ପୌରପରିଷଦରେ ବହୁଗୁଣିତ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ଶୁଣାଣି ବନ୍ଦ କରିବାକୁ ଆଲୋଚନା

ଫୁଲବାଣୀ :ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବଢାଇବାକୁ ୨୦୧୮ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ହୋଲଡିଂ ଟ୍ୟାକ୍ସ ଲାଗୁକରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ମୂଲ୍ୟାୟନରେ ପ୍ରିୟା ପ୍ରୀତି ତୋଷଣ,ଟିକସ ବୃଦ୍ଧି ପାଇଁ ଉଚ୍ଚା ଦରରେ ହୋଲଡିଂ ସ୍ଥିର କରାଯାଇଛି।ଯାହା ପୌର ପରିଷଦବାସୀ ଦେବା ସମ୍ଭବ ନୁହେଁ।ଏହି ମୂଲ୍ୟାୟନରେ ବ୍ୟାପକ ତୃଟି ରହିଛି। ଅନୁସୂଚିତ ଅଞ୍ଚଳ ହିସାବରେ ଗୁରୁତ୍ୱ ଦିଆଯାଇନାହିଁ। ଗତ ଦୁଇବର୍ଷ ଧରି ଏ ସଂକ୍ରାନ୍ତରେ ସଂଶୋଧନ କରିବାକୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀ କରାଯାଇଥିଲେ ହେଁ ତାର ସଂଶୋଧନ ନକରି ପୁନର୍ବାର ଅଳ୍ପ କେତେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଆସିଥିବାରୁ ପୌର କାର୍ଯ୍ୟାଳୟ ଠାରେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ,ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ ଓ ମୂଲ୍ୟାୟନ ଅଧିକାରୀଙ୍କ ସହ ମିଳିତ ନାଗରିକ କମିଟିର ସଦସ୍ୟମାନେ ବସି ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଛନ୍ତି। ତେଣୁ ବେଆଇନ ହୋଲଡିଂ ଟିକସର ମୂଲ୍ୟାୟନ ଓ ଅଭିଯୋଗର ଜନ ଶୁଣାଣି ବନ୍ଦ କରିବାକୁ ଦାବି କରାଯାଇଛି। ବେଆଇନ ହୋଲଡିଂ ଧାର୍ଯ୍ୟ ଓ ମୂଲ୍ୟାୟନ ହୋଇଥିବାରୁ ଲୋକଙ୍କୁ ଦଶରୁ କୋଡିଏ ଗୁଣାରୁ ଅଧିକ ବାର୍ଷିକ ଟିକସ ଦେବାକୁ ହେବ।ତେଣୁ ଜନ ସାଧାରଣ ଓ ପୌରପରିଷଦ ଉଭୟଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି।ପୌରପରିଷଦରେ ୪ ହଜାରରୁ ଅଧିକ ହୋଲଡିଂ ଥିବା ବେଳେ ସୂଚନା ନ ପାଇବାରୁ ମାତ୍ର ୪-୫ଶହ ଲୋକ ଅଭିଯୋଗ କରିଛନ୍ତି। ନିର୍ବାଚିତ ପୌର ପରିଷଦ ହୋଲଡିଂର ମୂଲ୍ୟାୟନ ଓ ଟିକସ ଧାର୍ଯ୍ୟ କରିବା ନିୟମ ରହିଥିବା ବେଳେ ବେନିୟମ ଭାବେ ମୂଲ୍ୟାୟନ ହୋଇଛି। ପୂନର୍ବାର ବେଆଇନ ମୂଲ୍ୟାୟନ ଉପରେ ଜନ ଶୁଣାଣି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁଣାଣି ପାଇଁ ଆସିଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ବରିଷ୍ଠ ନାଗରିକ ସଂଘ ସଭାପତି କମଳାକାନ୍ତ ପାଣ୍ଡେ,ବଂଶୀଧର ପଣ୍ଡା, ପ୍ରଶନ୍ନ ପଣ୍ଡା, ବିଜୟ ମହାନ୍ତି, ପ୍ରଣବ ମଣ୍ଡଳ,ଆଇନଜୀବୀ ଭି ଭି ରାମଦାସ,ରଞନକୁମାର ଦାସ, ବିଜୟ ପଟନାୟକ, ଭଗବାନ ମହାନ୍ତି, ବିଜୟ ମହାନ୍ତି, ପ୍ରମୋଦ ସାହୁ,ଅନନ୍ତ ମିଶ୍ର,ପ୍ରମୋଦ ପତି, ପ୍ରଭାକର ପାଳ ଓ କମିଟିର ଆବାହକ ଅଶୋକ ପରିଡା ପ୍ରମୁଖ ମୂଲ୍ୟାୟନରେ ହୋଇଥିବା ତୃଟି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ପୌରପରିଷଦର ନିଷ୍ପତ୍ତି ପରେ ନିରପେକ୍ଷ ମୂଲ୍ୟାୟନ କରିବା ପାଇଁ ଆଲୋଚନା କରାଯାଇଛି।ଅନ୍ୟମାନଙ୍କୁ ଅଭିଯୋଗ କରିବାକୁ ବ୍ୟାପକ ପ୍ରଚାର କରି ସୁଯୋଗ ମଧ୍ୟ ଦେବା ଆବଶ୍ୟକ ବୋଲି ଆଲୋଚନା ହୋଇଛି।ତୁରନ୍ତ କାଉନସିଲ ବୈଠକ ଡାକିବାକୁପୌର ପରିଷଦକୁ ନାଗରିକ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।ସେ ପର୍ଯ୍ୟନ୍ତ ଶୁଣାଣି ନ କରିବାକୁ ଭୁବନେଶ୍ୱର ରୁ ଆସିଥିବା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

nis-ad
Leave A Reply

Your email address will not be published.