ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଭିତରକନିକା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକର ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ଚିଙ୍ଗୁଡି ମାଫିଆଙ୍କ ପ୍ରାର୍ଦୁଭାବ ଏବେବି ରହିଛି | ଏହି ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରୀ ଗୁଡିକୁ ଦେଖିଲେ ଲାଗିବ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏଠାରେ କିଛି କାର୍ଯ୍ୟକାରୀ ହୋଇନଥିବା ପରିଲକ୍ଷିତ ହେଉଛି | ପୂର୍ବତ୍ତଳି ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ଝାଟି ଜଙ୍ଗଲ ପାଣିନାଳ କିସମ ସରକାରୀ ଜମିରେ ବେଆଇନ ଭାବେ ଶହ ଶହ ସଂଖ୍ୟାରେ ଚିଙ୍ଗୁଡ଼ି ଘେରୀ ଗଢିଉଠିଛି | ପରିବେଶକୁ ପ୍ରଦୁଷିତ କରି ଚିଙ୍ଗୁଡ଼ି ମାଫିଆ ମାନେ ଲକ୍ଷାଧିକ ଟଙ୍କା ରୋଜଗାର କରି ମଲେମାଲ  ହେଉଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଜୈବ ବିବିଧତା ହ୍ରାସର ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି | ଯାହାଫଳରେ ପ୍ରତି ବର୍ଷ ଚିଙ୍ଗୁଡ଼ି ଘେରୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି | ପ୍ରଶାସନ ବର୍ଷେ ପୂର୍ବରୁ ନାମକୁ ମାତ୍ର ଦୁଇ ତିନୋଟି ଘେରୀ ୪ ରୁ ୫ ଫୁଟ ହୁଡା କାଟି ଦେଇ ଘେରୀ ଉଚ୍ଛେଦ ହେଲା ବୋଲି ଡିଣ୍ଡିମ ପିଟିଥିଲେ | କନିକା ରେଂଜ ଅଧିନରେ ଥିବା ଇଶ୍ଵରପୁର ପଞ୍ଚାୟତ ର ଜୁନୁସନଗର ଠାରୁ ଆରମ୍ଭ କରି ଖମାରସାହି, ଡାଙ୍ଗମାଳ ଓ କୃଷ୍ଣନଗର ପଞ୍ଚାୟତ ର ଖୋଳା ପୋଲ ନିକଟରୁ ଜାତୀୟ ଉଦ୍ୟାନ ପାର୍ଶ୍ବବର୍ତୀ ପାଣିନାଳ ଗୁଡ଼ିକୁ ଅବରୋଧ କରି ବେଆଇନ ଚିଙ୍ଗୁଡ଼ି ଘେରୀ ନିର୍ମାଣ କରାଯାଇଛି |

ସେହିଭଳି ତାଳଚୁଆ, ବାଘମାରି, ରଙ୍ଗଣୀ, କେରୁଆଁପାଳ ପଞ୍ଚାୟତ ର ଜଙ୍ଗଲ କଡ଼ରେ ଶହ ଶହ ଚିଙ୍ଗୁଡ଼ି ଘେରୀ ଗଢିଉଠିଛି | ଗଢ଼ିଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରୀ ଉଛେଦ ପାଇଁ ପ୍ରଶାସନ ନୋଟିସ ଜାରି କରିଥିଲେ | ସରକାରୀ ଜାଗାରେ ଏବଂ ବିନା ଲାଇସେନ୍ସରେ ଚିଙ୍ଗୁଡ଼ି ଘେରୀ କରିଥିବା ମାଲିକମାନଙ୍କୁ ତହସିଲ ପକ୍ଷରୁ ନୋଟିସ ଦିଆଯାଇ ନାମକୁ ମାତ୍ର କେତୋଟି ଘେରୀ ଭାଙ୍ଗିଦେଇ ଫଟୋ ଉଠାଇ ଛାଡ଼ିଦେଇ ପ୍ରଶାସନ ନିଜ କାମ ସାରି ଦେଉଥିଲା | ଭିତରକନିକା ଜାତୀୟ ଉଦ୍ୟାନ ଅଂଚଳରେ ଶହ ଶହ ସଂଖ୍ୟାରେ ବେଆଇନ ଚିଙ୍ଗୁଡ଼ି ଘେରୀ ଗଢି ଉଠିବା ଯୋଗୁଁ ବିଶ୍ଵ ଐତିହ୍ୟ ତାଲିକାରୁ ବାଦ୍ ପଡ଼ିଲା ବୋଲି ପରିବେଶବିତ୍ ମାନେ ମତବ୍ୟକ୍ତ କରିଛନ୍ତି | ଏନେଇ ପ୍ରଶାସନ କେବେ ଗୁରୁତର ଭାବେ ପଦକ୍ଷେପ ଗ୍ରହଣ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ ଦେଖିବାକୁ ବାକି ରହିଲା

nis-ad
Leave A Reply

Your email address will not be published.