ସଚେତନତା ଜାରୀ ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ…

ବ୍ରହ୍ମପୁର : ଜାତୀୟ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟପେୟରେ ଅନିୟମିତତା ଯେଉଁଭଳି ଭାବେ ପରିଲକ୍ଷିତ ହେଉଛି, ଏଭଳି ଧାରା ଆଗରୁ ଜାରି ରଖିଲେ ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହା ସ୍ୱାସ୍ଥ୍ୟ ସେବା ଉପରେ ଏକ ବଡ଼ ଚାପ ହୋଇପାରେ । ଏହାର ବିପଦକୁ ବିଚାରକୁ ନେଇ ସମସ୍ତ ଲୋକ କର୍କଟ ରୋଗକୁ ରୋକିବା ପାଇଁ ସଚେତନ ମାଧ୍ୟମରେ ପଦକ୍ଷେପ ନେଲେ କର୍କଟ ମୁକ୍ତ ଭାରତ ସମ୍ଭବ ବୋଲି ସମାଜସେବୀ ତଥା ମୁଖ କର୍କଟ ରୋଗୀ ଡ.ଦେବାନନ୍ଦ ଦାଶ ଆହ୍ୱାନ ଦେଇଛନ୍ତି।
କର୍କଟ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଦ୍ବାରା ଏକ ସୁସ୍ଥ ଜୀବନ ଏବଂ ଠିକ ସମୟରେ କ୍ୟାନସରର ପ୍ରତିରୋଧ ଏବଂ ଚିକିତ୍ସା କରାଯାଇ ପାରିବ । କର୍କଟ ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ମାସ 7 ତାରିଖରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ ।
କର୍କଟ ରୋଗର ସଠିକ୍‌ କାରଣ ଏ ପର୍ଯ୍ୟନ୍ତ ଜଣାନଥିଲେ ମଧ୍ୟ ଅନେକ ଗୁଡିଏ କାରଣରୁ ଏହି ରୋଗ ହୋଇଥାଏ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ସହରୀ ଜୀବନଶୈଳୀ, ଅପମିଶ୍ରିତ ଖାଦ୍ୟ, ତୈଳ ଓ ଚର୍ବିଜାତୀୟ ଖାଦ୍ୟ, ନିଶାଦ୍ରବ୍ୟ ସେବନ ସହିତ ଅନେକ କାରଣ ରହିଥିବାବେଳେ ସଚେତନତା ଅଭାବରୁ ରୋଗର ପ୍ରାଦୁର୍ଭାବ ବଢୁଛି ବୋଲି ଡାକ୍ତର ଦାସ ପ୍ରକାଶ କରିଥିଲେ। କର୍କଟରୋଗ ପ୍ରାୟ ୧୦୦ରୁ ଅଧିକ ପ୍ରକାର ଦେଖାଯାଉଥିବାବେଳେ ସେଥିମଧ୍ୟରୁ ମୁଖଗହ୍ୱର, ଜରାୟୁ, ରକ୍ତ, ଫୁସ୍‌ଫୁସ୍‌, ବୃକକ୍‌, ମଳଦ୍ୱାର, ହାଡ, ଚର୍ମ, ପ୍ରୋଷ୍ଟେଟ, ସ୍ତନ୍ୟ ଓ ମସ୍ତିଷ୍କ କର୍କଟ ବେଶି ଦେଖାଯାଉଛି। ଏହାର ଲକ୍ଷଣ ମଧ୍ୟରେ କୌଣସି ଘା’ ଦୁଇସପ୍ତାହରୁ ଅଧିକ ନଶୁଖିବା, ମାସଂ ବଢିବା ଓ ବଧିରା ଲାଗିବା, ପାଟି ଖୋଲିବାରେ କଷ୍ଟ ହେବା, ଖାଦ୍ୟ ଢୋକିବାରେ କଷ୍ଟ ହେବା, ପାଟିରେ ଧଳା ଓ ନାଲି ଦାଗ ଦେଖାଯିବା, ପାଟିରେ ଜଳାପୋଡା ହେବା, ହଠାତ୍‌ କଣ୍ଠ ପଡିଯିବା, ମହିଳାଙ୍କର ଅସମୟରେ ରକ୍ତସ୍ରାବ ହେବା, ପେଟରେ ଯନ୍ତ୍ରଣା ହେବା, ମଳଦ୍ୱାରରୁ ରକ୍ତ ପଡିବା ଭଳି ଘଟଣା ଘଟିଲେ ଆଦୌ ହେଲା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡ.ଦାଶ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭରେ ରୋଗ ଚିହ୍ନଟ ହେଲେ ସୁସ୍ଥ ହେବାର ସମ୍ଭାବନା ୮୦-୯୦ ପ୍ରତିଶତ ରହିଛି। ପାନ, ଗୁଟଖା, ଗୁଡାଖୁ, ବିଡି ଓ ସିଗାରେଟ ଆଦୌ ସେବନ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତମାଖୁରେ ୭ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ, ଯେଉଁଥିରୁ ପ୍ରାୟ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟିର କାରଣ ହୋଇଥାଏ । ତମାଖୁ ସେବନ ଦ୍ୱାରା ମୁଖ୍ୟତଃ ମୁଖଗହ୍ୱର, ଫୁସ୍‌ଫୁସ୍‌, ଜିଭ, ବାକ୍‌ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଯାଉଥିବାରୁ ଏ ସବୁ ତମାଖୁ ବର୍ଜନ କରିବା ଆବଶ୍ୟକ ବୋଲି ସମାଜସେବୀ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ ମତ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.