ପୋଲିସ ଭ୍ୟାନ ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ…


ହିଂଜିଳିକାଟୁ (୧୭ା୧୧): ଗଂଜାମ ଜିଲା ହିଂଜିଳି ଥାନା ରାଜ୍ୟ ରାଜପଥ ନଂ ୩୬ର ଡ଼ି ପାଟପୁର ନିକଟରେ ଗୁରୁବାର ଏକ ପୋଲିସ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଇଂଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଓ ଅନ୍ୟ ଜଣେ ଛାତ୍ର ଗୁରୁତୁର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ଘଟିଥିବା ଛାତ୍ର ଜଣକ ଆସିକା ଓଡ଼ିଆ ସାହିର କାହ୍ନୁ ଚରଣ ଦାଶ । ଗୁରୁତର ଆହତ ଜଣକ ହେଲେ ଆସିକା ଅଂଚଳର ଦୀପକ ପ୍ରଧାନ । ଉଭୟ ଭାବନ୍ଧ ଠାରେ ଥିବା ଏକ ଘରୋଇ ଇଜିନିୟରିଂ କଲେଜରେ ଇଲେକ୍ଟ୍ରକାଲ ବିଭାଗରେ ପାଠ ପଢ଼ୁଥିଲେ । ଅନ୍ୟ ପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଭ୍ୟାନଟି ପୋଲିସ ଗାଡ଼ି ଅଟେ ବୋଲି ସ୍ପଷ୍ଟ ହୋଇଛି । ଗୁରୁବାର ଛତ୍ରପୁର ଠାରୁ ଏପିଆର ଓ ଓଏସଏପି ଫୋର୍ସଙ୍କୁ ନେଇ ଗାଡ଼ିଟି( ଓଡ଼ି ୦୫ଏଚ୍ ୨୦୫୮) ହିଂଜିଳି ଥାନାକୁ ଆସିଥିଲା । ଅପରାହ୍ନରେ ଫେରିବା ବେଳେ ହିଂଜିଳି ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ନଂ ୩୬ର ଡ଼ି ପାଟପୁର ନିକଟରେ ପୋଲିସ ଭ୍ୟାନ ସହ ବିପରୀତ ଦିଗରୁ ଆସୁଥିବା ପଲସର (ଓଡ଼ି ୩୨ଏଫ୍‌୮୩୪୯ ) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଆସୁଥିବା ୨ ଇଂଜିନିୟର ଛାତ୍ର କାହ୍ନୁ ଓ ଦୀପକ ଗୁରୁତର ଆହତ ହୋଇଥିଲେ । ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଷୋତମପୁରର ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ପ୍ରଥମେ ବେଲଗାଁ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଠାରେ କାହ୍ନୁଙ୍କ ମୃତ୍ୟୁ ଘଟିଥିବା ବେଳେ ଦୀପକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସପିଟାଲରେ ଭର୍ତି ହୋଇଛନ୍ତି । ଶୁକ୍ରବାର ଏହି ଘଟଣାକୁ ନେଇ ଉକ୍ତ ଘରୋଇ ଇଂଜିନିୟର ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଦୁଃଖ ପ୍ରକାଶ ପାଇଛି ।
ନ୍ୟ ପକ୍ଷରେ ଘଟଣା ନେଇ ଗୁରୁବାର ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୁଚନା ପ୍ରଦାନ କରା ଯାଇ ନଥିବା ବେଳେ , ହିଂଜିଳି ଥାନାରେ ଏ ସଂକ୍ରାନ୍ତରେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ଏପିଆର ଓ ଓଏସଏପି ଫୋର୍ସଙ୍କୁ ନେଇ ଯାଉଥିବା ପୋଲିସ ଗାଡ଼ିର ସରକାରୀ ଡ଼୍ରାଇଭର ଶ୍ରୀକାନ୍ତ କୁମାର ବେହେରା ଅଭିଯୋଗ କରିଛନ୍ତି ଯେ, ବେପରୁଆ ଭାବେ ଡ଼୍ରାଇଭିଂ କରି ଆସୁଥିବା ଇଂଜିନିୟର ଛାତ୍ରଙ୍କ ପଲସର ବାଇକଟି ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରି ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ୨ଛାତ୍ର ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ସେ ଓ ଅନ୍ୟ ପୋଲିସ କର୍ମଚାରୀ ଗୁରୁତର ୨ଛାତ୍ରଙ୍କୁ ଡ଼ାକ୍ତରଖାନା ନେଇଥିବା ଦର୍ଶାଇଛନ୍ତି । ଏହି ଅଭିଯୋଗ ଅନୁସାରେ ଥାନାରେ ନଂ-୮୭୦/୧୧ରେ ମାମଲା ରୁଜୁ ହୋଇଛି ।
ଅନ୍ୟ ପକ୍ଷରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଇଂଜିନିୟର ଛାତ୍ର କାହ୍ନୁ ଚରଣ ଦାଶଙ୍କ ବାପା ଦେବେନ୍ଦ୍ର ଦାଶ ପୁଅର ପରୀକ୍ଷା କାରଣରୁ ବାଇକରେ ଭାବନ୍ଧର ଏକ ଘରୋଇ ଇଂଜିନିଅରିଂ କଲେଜକୁ ଯାଇଥିଲେ । ଫେରିବା ବେଳେ ଆସିକା ଅଂଚଳର ତାଙ୍କର ସହପାଠୀ ସାଙ୍ଗ ଦୀପକଙ୍କୁ ବାଇକରେ ବସାଇ ଆସୁଥିଲେ । ଡ଼ି ପାଟପୁର ନିକଟରେ ଏକ ଘୁଷୁରୀ ରାସ୍ତା ଉପରକୁ ଆସିଯିବାରୁ ସାମ୍ନାରେ ଆସୁଥିବା ପୋଲିସ ଗାଡ଼ିକୁ ବାଇକ ଧକ୍କା ଦେଇଥିବା ଦର୍ଶାଇଛନ୍ତି । ଦେବେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଥାନାରେ ନଂ-୮୭୨/୨୩ରେ ମାମଲା ରୁଜୁ ହୋଇଛି । ଘଟଣା ନେଇ ଭିନ୍ନ ଭିନ୍ନ ଆଲୋଚନା ସାଧାରଣରେ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.