ରିହାତିରେ ଦ୍ରବ୍ୟ ଦେବା ପାଇଁ ବିଜ୍ଞାପନ ଓ ବିକ୍ରି କରିବା ପାଇଁ ପ୍ରତିଶ୍ରୁତି ପରେ ଇ-କମର୍ସ ପୋର୍ଟାଲ ଉକ୍ତ ଦ୍ରବ୍ୟ କୁ ବାତିଲ କରିବା ଏବଂ ଅନଲାଇନ ବିକ୍ରେତା ର ସଠିକ୍ ଠିକଣା ନଦେବା ମାମଲା ରେ – ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ନିର୍ଦ୍ଦେଶ ପରେ – ଫ୍ଲିପକାର୍ଟ ଦେଲା କ୍ଷତିପୂରଣ ।
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସିଙ୍ଗିପୁର ଗ୍ରାମର ବାସିନ୍ଦା ତଥା ଉପଭୋକ୍ତା ଶ୍ରୀ ଗାନ୍ଧୀ ବେହେରା ଅନଲାଇନ୍ ରେ ବିଜ୍ଞାପନ ଦେଖି ନିଜ ବ୍ୟବହାର ପାଇଁ ଏକ ଜୋତା ଚୟନ କରିଥିଲେ । ଯାହାର ପ୍ରକୃତ ମୂଲ୍ୟ ୪୯୯୯/- ଟଙ୍କା ଥିବା ବେଳେ ଇ-କମର୍ସ କମ୍ପାନୀ ଫ୍ଲିପ୍ କାର୍ଟ ପୋର୍ଟାଲ ରେ ରିହାତିରେ ବିକ୍ରି କରିବା ପାଇଁ ବିକ୍ରେତା ଉକ୍ତ ଜୋତାର ପ୍ରକୃତ ମୂଲ୍ୟକୁ ହ୍ରାସ କରି ୯୫୭/-ଟଙ୍କାରେ ବିକ୍ରି କରିବା ପାଇଁ ବିଜ୍ଞାପନ ଜାରିକରିଥିଲା । ଅନଲାଇନ ବିକ୍ରେତା ର ସମସ୍ତ ସର୍ତ୍ତାବଳୀ କୁ ଗ୍ରହଣ କରି ଉପଭୋକ୍ତା ଶ୍ରୀ ଗାନ୍ଧୀ ବେହେରା ଉକ୍ତ ଜୋତା କୁ କିଣିବା ପାଇଁ ରାଜି ହେବା ସହ ଜୋତା ଡେଲିଭରି ହେବାପରେ ଦେୟ ପୈଠ ପାଇଁ ଚୁକ୍ତି ହୋଇଥିଲା । ଜୋତା ପଠାଇବା ପାଇଁ ପ୍ରତିବାଦି କୋରିୟର ସେବା – ଇକାର୍ଟ ଲଜିଷ୍ଟିକ୍ ର କନସାଇନମେଣ୍ଟ ନଂ ସହ ଦ୍ରବ୍ୟ ଡେଲିଭରିର ସମ୍ଭାବ୍ୟ ତାରିଖ ବିଷୟରେ ଉପଭୋକ୍ତାଙ୍କୁ ଜଣାଇଥିଲା । କିନ୍ତୁ ଉପରୋକ୍ତ ସୂଚନା ଦେବାର ଏକ ଦିନ ପରେ ଉକ୍ତ ଦ୍ରବ୍ୟ ବିକ୍ରି ବାତିଲ କରିଥିଲା ଫ୍ଲିପ୍ କାର୍ଟ ପୋର୍ଟାଲ। ଯାହାର ସୂଚନା ଉପଭୋକ୍ତାଙ୍କୁ ଦେଇନଥିଲା କି ପୂର୍ବ ସୁଚନା ନଥାଇ ତାହା ବାତିଲ କରିଥିଲା ଇ-କମର୍ସ କମ୍ପାନୀ । ଶ୍ରୀ ବେହେରା ଫ୍ଲିପ କାର୍ଟ କମ୍ପାନୀ ର କଷ୍ଟମର କେୟାରକୁ ଫୋନ୍ ମାଧ୍ୟମରେ ବିକ୍ରେତାର ସମ୍ପୂର୍ଣ୍ଣ ଠିକଣା ମାଗିଥିଲେ କିନ୍ତୁ ସେମାନଙ୍କ ପାଖରେ ବିକ୍ରେତା ର ଅପଡେଟ ଠିକଣା ନଥିବା ଦର୍ଶାଇଥିଲେ। ଏବଂ କାହିଁକି ଉକ୍ତ ବିକ୍ରି ଅଡର ବାତିଲ ହେବା ବିଷୟରେ ପଚାରିବାରୁ, ଅଦୃଶ୍ୟ ତୃଟି ଯୋଗୁଁ ବିକ୍ରେତା ଉକ୍ତ ଅଡରଟିକୁ ବାତିଲ୍ କରିଦେଇଥିବା ବିଷୟରେ ଫ୍ଲିପ୍ କାର୍ଟ କମ୍ପାନୀ ଶ୍ରୀ ବେହେରା ଙ୍କୁ ଜଣାଇଥିଲା । ବିକ୍ରି ବାତିଲ ହେବା ପରେ ବିକ୍ରେତା କ୍ଷମାପ୍ରାର୍ଥନା କରି ୧୫୦/- ଟଙ୍କା ଉପଭୋକ୍ତାଙ୍କ ଏକାଉଣ୍ଟ୍ କୁ ପଠାଇଥିଲା । ଉପଭୋକ୍ତା ଶ୍ରୀ ବେହେରା ଜାତୀୟ ଉପଭୋକ୍ତା ହେଲ୍ପଲାଇନ ରେ ଏକ ଅଭିଯୋଗ ଦାଖଲ କରିବା କ୍ଷଣି ଫ୍ଲିପ୍ କାର୍ଟ କମ୍ପାନୀ ଶ୍ରୀ ବେହେରା ଙ୍କୁ ପୁଣି ଜୋତା କିଣିବା ବାବଦରେ ସାନି ଅଡର କରିବା ପାଇଁ ଅନୁରୋଧ କରିଥିଲା । କିନ୍ତୁ ଉପଭୋକ୍ତା ତାହା କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ।
