରଣ ଲୋକ ମାନେ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ପ୍ରକାଶ କରିଛନ୍ତି ।ଏଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାଧାନ କରିବାକୁ ପଞ୍ଚାୟତ ପକ୍ଷରୁ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.