ସରକାରଙ୍କ କେଉଁ ଯୋଜନାରେ ସୁସ୍ଥ ହେବେ କ୍ୟାନ୍ସର ପୀଡ଼ିତ ସୁବର୍ଣ୍ଣ !

ମାଲକାନଗିରି/କୋରୁକୋଣ୍ଡା (୦୧/୧୧) : ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା, ସଂକଳ୍ପକୁ ସାକାର କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ନିଆଯାଇଥିବା ଅନ୍ୟତମ ପଦକ୍ଷେପ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବି.ଏସ୍.କେ.ୱାଇ. । ଯୋଜନା ମୁତାବକ ଏହି ଜରିଆରେ ଉପକୃତ ହେବେ ୯୬ ଲକ୍ଷ ୫୦ ହଜାର ହିତାଧିକାରୀ ପରିବାର ର ୩ କୋଟି ୫୦ ଲକ୍ଷରୁ ଅଧିକ ଜନ ସାଧାରଣ। ଏତଦ୍ ଭିନ୍ନ ସରକାରୀ ଚିକିତ୍ସାଳୟ ସମେତ ବେସରକାରୀ ବା ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସମସ୍ତ ହିତାଧିକାରୀଙ୍କ ପରିବାରକୁ ରାଜ୍ୟ କିମ୍ବା ରାଜ୍ୟ ବାହାରେ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ବର୍ଷକୁ ୫ ଲକ୍ଷ ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିବ । ଏହି କାର୍ଡର ବଣ୍ଟନ ୨୦୨୧ ମସିହା ଅଗଷ୍ଟ ମାସ ୨୦ ତାରିଖରୁ ମାଲକାନଗିରି ଜିଲ୍ଲା ଯାହା ସରକାରୀ ବିକାଶ ତଥା ଉନ୍ନୟନ ମୂଳକ ଯୋଜନାର ଆରମ୍ଭ ହୋଇଥିଲା ତଥା କଥିତ ବିକାଶର ଲଞ୍ଚିଂ ପ୍ୟାଡ ମାଲକାନଗିରି ଜିଲ୍ଲାରେ । ତେବେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ସାଧାରଣ ଗରିବ ଲୋକଙ୍କ ହିତରେ ନା ଘରୋଇ ଚିକିତ୍ସାଳୟର ପୁଞ୍ଜି ବୃଦ୍ଧି କରିବା ନିମନ୍ତେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରଙ୍କ ଏହି ଯୋଜନାରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ଅର୍ଥ ରାଶି ଲୁଟ୍ କରାଯିବା ସମେତ ଯୋଜନା କେବଳ ପ୍ରଚାର ସର୍ବସ୍ବରେ ହିଁ ରହି ଯାଇଛି ବୋଲି କ୍ଷୋଭ ପ୍ରକାଶ ପାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ୍ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ହାତୀ ଆମ୍ବ ଗ୍ରାମରେ । ମିଳିଥିବା ସୂଚନା ମୁତାବକ ଏହି ଗାଁରେ ଦୀର୍ଘ ଦୁଇ ବର୍ଷ ହେଲା କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି ୪୧ ବର୍ଷ ବୟସର ଜଣେ ମହିଳା ଯାହାଙ୍କ ନାମ ସୁବର୍ଣ୍ଣ ଚାଲାଣ । ଅଭାବ ଅନଟନ ତଥା ଆର୍ଥିକ ଅନଗ୍ରସରର ଶୀକାର ୬ପ୍ରାଣୀ ବିଶିଷ୍ଟ ତାଙ୍କ ପରିବାରର ଦାୟିତ୍ଵ ତୁଲାନ୍ତି ୪୩ ବର୍ଷୀୟ ସ୍ବାମୀ ଜୟରାମ ଚାଲାଣ । ପରିବାର ଭିତରେ ୪ଟି ଛୁଆ ଯେଉଁ ମାନଙ୍କ ମଧ୍ୟରୁ ସମସ୍ତେ ପଢ଼ା ପଢ଼ି କରୁଥିଲେ କିନ୍ତୁ ବିଗତ କିଛି ବର୍ଷ ଧରି ମାଆଙ୍କ ଶାରୀରିକ ଅସୁସ୍ଥତା, ୧୯ ବର୍ଷୀୟ ବଡ଼ ପୁଅ ଡମୁ ଚାଲାଣ ପଢ଼ାରେ ଡୋରି ବାନ୍ଧିବାକୁ ବାଧ୍ୟ କରିଲା । ତେବେ କେବଳ ଚାଷ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ପାଇଁ ସୁବର୍ଣ୍ଣଙ୍କ ଅସୁସ୍ଥତା ବୋଝ ଉପରେ ନଳିତା ବିଡ଼ା ପାଲଟିଛି।

