ରାୟଗଡା ଜିଲ୍ଲାର ଥେରୁବାଲି ନିକଟରେ ହେବ ଦକ୍ଷିଣ ଓଡିଶାର ପ୍ରଥମ ଓ୍ବାଟରପାର୍କ…

ରାୟଗଡ଼ା : ବୃନ୍ଦାବନ ଆମ୍ୟୁଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏକ ୱାଟର୍ ପାର୍କ ନିର୍ମାଣ ନେଇ ଘୋଷଣା ହୋଇଛି । ଏଥିପାଇଁ ୱାଟର୍ ପାର୍କ ନିର୍ମାତା କମ୍ପାନୀ ପକ୍ଷରୁ ରାୟଗଡ଼ାସ୍ଥିତ ହୋଟେଲ ତେଜସ୍ୱିରେ ଏକ ପ୍ରିଲଞ୍ଚିଂ ସେରେମୋନି ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଟି/ଏସସି, ସଂଖ୍ୟାଲଘୁ, ପଛୁଆ ବର୍ଗ ବିକାଶ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ସୁଧିର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମାଝି, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ବୃନ୍ଦାବନ ଆମ୍ୟୁଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ର ନିର୍ଦ୍ଦେଶକ ଶ୍ରୀ ପଦ୍ମଲୋଚନ ମହାପାତ୍ର ଥେରୁବାଲି ନିକଟରେ ନିର୍ମାଣଧିନ ବୃନ୍ଦାବନ ଓୱାଟର ପାର୍କ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ପ୍ରୋଜେକ୍ଟର ସାହାଯ୍ୟରେ ପିପିଟି ଜରିଆରେ ସମସ୍ତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଝାଇଥିଲେ ।

ରାୟଗଡ଼ା ଭଳି ଜିଲ୍ଲାରେ ଏଭଳି ଏକ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ପ୍ରଶଂସା କରିବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ସୁଧିର ଦାସ ମଧ୍ୟ ଏହି ୱାଟର୍ ପାର୍କ ରାୟଗଡ଼ା ଜିଲ୍ଲାର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କହିଥିଲେ । ଏହାସହ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ଅନ୍ୟତମ ଅତିଥି ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ମଧ୍ୟ ଜିଲ୍ଲାରେ ନିର୍ମାଣଧୀନ ବୃନ୍ଦାବନ ୱାଟର୍ ପାର୍କ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳରେ ବିକାଶ କରିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼୍ କରିବ ବୋଲି କହିଥିଲେ । ସେହିଭଳି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ମଧ୍ୟ ରାୟଗଡ଼ା ଜିଲ୍ଲାରେ ଏକ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାଦ୍ୱାରା ରାୟଗଡ଼ା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଶୁଭ ସଂକେତ ବୋଲି କହିଥିଲେ । ବୃନ୍ଦାବନ ୱାଟର୍ ପାର୍କ ନିର୍ମାଣ ହେଉଥିବା କଣାବାଇ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବାସନ୍ତୀ କୋଣ୍ଡାଗୋରି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ପ୍ରକାଶ କରିବା ସହ ତାଙ୍କ ଅଞ୍ଚଳର ଉନ୍ନତି ହେବ ବୋଲି ଆଶା ପ୍ରକାଶ କରିଥିଲେ । ବୃନ୍ଦାବନ ଅମ୍ୟୁଜମେଣ୍ଟ ଲିମିଟେଡ୍ ର ପ୍ରୋଜେକ୍ଟ ମ୍ୟାନେଜର ମନୋଜ କୁମାର ନାୟକ, ପ୍ରମୋଟର ପ୍ରମୋଦ ଚନ୍ଦ୍ର ପଣ୍ଡା, ଡକ୍ଟର ବି. କାନ୍ତା ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.