ଜଙ୍ଗଲରୁ ଶବ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା…

ହିଞ୍ଜିଳିକାଟୁ (୨୪/୦୯) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ରବିବାର ସକାଳୁ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଛେଳି ଚରାଳିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ (୨୨) ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏନେଇ ମୃତ ସୁନୀଲର ମାଆ ରୁବି ନାୟକ ପୁଅକୁ ହତ୍ୟା ପରେ ଫୋପାଡି ଦିଆଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାପରେ ପାଟପୁର ପୋଲିସର ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରୁଥିବା ଜଣାପଡିଛି । ଖବରନୁଯାୟୀ ଗତକାଲି ସକାଳୁ ମୃତ ସୁନୀଲ ବାପାଙ୍କ ଦେହ ଅସୁସ୍ଥ ଥିବା ହେତୁ ଛେଳିପଲ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ଅପରାହ୍ନରେ ମାଆ ରୁବି ପୁଅ ପାଇଁ ଖାଇବା ଧରି ଜଙ୍ଗଲକୁ ଯାଇଥିଲେ ମଧ୍ୟ ପୁଅକୁ ପାଇନଥିଲେ । ଏପରିକି ଛେଳିପଲ ନିକଟରେ ପୁଅ ଧରିଥିବା ତଲାରୀ ପଡ଼ିଥିବା ବେଳେ କିଛି ରକ୍ତ ଟୋପା ପଡ଼ିଥିବା ନେଇ ମାଆର ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା । ଏପଟେ ବିଳମ୍ବିତ ସନ୍ଧ୍ୟା ଯାଏଁ ପୁଅକୁ ଖୋଜାଖୋଜି ପରେ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ ।

ଅପରପକ୍ଷରେ ରବିବାର ସକାଳୁ ପୁଣିଥରେ ଗ୍ରାମବାସୀଙ୍କ ସହ ମାଆ ପୁଅକୁ ସେହି ଜଙ୍ଗଲରେ ଖୋଜିବା ସମୟରେ ଏକବୁଦା ମୂଳେ ପୁଅର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପ୍ରସାରିତ ପରେ ଜଙ୍ଗଲକୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା । ଏପଟେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ନଂ ୬୧୦/୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏପଟେ ମୋ ପୁଅର କାହା ସହ ଶତ୍ରୁତା ନଥିବା ବେଳେ କିଏ କାହିଁକି ମାରିଛି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଏପରିକି ପୋଲିସ ମୃତଦେହକୁ ଜବତ ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିପାରିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.