ଇତି ମଧ୍ୟରେ ସୁବର୍ଣ୍ଣଙ୍କ ସ୍ୱାସ୍ଥ୍ୟର ଉପଚାର ପାଇଁ ସ୍ଵାମୀ ନିଜର ପାରିବା ମୁତାବକ ସରକାରୀ ତଥା ବେସରକାରୀ ପ୍ରାୟ ୫ଟି ଚିକିତ୍ସାଳୟର ଦ୍ବାରସ୍ଥ ହେବା ପରେ ଶେଷରେ ନିଃସହାୟ ହୋଇ ପଡ଼ିଛନ୍ତି । ରୋଗ ଚିହ୍ନଟ ହେବା ପୂର୍ବରୁ ପ୍ରଥମେ ପ୍ରଥମେ ଅର୍ଥାତ୍ ଗତବର୍ଷ ଅଗଷ୍ଟ ମାସରେ ପୀଡ଼ିତା ସୁବର୍ଣ୍ଣ ଚାଲାଣ ଲମତାପୁଟ ସ୍ଥିତ ଆଶା କିରଣ ଡାକ୍ତରଖାନା ଯିବା ପରେ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲ୍ ଯାଇଥିଲେ। ସେଠାରେ କିଛି ଦିନ ଚିକିତ୍ସାଧୀନ ରହିବା ପରେ ତାଙ୍କୁ ଟ୍ୟୁମର ଓ ପରେ ପରେ କ୍ୟାନ୍ସର ହୋଇଥିବା ଜାଣିବାକୁ ମିଳିଥିଲା । କିନ୍ତୁ ଉପଯୁକ୍ତ ଚିକିତ୍ସା ଅଭାବ କାରଣରୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇନଥିଲା ଯେଉଁ କାରଣରୁ ସେଠାରୁ ତାଙ୍କୁ ଏମ୍.କେ.ସି.ଜି. ହସ୍ପିଟାଲ୍ ବ୍ରହ୍ମପୁରକୁ ପଠା ଯାଇଥିଲା। ୧୦୮ ଆମ୍ବୁଲାନ୍ସ ର ମାଗଣା ସେବା ଥିବା ସତ୍ତ୍ଵେ ସେମାନଙ୍କୁ କୋରାପୁଟରୁ ବ୍ରହ୍ମପୁର ଯିବାକୁ ୨୦୦୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା ଯେଉଁଠି ଅସହାୟ ହୋଇ ୧୦୦୦ଟଙ୍କା ଦେଇ ସୁବର୍ଣ୍ଣ ବ୍ରହ୍ମପୁର ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ମଧ୍ୟ ସେ ସମାନ ଅବସ୍ଥା କୌଣସି ପ୍ରକାରର ଚିକିତ୍ସା ବା ଅସ୍ତ୍ରୋପଚାର ନକରି କେବଳ ସାଲାଇନ୍ ହିଁ ଦେଇ ଦେଇ ରଖା ଯାଇଥିବା ପୀଡ଼ିତା ନିଜେ ପ୍ରକାଶ କରିଛନ୍ତି। ଏହା ଛଡ଼ା ଜନୈକ ସେବିକା ସେଠାରେ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଇଦେବାର ଲାଳସା ଦେଖାଇ ସ୍ୱାମୀ ଜୟରାମଙ୍କ ଠାରୁ ଯଦିଓ ୬୦୦୦ଟଙ୍କା ନେଇ ଯାଇଥିଲେ କିନ୍ତୁ ପରଦିନ ଅସ୍ତ୍ରୋପଚାର ହୋଇ ପାରିବ ନାହିଁ ଓ ପୀଡ଼ିତାକୁ ଭୁବନେଶ୍ବର ନେଇ ଯିବା ପାଇଁ କହିଥିଲେ । ସେଠାରୁ ଋଣ ଉଦ୍ଧାର କରି ଦମ୍ପତି ପହଞ୍ଚିଥିଲେ ରାଜଧାନୀର କଣ୍ଟାବାଡ ସ୍ଥିତ ସ୍ପର୍ଶ ନାମକ ଏକ ଘରୋଇ ହସ୍ପିଟାଲ୍ ଠାରେ ଯେଉଁଠି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ସେଠାରେ ମଧ୍ୟ ସମାନ ଅବସ୍ଥା, ବେଡ ଆଡ଼ମିଶନ ଆଳରେ ପ୍ରାୟ ୯୦୦ ଟଙ୍କା ନେଇ କେବଳ ସାଲାଇନ୍ ଦେଇ ଦେଇ ପରୀକ୍ଷା ନିରୀକ୍ଷା ବାହାନା ଜରିଆରେ ପ୍ରାୟ ଏକ ମାସ ଧରି ସେମାନଙ୍କ ବି.ଏସ୍.କେ.ୱାଇ. କାର୍ଡ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ରଖି ଦେଇଥିଲେ। ଶେଷରେ କୌଣସି ପ୍ରକାରର ଅସ୍ତ୍ରୋପଚାର ନ ହୋଇ ପାରିବାରୁ ଏବଂ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ସ୍ଵାମୀ ଜୋର୍ ଜବରଦସ୍ତି ଉକ୍ତ ବି.ଏସ୍.କେ.ୱାଇ. କାର୍ଡ ନେଇ ପୀଡ଼ିତ ଦମ୍ପତି ଘରକୁ ଫେରି ଆସିଥିଲେ।

