ବନ୍ଦ କୋଠରୀରୁ ପ୍ରାଣୀଧନ ନିରୀକ୍ଷକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ !

ହିଞ୍ଜିଳିକାଟୁ, ୧୬ା୧୧: ଗୁରୁବାର ସକାଳେ ହିଞ୍ଜିଳି ଥାନା କଞ୍ଚୁରୁ ପ୍ରାଣୀଧନ କାର୍ଯ୍ୟାଳୟ ବନ୍ଦ କୋଠରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ କଞ୍ଚୁରୁ ପ୍ରାଣୀଧନ ନିରୀକ୍ଷକ ଡାକ୍ତର ପ୍ରମୋଦ କୁମାର ମହାକୁଡ । ମୃତକଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମର । ସେ ଗତ ୩ବର୍ଷ ହେଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଶୁ ସମ୍ପଦ କାର୍ଯ୍ୟାଳୟ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ । ମିଳିଥିବା ସୂଚନା ପ୍ରକାରେ, ମୃତକ ଜଣଙ୍କ ସେଠାରେ କାର୍ଯ୍ୟ କରିବା ପରଠାରୁ କାର୍ଯ୍ୟାଳୟ କୋଠରୀରେ ରହି ଆସୁଥିଲେ । ଗୁରୁବାର ସକାଳୁ ଠାକୁର ପୂଜା ସକାଶେ କାର୍ଯ୍ୟାଳୟ ସମ୍ମୁଖରୁ ଫୁଲ ତୋଳିଥିଲେ । ପରେ କାର୍ଯ୍ୟାଳୟ ଫାଟକ ଭିତରପଟୁ ତାଲା ବନ୍ଦ କରି ଦେଇଥିବା କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି ।

ସକାଳ ପ୍ରାୟ ୧୧ଘଣ୍ଟା ସମୟରେ ନିକଟସ୍ଥ ଅଞ୍ଚଳର ଏକ ଛେଳି ଦୂର୍ଘଟଣାରେ ଆହତ ହେବା ପରେ ଛେଳି ମାଲିକ ପଶୁ ସମ୍ପଦ କାର୍ଯ୍ୟାଳୟକୁ ଯାଇ ପ୍ରାଣୀଧନ ନିରୀକ୍ଷକଙ୍କୁ ଡାକିଥିଲେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳିନଥିଲା । କାର୍ଯ୍ୟାଳୟ ଭିତରେ ପ୍ରାଣୀଧନ ନରିକ୍ଷକଙ୍କ ମୃତଦେହ ପଡିଥିବା ଦେଖି କଞ୍ଚୁରୁ ସରପଞ୍ଚ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବନ୍ଦ କୋଠରୀ ମଧ୍ୟରୁ ମୃତଦେହକୁ ଉଦ୍ଧାର କରିଥିଲା । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୩୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବୃବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପାରିବାରିକ କଳହକୁ କେନ୍ଦ୍ର କରି ପ୍ରାଣୀଧନ ନିରୀକ୍ଷକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି ।

nis-ad
Leave A Reply

Your email address will not be published.