ଷଷ୍ଠ ଜିଲ୍ଲା ପରିଷଦ ର ଚତୁର୍ଥ ବୈଠକ ଅନୁଷ୍ଠିତ…

ସୁନ୍ଦରଗଡ:- : ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଳ କୁମାର ଲାକ୍ରା, ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ ଡ଼ା. ସି. ଏସ. ରାଜେନ ଏକ୍କା,ବିରମିତ୍ରାପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ ଯୋଗ ଦେଇ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବା ସହ ଏହାକୁ ଆଗାମୀ ଦିନରେ କିପରି ତ୍ୱରାନ୍ୱିତ କରାଯିବ ତାହା ଉପରେ ଆଲୋଚନା କରିଥିଲେ ।

ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମହାଜନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର ଲକ୍ଷ୍ୟ ଏବଂ ଆଭିମୂଖ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ପ୍ରଥମେ ବକ୍ତବ୍ୟ ରଖି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାକୁ ସାମିଲ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକ ରେ ଜନ ପ୍ରତିନିଧି ମାନେ ଜିଲ୍ଲାର ବହୁବିଧ ସମସ୍ୟା ଉପରେ ଆଲୋକାପାତ କରିବା ସହ ବିଭିନ୍ନ ପାଣ୍ଠି ମୁଖ୍ୟତଃ ଡିଏମଏଫ ପାଣ୍ଠିର ସଦୁପଯୋଗ କରି ଏହି ସବୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

  ବୈଠକରେ ଅଭିଭାଷଣ ରଖି ଜିଲ୍ଲାପାଳ ପରାଗ ଗାଭାଲୀ ମତ ଦେଇଥିଲେ ଯେ,  ବିଗତ ଦିନମାନଙ୍କରେ ଜିଲ୍ଲାରେ ଅନେକ ଉନ୍ନତିମୂଳକ କାର୍ଯ୍ୟରେ ପଂଚାୟତ ପ୍ରତିନିଧିମାନେ ସହଯୋଗ କରିଛନ୍ତି  ଏବଂ ଏଥିପାଇଁ ସେମାନଙ୍କୁ କୃତଜ୍ଞତା  ଜ୍ଞାପନ । ସେହିଭଳି ସେ ସୂଚନା ଦେଇଥିଲେ ଯେ, ଜିଲ୍ଲା ରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରହିଛି।   ପ୍ରାଥମିକ ବିଦ୍ୟାଳୟରେ ଥିବା ହଷ୍ଟେଲମାନଙ୍କର ପୁନଃରୁଦ୍ଧାର କାମ ଜାରି ରହିଛି।  ପଂଚାୟତ ସ୍ତରରେ ଖେଳାଯାଉଥିବା କ୍ରୀଡାକୁ ନେଇ ପ୍ରତି ପଂଚାୟତରେ ଗୋଟିଏ କରି ଖେଳପଡିଆ ନିର୍ମାଣ କରାଯାଉଛି ।  ସେହିପରି ୯ମ ଏବଂ ୧୦ମ ଶ୍ରେଣୀର ଅଣ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଏବଂ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାପାଳ ଆହୁରି ସୂଚନା ଦେଇ କହିଲେ ଯେ, ଜିଲ୍ଲାର ଆଇଆଇଟି ଏବଂ ନିଟ୍ ପରୀକ୍ଷା ଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ସ୍ମାର୍ଟ କ୍ଲାସ୍ ରୁମ ମାଧ୍ୟମରେ କୋଚିଂ ବ୍ୟବସ୍ଥା କରାଯାଉଛି । ଆଗାମୀ ଦିନରେ ସବୁ ବ୍ଲକ୍ ରେ ରାଗି ଲଡୁ ବଂଟନ ବ୍ୟବସ୍ଥା ଏବଂ କର୍ମଜୀବି ମହିଳାଙ୍କ ଶିଶୁପାଇଁ କ୍ରେଚ୍ ର ବ୍ୟବସ୍ଥା କରାଯିବାକୁ ଉଦ୍ୟମ ଚାଲିଛି ।ଏହି ଅବସରରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ ଲକ୍ଷ୍ମୀ ବସ୍ ପରିବହନ ଯୋଜନା ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସୁନ୍ଦରଗଡରେ ଏହି ଯୋଜନା ଚତୁର୍ଥ ପର୍ଯ୍ୟାୟରେ ଲାଗୁ ହେବାର ଯୋଜନା ରହିଛି ଏବଂ ଏହା ସହିତ କଲେଜ ରୂପାନ୍ତରଣ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ପ୍ରକଳ୍ପ ସବୁର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ମିଳିତ ସମନ୍ଵୟ ଆବଶ୍ୟକ ବୋଲି କହିଥିଲେ। ଏଣୁ ଏହି ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତା ବଜାୟ ରଖିବା ନିମନ୍ତେ ସମୟ ସମୟ ରେ ଜିଲ୍ଲା ପରିଷଦ ସଦସ୍ୟ ମାନେ ଏହି ସବୁର ନିରୀକ୍ଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ପରେ ପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମହାଜନ ବିଗତ ବର୍ଷରେ ସଭ୍ୟମାନଙ୍କର ଅବଦାନ ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ ହେବା ସହ ମନରେଗା ପ୍ରକଳ୍ପ କାର୍ଯ୍ୟକାରିତା ରେ ରାଜ୍ୟରେ ଶ୍ରେଷ୍ଠ ତିନି ଜିଲ୍ଲା ମଧ୍ୟରେ ସାମିଲ ଥିବା କହିବା ସହିତ ସମସ୍ତ ସଭ୍ୟମାନଙ୍କର ସହଯୋଗରୁ ବ୍ୟାଙ୍କ ସୁବିଧା ନଥିବା ୨୦୯ ଗୋଟି ଗ୍ରାମ ପଂଚାୟତ ମଧ୍ୟରୁ ୧୭୯ଟି ପଂଚାୟତରେ ବ୍ୟାଙ୍କ ବ୍ୟବସ୍ଥା ହୋଇପାରିଥିବାବେଳେ ବାକିଥିବା ୩୦ଟି ପଂଚାୟତରେ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ସେହିପରି ଜିଲ୍ଲାର ସମସ୍ତ ସ୍କୁଲ ୨୦୨୬-୨୭ ସୁଦ୍ଧା ରୁପାନ୍ତରିତ ହୋଇ ସାରିଥିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।

  ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଯଥା ସ୍ବାସ୍ଥ୍ୟ, କୃଷି, ଯୋଗାଣ, ଶିକ୍ଷା, ରାସ୍ତା ସଂଯୋଗୀକରଣ ଏବଂ ଅନ୍ୟାନ୍ୟ ବିଭାଗ ଦ୍ଵାରା ଜିଲ୍ଲା ରେ ଚାଲୁ ଥିବା ବିଭିନ୍ନ ଉନ୍ନୟମୂଳକ  କାର୍ଯ୍ୟକ୍ରମର ଗୁଡ଼ିକର  ସମୀକ୍ଷା ହୋଇଥିଲା । କାର୍ଯ୍ୟକ୍ରମ ରେ ସବୁ ବ୍ଲକ ଜନ ପ୍ରତିନିଧି, ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.