ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ( ଡିଏଲପିସି ) ବୈଠକ ଅନୁଷ୍ଠିତ…

ଡ଼ିସେମ୍ବର ୨୦ରୁ ଆରମ୍ଭ ହେବ ମଣ୍ଡି

ମାଲକାନଗିରି, ୦୭/୧୧/୨୩:

ମାଲକାନଗିରି ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଜିଲ୍ଲାପାଳ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ( ଡିଏଲପିସି ) ବୈଠକ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ନବରଙ୍ଗପୁର ସାଂସଦ ପ୍ରତିନିଧି, ମାନସ ମାଡ଼କାମୀ ଏବଂ ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ମଞ୍ଚାସୀନ ଥିଲେ।
ଏଠାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ମଣ୍ଡିର ସୁବ୍ୟବସ୍ଥା, ଚାଷୀମାନଙ୍କ ଧାନ ସରକାରୀ ମୂଲ୍ୟରେ ବିକ୍ରୀ, ଅଧିକାରୀଙ୍କ ଦାୟିତ୍ଵ, ମିଲରମାନଙ୍କ ଶୀଘ୍ର ଧାନ ଉଠାଣ ସହ ଜନ ପ୍ରତିନିଧିଙ୍କ ସହଯୋଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ସେହିପରି ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ବାକା ପୂର୍ବ ବର୍ଷ ଭଳି ଚଳିତ ଖରିଫ ଋତୁରେ ଯେଉଁଭଳି ଧାନ ସଂଗ୍ରହ ସୁରୁଖୁରୁରେ ହୋଇପାରିବ ସେଥିନିମନ୍ତେ ଅଧିକ ଦାୟିତ୍ୱବାନ୍ ହୋଇ ଚାଷୀଙ୍କୁ ସହଯୋଗ କରିବାକୁ ସଂପୃକ୍ତ ବିଭଗୀୟ ଅଧିକାରୀଙ୍କୁ କହିଥିଲେ ।

କ୍ୱିଣ୍ଟାଲ ପିଛା ଧାନର ସାଧାରଣ ଏମଏସପି ଦର ୨, ୧୮୩ ଟଙ୍କା ଏବଂ ଗ୍ରେଡ ଏ ପାଇଁ ୨, ୨୦୩ ଟଙ୍କା ରହିଛି। ସୂଚନା ଥାଉ କି, ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କ ଠାରୁ
ଧାନ କ୍ରୟ କରିଥାନ୍ତି। ଏହି ସଂସ୍ଥା ପାକ୍ସ, ଲାମ୍ପସ୍, ମହିଳା ଏସଏଜ୍ଜି ଓ ପାଣି ପଞ୍ଚାୟତକୁ ଧାନ କ୍ରୟ ନିମନ୍ତେ ନିଯୁକ୍ତ କରିଥାନ୍ତି। କୃଷକ ଧାନ ବିକ୍ରୀ କରିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ
ଅନଲାଇନ୍ ମାଧ୍ୟମରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଟଙ୍କା ପ୍ରଦାନ କରାଯିବ। ଏଥି ନିମନ୍ତେ କୃଷକ ମାନଙ୍କର ଅନଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ଧାନ କିଣୁ ଥିବା ସମସ୍ତ ସଂସ୍ଥାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ। ଚଳିତ ବର୍ଷ କୃଷକଙ୍କ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୩-୨୪ ଖରିଫ ଋତୁ ପାଇଁ ଜିଲ୍ଲାରେ ୩୯, ୬୩୫ ଜଣ କୃଷକ ପଞ୍ଜିକରଣ କରିଛନ୍ତି ।ଡ଼ିସେମ୍ବର ୨୦ରେ ମଣ୍ଡି ଆରମ୍ଭ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି। ମାଲକାନଗିରି ଠାରେ ଏଫସିଆଇ ତରଫରୁ ଧାନ ସଂଗ୍ରହ କରିବାର ବ୍ୟବସ୍ଥା କରିବା ପାଇଁ ମିଲର ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ, ମନମୋହନ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଜାମି ସୂର୍ଯ୍ୟା ରାଓ, ଆରଏମସି, ସମ୍ପାଦକ, ଗୁରୁ ଚରଣ ନାୟକ, ମିଲର ସଂଘ ସଭାପତି, ସୁରେଶ ସମାନୀଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର କର୍ମଚାରୀ, ମିଲର, ପାକ୍ସ, ଲାମ୍ପସ ଓ କୃଷକ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.