ସହରାଞ୍ଚଳ ଏସଏଚଜି ମହିଳାଙ୍କୁ ଦୀପାବଳି ଭେଟି : ରାଉରକେଲାର ବିକାଶ ପାଇଁ ‘ମୁକ୍ତା’ ଯୋଜନାରେ ୧୧୩ଟି କାର୍ଯ୍ୟାଦେଶ ବଣ୍ଟନ…

ସୁନ୍ଦରଗଡ /ରାଉରକେଲା, ୧୦ ନଭେମ୍ବର ୨୦୨୩: ଓଡ଼ିଶାରେ ସହରାଞ୍ଚଳର ବିକାଶ ସହ ଶ୍ରମିକ ମାନଙ୍କ ଜୀବନଜୀବିକା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଉରକେଲାରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନିଆଯାଇ ସହରର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଶୁକ୍ରବାର ଦିନ ଦୀପାବଳି ଭେଟି ସ୍ଵରୂପ ସହରବାସୀଙ୍କ ଦ୍ଵାରା ପ୍ରସ୍ତାବିତ ୧୧୩ଟି ପ୍ରକଳ୍ପର କାର୍ଯ୍ୟାଦେଶ ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି ।

‘ମୁକ୍ତା’ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ଯ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ଯ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ସ୍ଥାନୀୟ ଏସଏଚଜି ମହିଳାଙ୍କ ନେତୃତ୍ବ ନେବା ଦକ୍ଷତାକୁ ଶାଣିତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ। ଏସଏଚଜି ମହିଳାମାନେ କାର୍ଯ୍ୟାଦେଶ ପାଇବା ପରେ ତୁରନ୍ତ କାର୍ଯ୍ଯାରମ୍ଭ କରିବା ସହ ନିର୍ମାଣ ସମୟରେ ଗୁଣବତ୍ତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଗୁଡିକୁ ଶେଷ କରିବାକୁ ପରାମର୍ଶ ଦେଇଥିଲେ।

ରାଉରକେଲା ସହରର ଉନ୍ନତିକରଣ ନିମନ୍ତେ ୧୧୩ଟି ପ୍ରକଳ୍ପ ପାଇଁ ପାଖାପାଖି ୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ଓ ମରାମତି, ଶିଶୁ ଉଦ୍ୟାନ, ଚଲାପଥ, ପେଭର ବ୍ଲକ ରାସ୍ତା ନିର୍ମାଣ, ଖୋଲା ସ୍ଥାନ ଉନ୍ନତିକରଣ ଇତ୍ୟାଦି ଜନ କଲ୍ୟାଣମୂଳକ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରକଳ୍ପ ସିଧାସଳଖ ଭାବେ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।

ଆଜିର ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ଡେପୁଟି କମିଶନର ସୁଧାଂଶୁ ଭୋଇ, ରୋନିତ କୁମାର, ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା, ଆରଏମସି କର୍ମଚାରୀ ଓ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.