ଏବେ ପ୍ରଶ୍ନ ଉଠିଛି ସରକାରଙ୍କ ଏତେ ସବୁ ଯୋଜନା କାହା ପାଇଁ? ବିକାଶ ମୂଳକ ଯୋଜନାର ଲଞ୍ଚିଂ ପ୍ୟାଡ ଜିଲ୍ଲାର ସ୍ଥିତି ଯଦି ଏହା ତେବେ ଅନ୍ୟ ଜିଲ୍ଲାର ସ୍ଥିତି କ’ଣ ହୋଇ ନଥିବ? ଚିକିତ୍ସାକୁ ଉଚ୍ଚ ସ୍ତରୀୟ ନାଆଁରେ ‘ବାୟୁ ସେବା’ରେ ଡାକ୍ତରଙ୍କୁ ଆଣି କେଉଁ ପ୍ରକାରର ପ୍ରହସନ କରୁଛନ୍ତି ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ? ଶେଷରେ ଗଣମାଧ୍ୟମ ଜରିଆରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ସହଯୋଗ ଭିକ୍ଷା କରିଛନ୍ତି। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ପ୍ରଶାସନଙ୍କ ନିଦ ଭାଙ୍ଗୁଛି? ପୀଡ଼ିତାଙ୍କ ପରିବାର ପକ୍ଷରୁ ଉଠିଥିବା ଆର୍ଥିକ ଲୁଣ୍ଠନର କିଭଳି ତର୍ଜମା କରାଯାଇ ଦୋଷୀ ମାନଙ୍କ ବିରୋଧରେ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତଥା ରାଜ୍ୟ ସରକାରଙ୍କ କେଉଁ ଯୋଜନା ସୁବର୍ଣ୍ଣଙ୍କୁ ଆରୋଗ୍ୟ କରି ତାଙ୍କ ମୁହଁରେ ହସ ଫୁଟାଇ ପାରୁଛି।

nis-ad
Leave A Reply

Your email address will not be published.