ଜାତୀୟ ଉପଭୋକ୍ତା ହେଲ୍ପଲାଇନ ର ପରାମର୍ଶ ଅନୁଯାୟୀ ଶ୍ରୀ ବେହେରା ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଠାରେ ଉପଭୋକ୍ତା ଅଭିଯୋଗ ସଂଖ୍ୟା – ସି ସି ୮୮/୨୦୨୨ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲେ। ଦ୍ବୟ ପକ୍ଷଙ୍କ ତରଫରୁ ଶୁଣାଣି ହେବା ସମୟରେ ମଧ୍ୟ ଫ୍ଲିପ୍ କାର୍ଟ କମ୍ପାନୀ ଜୋତା ବିକ୍ରେତା ର ଭୁଲ ନାମ ଉପଭୋକ୍ତା ଆୟୋଗ ଙ୍କ ଠାରେ ଦର୍ଶାଇଥିଲେ ଏବଂ ଫ୍ଲିପ୍ କାର୍ଟ କମ୍ପାନୀ ର ଏହି କ୍ରୟ ବିକ୍ରୟ ରେ କୈାଣସି ଭୂମିକା ନଥିବା ଦର୍ଶାଇଥିଲା । ଉପଭୋକ୍ତା ଶ୍ରୀ ବେହେରା ବିକ୍ରେତା ର ସଠିକ୍ ନାମ ଓ ଠିକଣା ଫ୍ଲିପ୍ କାର୍ଟ ପୋର୍ଟାଲ ରେ ମଧ୍ୟ ଦର୍ଶାଯାଇନଥବା ବିଷୟରେ ଉପଭୋକ୍ତା ଆୟୋଗ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁଣାଣି ସମୟରେ ଫ୍ଲିପ୍ କାର୍ଟ କମ୍ପାନୀ ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ଅଧିନିୟମ, ୨୦୨୦ କୁ ଅବମାନନା କରିଥିବା ବିଷୟରେ ଦୃଷ୍ଟି କୁ ଆସିଥିଲା ।
ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ର ଅଧ୍ୟକ୍ଷ ଶ୍ରୀ ସତୀଶ୍ ପାଣିଗ୍ରାହୀ ଓ ସଦସ୍ୟା ଶ୍ରୀମତୀ ସରିତ୍ରୀ ପଟ୍ଟନାୟକ ଦ୍ବୟ ପକ୍ଷଙ୍କ ଦଲିଲ୍ କୁ ବିଚାର କୁ ନେଇ ଉପଭୋକ୍ତା ଶ୍ରୀ ଗାନ୍ଧୀ ବେହେରା ଙ୍କୁ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ବାବଦରେ ୨୦୦୦୦/-ଟଙ୍କା ୪୫ ଦିନ ମଧ୍ୟରେ ଦେବା ପାଇଁ ଗତ ତାରିଖ:୦୮.୦୮.୨୦୨୩ ରେ ଫ୍ଲିପ୍ କାର୍ଟ କମ୍ପାନୀ କୁ ନିର୍ଦ୍ଦେଶ ଦେବା ସହ ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ନିୟମ, ୨୦୨୦ କୁ କଡାକଡି ଭାବରେ ପାଳନ କରିବା ସହ ଉକ୍ତ ନିୟମ ଅନୁଯାୟୀ ବିକ୍ରେତା ମାନଙ୍କ ର ଭୈ।ଗୋଳିକ ଠିକଣା ପୋର୍ଟାଲ ରେ ଦର୍ଶାଇବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ପରେ, ଫ୍ଲିପ୍ କାର୍ଟ କମ୍ପାନୀ ଉପଭୋକ୍ତା ଶ୍ରୀ ଗାନ୍ଧୀ ବେହେରା ଙ୍କୁ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ବାବଦରେ ୨୦୦୦୦/-ଟଙ୍କା ଦେଇଛନ୍ତି ।