କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ତୃତୀୟ ପରିଷଦ ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ତୃତୀୟ ପରିଷଦ ବୈଠକ ଆଜି ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ କହିଲେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅନୁସୂଚୀତ ଜନଜାତି ଲୋକମାନଙ୍କ ବିକାଶ ପାଇଁ ଅନେକ ଗୁଡ଼ିଏ ଯୋଜନା କରିଛନ୍ତି। ପୂର୍ବରୁ ରାଜ୍ୟର୯ଗୋଟି ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିବାବେଳେ ଏବେ ସମୁଦାୟ ୨୩ ଗୋଟି ଜିଲ୍ଲାରେ ଏହି ପରିଷଦ ଗଠନ କରି ଜନଜାତି ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ଲକ ପିଛା ଦେଢ଼ କୋଟି ହିସାବରେ ଅନୁଦାନ ଆସୁଛି । ଚଳିତ ବର୍ଷ ମଧ୍ୟ ଆମ ଜିଲ୍ଲାକୁ ୧୮କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଲ୍ଲିକ କହିଥିଲେ । ପ୍ରକଳ୍ପ ପ୍ରଶାସକ,ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ପ୍ରବୀଣ କୁମାର ବାଣୁଆ ଦେଇଥିବା ସୂଚନାରୁ ଜଣାପଡ଼ିଛିଯେ,
ସରକାରଙ୍କ ଠାରୁ ପ୍ରାପ୍ତ ଗାଇଡ୍‌ଲାଇନ୍ ଓ ଭିଡିଓ କନ୍‌ଫରେନ୍ସ ଯୋଗେ କମିସନରଙ୍କ ସହ ଆଲୋଚନାରୁ ଜଣାପଡ଼ିଛି ଯେ, ୧୮କୋଟି ଟଙ୍କାର ଶତକଡ଼ା ୮୦ଭାଗ ଅର୍ଥାତ୍ ୧୪ କୋଟି ୪୦ଲକ୍ଷ ଟଙ୍କା ଆଦିବାସୀ ସଂସ୍କୃତିର ପରିଚୟ ବା ମାନ୍ୟତା, ପ୍ରସାର, ପ୍ରୋତ୍ସାହନ, ସଂରକ୍ଷଣ ପାଇଁ ଖର୍ଚ୍ଚ କରାଯିବା ବେଳେ ଶତକଡ଼ା ୨୦ଭାଗ ଅର୍ଥାତ୍୩କୋଟି ୬୦ ଲକ୍ଷ ଟଙ୍କା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରାଯିବ । ସେହି କ୍ରମରେ, ଶତକଡ଼ା ୮୦ ଭାଗ ଟଙ୍କା ସେମାନଙ୍କର ପବିତ୍ର ନୃତ୍ୟ, ସାଂସ୍କୃତିକ କ୍ଲବ, କୁଇ ପତ୍ରିକା, ନୃତ୍ୟ ପୋଷାକ, ବାଦ୍ୟଯନ୍ତ୍ର, ବ୍ଲକ ଓ ଜିଲ୍ଲା ସ୍ତରରେ ସାଂସ୍କୃତିକ ମହୋତ୍ସବ, ପାରମ୍ପରିକ ଜ୍ଞାନ, ଜିଲ୍ଲା ବାହାରକୁ ପରିବେଷଣ ପାଇଁ ନୃତ୍ୟ ଦଳଙ୍କୁ ପଠାଇବା, ଆଇ.ଇ.ସି. ଡକ୍ୟୁମେଣ୍ଟାରୀ
ପ୍ରସ୍ତୁତ କରିବା ଇତ୍ୟାଦିରେ ବିନିଯୋଗ କରାଯିବା ପାଇଁ ସ୍ଥିର କରାଯାଇଛି । ସେହିପରି, ଶତକଡ଼ା ୨୦ ଭାଗ ଟଙ୍କା ଜନଜାତି ହାଟ, ପ୍ରଦର୍ଶନୀ ପରିଦର୍ଶନ (ଏକ୍ସପୋଜର ଭିଜିଟ୍), ମାରାଥନ ଦୌଡ଼ ସିରିଟି, ସ୍ପୋର୍ଟସ୍ କୀଟ୍ ଇତ୍ୟାଦିରେ ବିନିଯୋଗ କରାଯିବ । କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ପ୍ରତି ବ୍ଲକରେ କେବଳ ଜନଜାତି ଲୋକମାନଙ୍କୁନେଇ ଗଠିତ ନୃତ୍ୟଦଳ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ବେଳେ, ଜିଲ୍ଲା ଓ ବ୍ଲକ ସ୍ତରରେ ୧୮ ବର୍ଷ ବୟସରୁ କମ୍ ପିଲାମାନଙ୍କୁ ନେଇ ଖୋ ଖୋ, ଭଲିବଲ, ଫୁଟବଲ ଇତ୍ୟାଦି ଖେଳଆୟୋଜନ କରାଇବାକୁ ପରାମର୍ଶ ଦେଇଥିଲେ । ତେବେ, ଏହି ସମସ୍ତ କାର୍ଯ୍ୟକ୍ରମ ଡିସେମ୍ବର ମାସ ସୁଦ୍ଧା ଶେଷ କରିବାକୁ
ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନଳିନୀ କହଁର, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା କୃପାସିନ୍ଧୁ ବେହେରାଙ୍କ ସମେତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ସଭ୍ୟା, ସରକାରୀ ପଦାଧିକାରୀ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.