ମାଲକାନଗିରିରେ ଷ୍ଟାର୍ଟଅପ ଏକ୍ସପ୍ରେସ ଯାତ୍ରା, ଭାଗ ନେଲେ ୧୨୫ ବିଦ୍ୟାର୍ଥୀ…

ମାଲକାନଗିରି, ୯।୧୦ଗତ କିଛି ଦିନ ପୂର୍ବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ । ଯାହାକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପହଞ୍ଚି ସେଠାରେ ଥିବା ଅନେକ ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରୁଛି । ନୂଆ ଷ୍ଟାର୍ଟଅପ ଆଇଡିଆ ସନ୍ଧାନରେ ଏହି ଯାତ୍ରା ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛି । ଏହି ଗସ୍ତ ସମୟରେ ଷ୍ଟାର୍ଟଅପ ଯାତ୍ରା ମାଲକାନଗିରି ସରକାରୀ ପଲିଟେକନିକ କଲେଜ, ମଡେଲ ଡିଗ୍ରୀ କଲେଜ ଏବଂ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛି । ଯେଉଁଠାରେ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ସମୁଦାୟ ୧୫ଟି ନୂଆ ଷ୍ଟାର୍ଟଅପ ଆଇଡିଆ ସଂଗ୍ରହ କରାଯାଇଥିବାବେଳେ, ସମୁଦାୟ ୧୨୫ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି । ଜିଲ୍ଲା ସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା, ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରୁଛି । ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବ ସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ।

nis-ad
Leave A Reply

Your email address will not be published.